କନକ ବ୍ୟୁରୋ : କରୋନା ମହାମାରୀରେ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଛନ୍ତି । କିନ୍ତୁ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି । ଗତ ଡିସେମ୍ବର ମାସରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ରାସନ ସାମ୍ରଗୀ ଲୋକେ ପାଇନାହାନ୍ତି । ଏନେଇ ଅଭିଯୋଗ ଆଣିଲେ ରାସନକାର୍ଡ କାଟି ଦେବାକୁ ଧମକ ଦେଉଛନ୍ତି ଡିଲର । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ।
କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପଡିଛି । ଗରୀବ ଲୋକମାନେ ଯେପରି ଖାଦ୍ୟ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । କିନ୍ତୁ ରିଲିଫ ସାମଗ୍ରୀ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଇଶ୍ୱରପୁର ପଞ୍ଚାୟତରେ । ଇଶ୍ୱରପୁର ପଞ୍ଚାୟତ ଜୁନୁସନଗର ରିଟେଲର କେନ୍ଦ୍ରରେ କୌଣସି ହିତାଧିକାରୀ ସରକାର ଘୋଷଣା କରିଥିବା ଅତିରିକ୍ତ ରିଲିଫ୍ ସାମଗ୍ରୀ ପାଇନାହାନ୍ତି । ୨୦୨୧ ଡିସେମ୍ବରରୁ ୨୦୨୨ ମାର୍ଚ୍ଚ, ୪ ମାସର ଅତିରିକ୍ତ ଖାଦ୍ୟ ସାମ୍ରଗୀ ହିତାଧିକାରୀଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି ।
ଇଶ୍ୱରପୁର ପଂଚାୟତର ଜୁନୁସନଗର ଗାଁରେ ଅନେକ ଲୋକ ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ସରକାରଙ୍କ ତରଫରୁ ଦିଆଯାଉଥିବା ରାସନ ଚାଉଳ ହିଁ ସେମାନଙ୍କ ପେଟ ପୋଷିବାର ଏକମାତ୍ର ମାଧ୍ୟମ । ମାତ୍ର ଡିଲର ଧିରେନ୍ଦ୍ର ନାଥ ମହାକୁଡ ସେମାନଙ୍କୁ ଅତିରିକ୍ତ ଖାଦ୍ୟ ସାମଗ୍ରୀ ଦେଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଖାଲି ଚାଉଳ ନୁହେଁ, ଚାରି ମାସରୁ ଅଧିକ ସମୟ ହେବ, ଡିଲର ସେମାନଙ୍କୁ କିରୋସିନ ମଧ୍ୟ ଦେଉନାହାନ୍ତି । ଏହାର ପ୍ରତିବାଦ କଲେ ଡିଲର ରାସନ କାର୍ଡ କାଟିଦେବାକୁ ଧମକ ଦେଉଛନ୍ତି ବୋଲି କହିଛନ୍ତି ହିତାଧିକାରୀ ।
କେବଳ ଇଶ୍ୱରପୁର ନୁହେଁ ଓଡ଼ିଶାର ଅନେକ ଅଞ୍ଚଳରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ତାହା ସାମ୍ନାକୁ ଆସିପାରୁନି । କାରଣ ହିତାଧିକାରୀ ଅଭିଯୋଗ କଲେ ଡିଲର ତାଙ୍କ ରାସନକାର୍ଡ କାଟି ଦେବାକୁ ଧମକ ଦେଉଛନ୍ତି । ଫଳରେ ଗରିବ ଲୋକଟି ତାର ପ୍ରାପ୍ୟ ନ ପାଇ ନିଜ ଭାଗ୍ୟକୁ ଆଦରି ଚୁପ୍ ବସିପଡୁଛି ।