ଦେଖିବାକୁ ମିଳୁନି ଆଉ ବେଣା ଚେର, ହଜିଗଲାଣି ବିଞ୍ଚଣା । ଗରମ ଦିନେ ଆଉ ଦରକାର ପଡୁନି ଏ ଜିନିଷ ।

36

କନକ ବ୍ୟୁରୋ: ଦେଖିବାକୁ ମିଳୁନି ଆଉ ବେଣା ଚେର । ଆଗେ ଘରେ ହେଉ ବା ଅଫିସରେ ଗରମ ଦାଉରୁ ରକ୍ଷା ପାଇବା ପାଇଁ ବ୍ୟବହାର ହେଉଥିଲା ବେଣାଚେର । ଯାହାକୁ କୁହାଯାଏ ଶସ୍ତା ଏସି। ସେହିଭଳି ଖରା ଦିନ ଆସିଲେ ଖୋଜାପଡ଼େ ବିଞ୍ଚଣା । କିନ୍ତୁ ମହଙ୍ଗା ଯୁଗର ଅତ୍ୟାଧୁନିକ ଟେକ୍ନୋଲୋଜିରେ ତିଆରି ଏସି ଆଗରେ ଫିକା ପଡ଼ିଯାଇଛନ୍ତି ଏହି ଦୁଇ ସାମଗ୍ରୀ । ଘର କିମ୍ବା ଅଫିସ୍ ଆଗରେ ଆଉ ନଜର ଆସୁନି ବେଣାଚେର ଝୁଲିବାର । ପୂର୍ବରୁ ପାଞ୍ଚ, ଦଶ ଟଙ୍କା ଏହାର ସ୍କୋୟାର ଫୁଟ୍ ଥିବାବେଳେ ବର୍ତ୍ତମାନ ଏହାର ସ୍କୋୟାର ଫୁଟ୍ ପହଞ୍ଚିଛି ୪୦ ରୁ ୫୦ ଟଙ୍କାରେ ।

ବେଣାଚେର, ସାଧାରଣତଃ ଜଙ୍ଗଲରେ ମିଳେ। ଆଦିବାସୀ ଅବା ଗଣ୍ଡା ସମ୍ପ୍ରଦାୟର ଲୋକେ ଏହାକୁ ସଂଗ୍ରହ କରିଥାନ୍ତି । ବିଶେଷ କରି ରେଢ଼ାଖୋଲ, ମୟୂରଭଞ୍ଜ, ବାରିପଦା, ସାତବାଟିଆ, ଆଦି ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ବହୁ ମାତ୍ରାରେ ବେଣାଚେର ଦେଖିବାକୁ ମିଳେ । ଏବେ କିନ୍ତୁ ଏହାର ଚାହିଦା ମଧ୍ୟ କମିବାରେ ଲାଗିଛି । କାହିଁକି ନା ଲୋକେ ପରିଶ୍ରମ କରିବାକୁ ନାରାଜ୍। ବେଣାଚେର ଆଣି ଏହାର ଚେର ବାହାର କରି, ପ୍ରସ୍ତୁତ କରିବା କାଠିକର ପାଠ । ତେଣୁ ଲୋକେ ବେଣାଚେରକୁ ଭୁଲି ଅତ୍ୟାଧୁନିକ ଟେକ୍ନୋଲୋଜିରେ ପ୍ରସ୍ତୁତ ଏସିକୁ ବେଶ୍ ପସନ୍ଦ କରୁଛନ୍ତି । ଏପଟେ କିନ୍ତୁ ବୁଣାଳି କୁହନ୍ତି ବେଣାଚେର ଔଷଧୀୟ ଗୁଣ ଭରି ରହିଛି । ଉଚ୍ଚ ରକ୍ତଚାପ, ମଧୁମେହକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ।

ଖରା ଦିନେ ବେଣାଚେରର ଚାଦର ସହ ବିଞ୍ଚଣାର ଚାହିଦା ଥିଲା । ବିଜୁଳି କଟିଲେ ବିଞ୍ଚଣା ଖୋଜାପଡେ । ତାଳପତ୍ର ବିଞ୍ଚଳା ଲୋକମାନେ ପସନ୍ଦ କରୁଥିଲେ । ହେଲେ ଏବେ ରାଜ୍ୟ ବାହାରୁ ଆସୁଥିବା ରେଡିମେଡି ବିଞ୍ଚଣା ଆଗରେ ହଜି ଯାଉଛି ତାଳପତ୍ର ବିଞ୍ଚଣା । ଚାହିଦା କମୁଥିବାରୁ ସହର ବଜାରରେ ଆଉ କେହି ବିଞ୍ଚଣା ବୁଣୁନହାନ୍ତି । ତେଣୁ ଆଗରୁ ୨ରୁ ୨୦ ଟଙ୍କାରେ ମିଳୁଥିବା ବିଞ୍ଚଣା ଦର ଏବେ ୨୫ରୁ ୩୦ ହୋଇଛି ।