କନକ ବ୍ୟୁରୋ: ଆମେ ଏମିତି ଏକ ସମୟରେ ଆସି ପହଞ୍ଚିଛୁ ଯେଉଁଠି ମୋବାଇଲ ବିନା ଗୋଟେ ମୁହୂର୍ତ୍ତ ବି ରହିବା ମଣିଷ ପାଇଁ କଷ୍ଟକର ହେଉଛି । ଯୋଗାଯୋଗ ପାଇଁ ସୋସିଆଲ ମିଡିଆ ହେଉ କି ଫୋନ୍ କଲ୍ – ଭାବର ଆଦାନ ପ୍ରଦାନ, ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ତଥ୍ୟ ଦେବାକୁ ମୋବାଇଲ ସାଜିଛି ବିରାଟ ବଡ ମାଧ୍ୟମ । ମୋବାଇଲର ବ୍ୟବହାର ଆଧୁନିକ ସମାଜରେ ଏତେ ଅଧିକ ହୋଇଛି ଯେ- ଆମେ ପ୍ରତି କ୍ଷେତ୍ରରେ ତାର ଆବଶ୍ୟକତାକୁ ଅନୁଭବ କରୁଛୁ । ୨ଜି-୩ଜି-୪ଜି ପରେ ଏବେ ୫-ଜିର ଯୁଗ ଚାଲିଥିବା ବେଳେ ମଣିଷ ଚିଠିର ବ୍ୟବହାର ବି କମେଇ ଦେଲାଣି ଆଉ ଏମିତି ଏକ ସମୟରେ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ଘଣ୍ଟି ଭରସାରେ ହିଁ ଅଛନ୍ତି । ଏକଥାକୁ ସହଜରେ ଗ୍ରହଣ କରି ହେଉନଥିଲେ ବି ଏହା ସତ୍ୟ । ଆଉ ଏମିତି ମୋବାଇଲ ନଥିବା ଗାଁ ଆମ ଓଡିଶାରେ ହିଁ ଅଛି ।
ମୋବାଇଲ ନେଟୱର୍କ ସମସ୍ୟାର କାହାଣୀ ଆପଣ ଅନେକ ଥର ଗଣମାଧ୍ୟମରେ ଶୁଣିଥିବେ ଆଉ ଦେଖିଥିବେ । କେବେ କିଏ ନେଟୱର୍କ ପାଇଁ ପାହାଡ ଚଢନ୍ତି ତ ପୁଣି କିଏ ଗଛ ଚଢନ୍ତି । ନେଟୱର୍କ ପାଇଁ ଅନେକ ସମସ୍ୟାଭରା କାହାଣୀ ଭିତରେ ଏ କାହାଣୀ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଆଉ ଆଶ୍ଚର୍ଯ୍ୟ । ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ତୁମ୍ବିଖୋଲ ଗାଁରେ ଏହି ଘଣ୍ଟି ହିଁ ପୂରା ଗାଁଲୋକଙ୍କ ସୁଖଦୁଃଖର ଭରସା । ଘଣ୍ଟି ବାଜିବା ଆପଣ ସ୍କୁଲରେ ଶୁଣିଥିବେ କିମ୍ବା କୌଣସି ପର୍ବପର୍ବାଣୀରେ ଠାକୁରଙ୍କ ପାଖରେ ଶୁଣିଥିବେ କିନ୍ତୁ ଘଣ୍ଟି ଯେ ଗୋଟେ ଗାଁ ପାଇଁ ଯୋଗାଯୋଗର ମାଧ୍ୟମ ସାଜିଛି ତାହା ପୁଣି ଆଜିର ସମୟରେ ତାହା ସତରେ ଗ୍ରହଣୀୟ ନୁହେଁ ।
ହେମଗିରି ବ୍ଲକ ସୁମରା ପଞ୍ଚାୟତର ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ୧୨ରୁ ଅଧିକ ଗାଁ ତୁମ୍ବିଖୋଲ, ତିଉରିଆ, ମାକଡିଖୋଲ ଭଳି ଗାଁରେ ଆଜି ପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ ପହଞ୍ଚି ପାରିନାହିଁ । ଆଦିବାସୀ ଅଞ୍ଚଳର ଗାଁ ହୋଇଥିବାରୁ ଏମାନଙ୍କ ଘର ଦୂରରେ ଦୂରରେ ରହିଥାଏ । ଏହିଭଳି କ୍ଷେତ୍ରରେ ମଣିଷ ମଣିଷ ସହ ଯୋଗାଯୋଗ କରିବା ପାଇଁ, ଭାବର ଆଦାନ ପ୍ରଦାନ ହେଉ କି କିଛି ବିପଦ ପଡିଲେ, କି କାହାର କିଛି ମୋଡିକାଲ କାମ ପଡିଗଲେ ଗାଁ ଲୋକଙ୍କୁ ଘଣ୍ଟି ବଜାଇ ତୁରନ୍ତ ଏକାଠି ହେବାକୁ ସୂଚନା ଦିଆଯାଏ । ଆଉ ଗାଁ ଲୋକେ ଏହି ଘଣ୍ଟି ଶବ୍ଦ ଶୁଣି ଗାଁର ପ୍ରାର୍ଥନା ଗୃହ ସମ୍ମୁଖରେ ଏକାଠି ହୁଅନ୍ତି ।
ତେବେ ସରକାର ଗାଁରେ ନେଟୱର୍କ ପହଞ୍ଚାଇବାକୁ କେତେ କଣ ସୁବିଧା ଏବଂ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସୁନ୍ଦରଗଡ ଭଳି ଏକ ବିକଶିତ ଜିଲ୍ଲାରେ ଗୋଟେ ଗାଁର ଲୋକେ ଘଣ୍ଟି ଭରସାରେ ହିଁ ଜୀବନ ବିତାଉଥିବା ଖବର ସରକାରଙ୍କ ପାରିବାପଣିଆ ପ୍ରତି ଏକ ଲଜ୍ଜାଜନକ ପ୍ରଶ୍ନ । ସରକାରୀ ସ୍ତରରେ ଏ ଗାଁ ପ୍ରତି ମୋବାଇଲ ନେଟୱର୍କର ସୁବିଧା କରାଯାଉ । ଆଉ ଏମାନଙ୍କୁ ଆଧୁନିକ ଯୁଗର ମଣିଷ ଭଳି ବଞ୍ଚିବାର ସୁଯୋଗଟେ ଦିଆଯାଉ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/9-3.jpg)
/kanak/media/post_attachments/wp-content/uploads/2023/11/vlcsnap-2023-11-02-16h55m45s965.jpg)
/kanak/media/post_attachments/wp-content/uploads/2023/11/vlcsnap-2023-11-02-16h59m21s405.jpg)