ଶୈବପୀଠ ପାଇଁ ବିପଦ ବଢାଉଛି କେଳୁଣୀ ମୁହାଁଣ । ବାଲି ବସ୍ତା ପକାଇ ଜୁଆର ଭଟ୍ଟାକୁ ଭାଙ୍ଗିବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମ

81

କନକ ବ୍ୟୁରୋ: ରାଜ୍ୟରେ ପ୍ରବାହିତ ହେଉଛି ସର୍ବ ପୁରାତନ ପ୍ରାଚୀ ନଦୀ । କୁହାଯାଏ ଗଙ୍ଗା ନଦୀ ଠାରୁ ପୁରାତନ ନଦୀ ହେଉଛି ପ୍ରାଚୀ ନଦୀ । ପ୍ରାଚୀ ନଦୀର ଅବବାହିକାରେ ଅନେକ ମଠ ଏବଂ ମନ୍ଦିର ଗଢି ଉଠିଛି ,ସେଥିମଧ୍ୟରୁ ଏକାଦଶ ମାଧବ ଏବଂ ଦ୍ଵାଦଶ ଶମ୍ଭୂ ପୀଠ ଏହି ନଦୀ ଅବବାହିକାରେ ଦେଖିବାକୁ ମିଳିଥାଏ । କେଳୁଣୀ ମୁହାଣ ନିକଟରେ ରହିଥିବା ସର୍ବ ପ୍ରାଚୀନ ଶୈବପୀଠ ବେଲେଶ୍ଵର ଶୈବପୀଠ ।

ପ୍ରାଚୀ, ଦେବୀ ଏବଂ କାଦୁଆ ନଦୀର ସଂଗମ ସ୍ଥଳୀ କେଳୁଣୀ ମୁହାଣ ତ୍ରିକୋଣ ଭୂମିରେ ରହିଛି ବେଲେଶ୍ଵର ଶୈବପୀଠ । ଶ୍ରଦ୍ଧାଳୁମାନେ ଜୁଆର ଭଟ୍ଟା ସମୟରେ ଡଙ୍ଗା ପାରି ହୋଇ ଆସିଥାନ୍ତି ଏବଂ ଜୁଆର ଛାଡିଯିବା ପରେ ନଦୀର ପଠାରେ ଚାଲିଚାଲି ଯାଇଥାନ୍ତି । ଏଠିକାର ପ୍ରାକୃତିକ ସୌନ୍ଦର୍ୟ୍ୟ ଶ୍ରଦ୍ଧାଳୁଙ୍କୁ ଏଠାକୁ ବାରମ୍ବାର ଆସିବାକୁ ଆକର୍ଷିତ କରିଥାଏ । ସମୁଦ୍ର, ପ୍ରାଚୀ ,ଦେବୀ ଏବଂ କାଦୁଆ ନଦୀର ସଙ୍ଗମର ଦୃଶ୍ୟ ଶୈବପୀଠଟିକୁ ସ୍ୱତନ୍ତ୍ର ଭାବେ ଚିତ୍ରଣ କରିଛି । ହେଲେ ବେଲେଶ୍ୱର ପୀଠ ପାଇଁ କାଳ ସାଜିଛି କେଲୁଣୀ ମୁହାଣ ଓ ପ୍ରାଚୀ ନଦୀର ମୁହାଣ ଧାର । ହେଲେ ନଦୀର ପ୍ରଖର ସ୍ରୋତ ଶୈବପୀଠର ବାଲିବନ୍ତକୁ କ୍ଷୟ କରିଚାଲିଛି, ଫଳରେ ଶୈବପୀଠ ପରିସରରେ ରହିଥିବା ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି ।

ପ୍ରାଚୀ ନଦୀ ଏବଂ ଦେବୀ ନଦୀର ସଙ୍ଗମ ସ୍ଥଳରେ କେଳୁଣୀ ମୁହାଣରୁ ଆସୁଥିବା ଜୁଆର ଏବଂ ଭଟ୍ଟାର ସ୍ରୋତ ଦିନକୁ ଦିନ ବେଲେଶ୍ଵର ମନ୍ଦିରକୁ ନିଜଗର୍ଭରେ ଲୀନ କରିବାକୁ ଯେମିତି ପ୍ରତିଯୋଗିତା କରୁଛନ୍ତି । ନଦୀ ଠାରୁ ମାତ୍ର କେତେ ଫୁଟ ଦୂରରେ ରହିଛି ମନ୍ଦିର । ବେଲେଶ୍ଵର ଶୈବପୀଠକୁ ସୌନ୍ଦର୍ୟ୍ୟକରଣ ପାଇଁ ୫-ଟି ପକ୍ଷରୁ ୯ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବାବେଳେ ଏହିପୀଠଟି ଏବେ ମୁହାଣ ମୁହଁରେ ନିଶ୍ଚିହ୍ନ ହେବାକୁ ବସିଛି । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଅଧିବାସୀ ।

ତେବେ ମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନିକ ସହାୟତା ଏଠାରେ ସାତସପନ ହେବା ପରେ ଏହି ପୀଠକୁ ସୁରକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି କୋରଣା ପଞ୍ଚାୟତର ନଟରା ,କରାଳ ,ବଡଗୋଲା ,ବେଳଙ୍ଗ, କେଉଟଜଙ୍ଗା, ରାଇବେରୁହାଁ ,ରାଇକଣା ସାତଟି ଗ୍ରାମର ଗ୍ରାମବାସୀ । ଶତାଧିକ ଗ୍ରାମବାସୀ ପାଞ୍ଚହଜାର ବାଲିବସ୍ଥା ଏହି ନଦୀରେ ପକାଇ ଏକ ବନ୍ଧ ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ନଦୀର ସ୍ରୋତ ସେମାନଙ୍କ ପାଇଁ ଦାଉ ସାଜୁଛି ,ନଦୀରେ ପଡୁଥିବା ବାଲିବସ୍ତାକୁ ନଦୀର ସ୍ରୋତ ଭସାଇ ନେଇଯାଉଛି ।