କନକ ବ୍ୟୁରୋ: କର୍ଣ୍ଣାଟକରୁ ଆସିଲା ଅଭାବନୀୟ ଚିତ୍ର । କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ଶବକୁ ଗାତରେ ଫିଙ୍ଗିଦିଆଯାଉଛି । ଜେସିବି ସାହାଯ୍ୟରେ ବିରାଟ ଗାତ ଖୋଳି ସେଥିରେ ଆକ୍ରାନ୍ତଙ୍କ ଶବକୁ ଅଳିଆ ଆବର୍ଜନା ଭଳି ଫୋପଡାଯାଉଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଏହି ଭିଡିଓରେ, ପିପିଇ କିଟ୍ ପିନ୍ଧିଥିବା କିଛି କର୍ମଚାରୀ ଆମ୍ବୁଲାନ୍ସରୁ ଅନେକ ଶବକୁ ବାହାର କରି ଜେସିବି ସାହାଯ୍ୟରେ ଖୋଳାଯାଇଥିବା ଗୋଟିଏ ଗାତରେ ଫିଙ୍ଗି ଦେଉଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ଜେଡିଏସ୍ ।

Advertisment


ଟ୍ୱିଟ୍ କରି ଜେଡିଏସ ଲେଖିଛି, ସାବଧାନ ହୋଇଯାଆନ୍ତୁ... ଭଗବାନ ନକରନ୍ତୁ ଯଦି କରୋନା ଆକ୍ରାନ୍ତ ହୋଇ ଆପଣ କିମ୍ବା ଆପଣଙ୍କର ପରିଜନ କେହି ମୃତ୍ୟୁବରଣ କରନ୍ତି, ତେବେ ବିଜେପି ସରକାର ଏହିଭଳି ଗୋଟିଏ ଗାତ କରି ଅନ୍ୟ ଶବ ସହ ଆପଣଙ୍କ ଶବକୁବି ପୋତିଦେବେ
ତେବେ ସେହିଭଳି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ । ଟ୍ୱିଟ କରି ଲେଖିଛି, ବେଲାରିରେ ଏହି କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବକୁ ଏପରି ଅମାନବୀୟ ଭାବେ ଗାତରେ ଫିଙ୍ଗିଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏଥିରୁ ଜଣାପଡୁଛି ବିଜେପି ସରକାର କିଭଳି କରୋନା ମୁକାବିଲା କରୁଛନ୍ତି । ତେଣୁ ବିଜେପି ସରକାରଙ୍କୁ ଅନୁରୋଧ ସେ ଏହି ଘଟଣାକୁ ଗୁରୁତର ସହ ନିଅନ୍ତୁ ।