କନକ ବ୍ୟୁରୋ : ଆଇପିଏଲ ମିନି ନିଲାମୀ ଶେଷ ହୋଇଛି । ୨୦୨୩ ଆଇପିଏଲ ପାଇଁ ହୋଇଥିବା ମିନି ନିଲାମୀରେ ୮୦ ଜଣ କ୍ରିକେଟରଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ କିଣିଛନ୍ତି । ଆଉ ଏହି ଚେନ୍ନାଇ ସୁପର କିଙ୍ଗସ ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି । ଆଉ ଷ୍ଟୋକ୍ସଙ୍କୁ ଦଳରେ ସାମିଲ କରିବା ପରେ ଚେନ୍ନାଇ ଟିମକୁ ନେଇ ଚର୍ଚ୍ଚା ବଢିଛି । ୨୦୨୩ ଆଇପିଏଲ ସିଜିନରେ ଷ୍ଟୋକ୍ସଙ୍କୁ ଗୁରୁଦାୟିତ୍ୱ ଦେଇପାରେ ଚେନ୍ନାଇ । ଧୋନୀଙ୍କ ବଦଳରେ ଷ୍ଟୋକ୍ସ ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି । ଆଉ ଏଭଳି ଚର୍ଚ୍ଚା ଭିତରେ ଚେନ୍ନାଇ ସୁପର କିଙ୍ଗସର ସିଇଓଙ୍କ ବୟାନ ଏବେ ସାମ୍ନାକୁ ଆସିଛି । ଯାହା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

Advertisment

ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥଙ୍କ କହିବା ଅନୁଯାୟୀ, ଚେନ୍ନାଇ ବେନ୍ ଷ୍ଟୋକ୍ସଙ୍କ ଭଳି ଖେଳାଳୀଙ୍କୁ ଦଳରେ ସାମିଲ କରି ବହୁତ ଖୁସି । ଷ୍ଟୋକ୍ସ ଚେନ୍ନାଇ ଦଳରେ ସାମିଲ ହେବା ଆମର ଭାଗ୍ୟ ବୋଲି କହିଛନ୍ତି କାଶୀ । ବ୍ରାଭୋଙ୍କୁ ଚେନ୍ନାଇ ଛାଡିବା ପରେ ତାଙ୍କ ବଦଳରେ ଜଣେ ଦକ୍ଷ ଅଲରାଉଣ୍ଡରଙ୍କ ସନ୍ଧାନରେ ଥିଲା ଚେନ୍ନାଇ । ଆଉ ବେନ୍ ଷ୍ଟୋକ୍ସ ବ୍ରାଭୋଙ୍କର ଭଲ ବିକଳ୍ପ ହେବେ ବୋଲି ଚେନ୍ନାଇ ଫ୍ୟାନଙ୍କର ମତ । ତେବେ କାଶୀ କହିଛନ୍ତି, ନିଲାମୀରେ ବେନ ଷ୍ଟୋକ୍ସଙ୍କ ଭଳି ଅଲରାଉଣ୍ଡରକୁ ଚେନ୍ନାଇ ମ୍ୟାନେଜମେଣ୍ଟ ବାଛିବା ନିଷ୍ପତ୍ତିରେ ଧୋନୀ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । କାରଣ ଷ୍ଟୋକ୍ସ ଅଧିନାୟକ ଭାବେ ଚେନ୍ନାଇ ପାଇଁ ଭଲ ବିକଳ୍ପ ମଧ୍ୟ ସାଜିପାରିବେ । ତେବେ ଷ୍ଟୋକ୍ସଙ୍କୁ ଅଧିନାୟକ ପଦ ମିଳିବ କି ନାହିଁ ସେ ବାବଦରେ ଧୋନୀ ହିଁ ଶେଷ ନିଷ୍ପତ୍ତି ନେବେ । ତେଣୁ ଏବେ ଆଗାମୀ ସିଜିନରେ ଧୋନୀ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଏହାପୂର୍ବରୁ ଧୋନୀ ଗତ ସିଜିନରେ ଚେନ୍ନାଇର ଅଧିନାୟକ ପଦ ଛାଡିଥିଲେ । ଜାଡେଜାଙ୍କୁ ଏହି ଦାୟିତ୍ୱ ଦେଇଥିଲା ଦଳ । କିନ୍ତୁ ଜାଡେଜାଙ୍କ ନେତୃତ୍ୱରେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା ଚେନ୍ନାଇ । ଯେଉଁଥିପାଇଁ ଟୁର୍ଣ୍ଣାମେଣ୍ଟ ଅଧାରୁ ଜାଡେଜାଙ୍କ ଅଧିନାୟକ ପଦରୁ ହଟାଯାଇ ପୁଣିଥରେ ଧୋନୀଙ୍କ ହାତରେ ଦଳର କମାଣ ଦେଇଥିଲା ଚେନ୍ନାଇ । ଯେହେତୁ ଧୋନୀଙ୍କର ଏହା ଶେଷ ଆଇପିଏଲ ହୋଇପାରେ ତେଣୁ ଚେନ୍ନାଇ ଟିମର କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହାବାଦ୍ ଦୀର୍ଘଦିନ ଧରି ଦଳ ସହ ରହି ଆସିଥିବା ବ୍ରାଭୋଙ୍କୁ ୨୦୨୩ ଆଇପିଏଲରେ ଚେନ୍ନାଇ ପାଇଁ ଖେଳୁଥିବାର ଦେଖିବାକୁ ମିଳିବନି । ଏଭଳିସ୍ଥଳେ ବ୍ରାଭୋଙ୍କ ବଦଳ ଖେଳାଳୀ ଭାବେ ଷ୍ଟୋକ୍ସ ଭଲ ବିକଳ୍ପ ହୋଇପାରିବେ । ସେହିଭଳି ଅନ୍ୟ ଜଣେ ଇଂଲଣ୍ଡ କ୍ରିକେଟର ସାମ କୁରାନଙ୍କୁ ଦଳରେ ସାମିଲ କରିବାକୁ ଶେଷ ପର୍ଯ୍ୟନ୍ତ ପ୍ରୟାସ କରିଥିଲା ଚେନ୍ନାଇ । କିନ୍ତୁ ପର୍ସରେ ଆବଶ୍ୟକୀୟ ଟଙ୍କା ନଥିବା କାରଣରୁ ସାମ କୁରାନଙ୍କୁ ଦଳ ପୁଣିଥରେ ନିଜ ସାଥୀରେ ରଖି ପାରିନଥିଲା । ଆଉ ସବୁଠୁ ଦାମୀ ଖେଳାଳୀ ଭାବେ ସାମ କୁରାନଙ୍କୁ ୧୮.୫୦ କୋଟି ଟଙ୍କାରେ କିଣିଥିଲା ପଞ୍ଜାବ କିଙ୍ଗସ ।

 ପୂର୍ବରୁ ଷ୍ଟୋକ୍ସ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଛନ୍ତି । କିନ୍ତୁ ଆଇପିଏଲରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇନଥିଲେ । କିନ୍ତୁ ଇଂଲଣ୍ଡକୁ ଟି-୨୦ ଚାମ୍ପିୟନ କରିବା ପରେ ଷ୍ଟୋକ୍ସଙ୍କର ଚାହିଦା ଯଥେଷ୍ଟ ଅଧିକ ବଢିଛି ।