ବିଶ୍ୱାସ ନା ଅନ୍ଧବିଶ୍ୱାସ ! ମନ୍ଦିରରେ ପୂଜା ପାଆନ୍ତି ମା’ ଇଂରାଜୀଦେବୀ । ଭକ୍ତଙ୍କ ମତରେ ମା’ଙ୍କୁ ପ୍ରସନ୍ନ କଲେ ଅନର୍ଗଳ ଇଂରାଜୀ କହିବା ସହଜ ହୁଏ ।

43
ଆଜିକାଲି ଆମ ଦେଶରେ ଜଣେ ବ୍ୟକ୍ତିର ଦକ୍ଷତା ଏବଂ ତା’ର ଯୋଗ୍ୟତା ତାର ଇଂରାଜୀ ଜ୍ଞାନ ଆଧାରରେ ମପା ଯାଇଥାଏ । ଏପରି କି ପିତାମାତା ନିଜ ସନ୍ତାନକୁ ଭବିଷ୍ୟତରେ କୌଣସି ଅସୁବିଧା ନ ହେଉ ଏବଂ ସେ ସମାଜରେ ମୁଣ୍ଡ ଟେକି ଚାଲିପାରୁ ଏଥିପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପଠାଉଛନ୍ତି । ଏଭଳି ସ୍ଥିତିରେ ଏବେ ଉତ୍ତରପ୍ରଦେଶର ଲଖିମପୁର ଠାରେ ଏକ ଇଂରାଜୀ ଦେବୀଙ୍କ ମନ୍ଦିର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ମାନ୍ୟତା ଅନୁଯାୟୀ, ସେହି ମନ୍ଦିରରେ ପୂଜା କରିବା ପରେ ଲୋକଙ୍କୁ ଇଂରାଜୀ କହିବା, ବୁଝିବା ଏବଂ ଲେଖିବାରେ ସହଜ ହୋଇଥାଏ । ଏଠାରେ ଉପସ୍ଥିତ ଇଂରାଜୀ ଦେବୀଙ୍କ ପ୍ରତିମା ବିଲକୁଲ ବିଦେଶୀ ମହିଳାଙ୍କ ଭଳି ଦେଖା ଯାଇଥାଏ । ଆସନ୍ତୁ ଜାଣିବା ଏହି ଭିନ୍ନ ମନ୍ଦିରର ଗୁରୁତ୍ୱ ସଂପର୍କରେ ।ଉତ୍ତରପ୍ରଦେଶରେ ଥିବା ଇଂରାଜୀ ଦେବୀଙ୍କ ମନ୍ଦିରରେ ୨୦ କିଲୋଗ୍ରାମ ସଜନ ବିଶିଷ୍ଟ ଏକ ମୂର୍ତ୍ତି ରହିଛି। ଦେବୀଙ୍କ ମୂର୍ତ୍ତି ଦେଖିବାକୁ ବିଲକୁଲ ‘ଷ୍ଟାଚୁ ଅଫ ଲିବର୍ଟି ‘ସଦୃଶ । ଏଠାରେ ଦେବୀ ଗୋଟିଏ ହାତରେ ବହି ଏବଂ ଅନ୍ୟ ହାତରେ କଲମ ଧରି ଠିଆ ହୋଇଥିବାର ଦେଖାଯାଇଥାନ୍ତି । ଏହି ଦେବୀଙ୍କ ପ୍ରତିମାର ତଳ ଅଂଶରେ ଏକ ଧର୍ମ ଚକ୍ର ଚିହ୍ନ କରାଯାଇଛି। ଇଂରାଜୀ ଦେବୀଙ୍କ ଏହି ମନ୍ଦିରକୁ ୨୦୧୦ ମସିହାରେ ସ୍ଥାପନ କରାଯାଇଥିଲା । ଏହାକୁ ସେହି ଅଞ୍ଚଳର ଜଣେ ଦଳିତ ନେତା ସ୍ଥାପନ କରିଥିଲେ ।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ , ବାବା ସାହେବ ଭୀମ ରାଓ ଆମ୍ବେଦକର ଇଂରାଜୀ ଭାଷା ଉପରେ ଅଧିକ ଧ୍ୟାନ ଦେଉଥିଲେ । ଇଂରାଜୀ ଭାଷା ଦ୍ୱାରା ଲୋକଙ୍କର ଅନେକ ଉନ୍ନତି ହୋଇଥାଏ ବୋଲି କହିଥିଲେ । ଏଣୁ ସେ ସେହି ଅଞ୍ଚଳରେ ଇଂରାଜୀ ଦେବୀଙ୍କ ମନ୍ଦିର ସ୍ଥାପନ କରିଥିଲେ । ବର୍ତ୍ତମାନର ଯୁଗରେ ଇଂରାଜୀ ଭାଷାର ଜ୍ଞାନ ନିହାତି ଜରୁରୀ ହୋଇପଡ଼ିଛି । ପାଖଆଖ ଗ୍ରାମ ସହ ସ୍ଥାନୀୟବାସୀ ନିଜ ସନ୍ତାନକୁ ବିଦ୍ୟାଳୟରେ ଭର୍ତ୍ତି କରିବା ପୂର୍ବରୁ ଏହି ଗ୍ରାମକୁ ଆଣିଥାନ୍ତି । ଏହା ସହ ଉତ୍ତମ ଇଂରାଜୀ ଜ୍ଞାନ ପାଇଁ ଏହି ମନ୍ଦିରରେ ମାନସିକ ମଧ୍ୟ କରିଥାନ୍ତି ।