ପଶ୍ଚିମବଙ୍ଗରେ ବିଜେପିକୁ ଡବଲ ଝଟକା । ୨୪ ଘଣ୍ଟା ଭିତରେ ଦଳ ଛାଡି ଟିଏମସି ହାତ ଧରିଲେ ଦୁଇ ବିଧାୟକ ।

216

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଜେପିକୁ ଲାଗିଛି ଜୋରଦାର ଝଟକା । ୨୪ ଘଣ୍ଟା ଭିତରେ ବିଜେପି ଛାଡିି ଟିଏମସିରେ ଯୋଗ ଦେଇଛନ୍ତି ଦଳର ଦୁଇ ବିଧାୟକ । ସୋମବାର ବିଧାୟକ ତନ୍ମୟ ଘୋଷଙ୍କ ପରେ ମଙ୍ଗଳବାର ବିଜେପି ବିଧାୟକ ବିଶ୍ୱଜିତ ଦାସ ମଧ୍ୟ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଖାଲି ସେତିକି ନୁହେଁ, ତାଙ୍କର ଏହି ଦଳ ବଦଳ ବିଜେପିକୁ ଜୋରଦାର ଝଟକା ଦେଇଛି ।

ସୋମବାର ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷ ବିଜେପିର ହାତ ଛାଡି ଆସି ଦିଦିଙ୍କ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ । ଏହି ଘଟଣାର ୨୪ ଘଣ୍ଟା ନପୁରୁଣୁ ବିଧାୟକ ବିଶ୍ୱଜିତ ଦାସ ମଧ୍ୟ ଟିଏମସିରେ ସାମିଲ ହୋଇଛନ୍ତି ।

ଟିଏମସିରେ ସାମିଲ ହେବା ପରେ ବିଶ୍ୱଜିତ କହିଛନ୍ତି, ସେ ଭୁଲବଶତଃ ପୂର୍ବରୁ ଦଳ ବଦଳାଇଦେଇଥିଲେ । ଏବେ ଟିଏମସି ନେତୃତ୍ୱ ଉପରେ ତାଙ୍କର ଭରସା ଅଛି । ମମତା ବାନାର୍ଜୀ ବିକାଶ ପାଇଁ କାମ କରୁଛନ୍ତି । ତେଣୁ ସେ ତାଙ୍କ ସହିତ ଅଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ବିଜେପି ଉପରେ ଅଭିଯୋଗ ଆଣି ବିଶ୍ୱଜିତ କହିଛନ୍ତି, ବିଜେପିରେ ତାଙ୍କୁ ନେତାମାନେ କାମ କରିବାକୁ ଦେଉନଥିଲେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏଥର ଦିଦିଙ୍କ ଟିଏମସି ଦମଦାର ପ୍ରଦର୍ଶନ କରିଥିଲା । ଏହାପରେ ବରିଷ୍ଠ ନେତା ମୁକୁଲ ରାୟ ବିଜେପି ଛାଡି ଟିଏମସିକୁ ଲେଉଟିଥିଲେ । ସେ ଗତ ୨୦୧୭ ମସିହାରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ । ହେଲେ ବିଧାନସଭା ନିର୍ବାଚନ ପରେ ସେ ବିଜେପି ଛାଡି ପୁଣି ଟିଏମସିକୁ ଫେରିଥିଲେ । ଏହାପରେ ଏବେ ଅନ୍ୟ ବିଜେପି ନେତାମାନେ ମଧ୍ୟ ଟିଏମସିକୁ ଲେଉଟିବା ଆରମ୍ଭ କରିଛନ୍ତି ।