କନକ ବ୍ୟୁରୋ: ଦିଲ୍ଲୀ ପରେ ବଢିଲା ପଶ୍ଚିମବଙ୍ଗ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା । ନିଜ ମନ୍ତ୍ରୀଙ୍କ ସହିତ ରାଜ୍ୟର ସମସ୍ତ ବିଧାୟକଙ୍କ ଦରମା ବୃଦ୍ଧି କରିଛନ୍ତି ମମତା ସରକାର । ତେବେ ପଶ୍ଚିମବଙ୍ଗ ସରକାର ବିଧାୟକମାନଙ୍କ ଦରମା ୪୦ ହଜାର ବୃଦ୍ଧି କରିବା ନେଇ ମମତା ବାନାର୍ଜୀ ନିଜେ ସୂଚନା ଦେଇଛନ୍ତି ।

Advertisment

ମମତା କହିଛନ୍ତି ଯେ, ସେ ନିଜେ ଦରମା ବାବଦକୁ ଟଙ୍କାଟିଏ ମଧ୍ୟ ନେଉନାହାଁନ୍ତି । ତେଣୁ ତାଙ୍କ ଦରମାରେ କୌଣସି ବୃଦ୍ଧି ଘଟିନାହିଁ । ହେଲେ ବିଧାୟକମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି କରାଯାଇଛି । ମମତାଙ୍କ କହିବା କଥା, ପଶ୍ଚିମବଙ୍ଗ ବିଧାୟକଙ୍କ ଦରମା ପୂର୍ବରୁ ବହୁତ କମ ଥିଲା । ତେଣୁ ବିଧାୟକଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି କରାଗଲା । ସେହିପରି ମନ୍ତ୍ରୀମାନଙ୍କର ମଧ୍ୟ ଦରମା ବୃଦ୍ଧି ହେଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ମନ୍ତ୍ରୀମାନଙ୍କ ଦରମା ଏବେ ୧୦ ହଜାର ୯ ଶହ ଟଙ୍କା ବୃଦ୍ଧି କରାଯାଇ ଏହାକୁ ୫୦ ହଜାର ୯୦୦ ଟଙ୍କା କରାଯାଇଛି । ସେହିପରି କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଦରମା ୧୧ ହଜାର ଟଙ୍କା ବୃଦ୍ଧି କରାଯାଇ ଏହାକୁ ୫୧ ହଜାର ଟଙ୍କା କରାଯାଇଛି ।

ତେବେ ବିଧାୟକମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ହେଲା ପରେ, ଏବେ ପଶ୍ଚିମବଙ୍ଗ ବିଧାୟକଙ୍କ ଦରମା ବେତନ ଓ ଭତ୍ତା ଟଙ୍କାକୁ ମିଶାଇ ମୋଟ ୧.୨୧ ଲକ୍ଷ ହୋଇଛି । ଯାହାକି ପୂର୍ବରୁ କେବଳ ୮୦ ହଜାର ଟଙ୍କା ଥିଲା । ସେହି ଅନୁମାତରେ ଦରମା ଏବଂ ଭତ୍ତାକୁ ମିଶାଇ ମନ୍ତ୍ରୀମାନଙ୍କର ଦରମା ଦେଢ ଲକ୍ଷ ଟଙ୍କା ହୋଇଛି ।