ସଙ୍କଟରେ ବୈତରଣୀ ନଦୀ, ଶୁଖିଲା ପଡିଛି ଲୋକଙ୍କ ଜୀବନରେଖା ।

102

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳୁଛି । କେବଳ ଏହା ତାପମାନ ବୃଦ୍ଧି କିମ୍ବା ସୁନାମୀ, ଭୂମିକମ୍ପରେ ସୀମିତ ନାହିଁ । ଏଥିପାଇଁ ଆମେ ନିଜେ ଦାୟୀ । ତେବେ ବର୍ତ୍ତମାନ ଆଉ ଗୋଟିଏ ବଡ ସମସ୍ୟା ଉତ୍ପନ୍ନ ହୋଇଛି । ଧିରେ ଧିରେ ବିଭିନ୍ନ ନଦୀର ଜଳସ୍ତର ହ୍ରାସ ପାଉଛି । ବର୍ଷା ଦିନେ ଜଳସ୍ତର ବୃଦ୍ଧି ହେବା ସହ ଲୋକଙ୍କ ପାଇଁ ଚିନ୍ତା ସୃଷ୍ଟି ହେଉଥିବା ବେଳେ ଅନ୍ୟ ସମୟରେ ନଦୀ ଶୁଖିଲା ପଡୁଛି । ପୂର୍ବରୁ ଏଭଳି ସ୍ଥିତି ଦେଖା ଦେଉନଥିଲା କିନ୍ତୁ ବର୍ତ୍ତମାନ ଏହିସ୍ଥିତି ଉତ୍ପନ୍ନ ହୋଇଛି ।

ଆମ ରାଜ୍ୟର ବିିଭିନ୍ନ ନଦୀର ମଧ୍ୟ ସମାନ ଅବସ୍ଥା ରହିଛି । ଆମ ସାମାଜିକ ଓ ଧାର୍ମିକ ଭାବାବେଗ ସହ ଜଡିତ ବୈତରଣୀ ନଦୀ ଉପରେବର୍ତ୍ତମାନ ବିପଦ ମାଡି ଆସୁଛି । ବର୍ଷା ଦିନେ କୂଳ ଉଛୁଳୁଛି, କିନ୍ତୁ ବର୍ଷା ୪ ମାସ ପରେ ଶୁଖିଲା ପଡୁୁଛି ବୈତରଣୀ ନଦୀ । ଚାଷ କାମ କଥା ଛାଡନ୍ତୁ ପିଇବା ପାଇଁ ପାଣିର ସମସ୍ୟା ସୃଷ୍ଟି ହେଉଛି । କେନ୍ଦୁଝର ୯୦ ପ୍ରତିଶତ ଲୋକ ବୈତରଣୀ ଉପରେ ନିର୍ଭରଶୀଳ । ଖଣି ଓ ଶିଳ୍ପ ପାଇଁ ବୈତରଣୀ ବିପଦରେ ପଡିଥିବା ବେଳେ ଏବେ ଏକାଧିକ କମ୍ପାନୀ ପାଣି ନେବାକୁ ପାଇପ ବିଛାଉଛନ୍ତି । ଖଣିର ବର୍ଜ୍ୟବସ୍ତୁରେ ନଦୀଶଯ୍ୟା ପୋତି ହୋଇଯାଉଛି । ଏହାକୁ ବିରୋଧ କରି ବୈତରଣୀ ବଞ୍ଚାଅ ମଞ୍ଚପକ୍ଷରୁ ବୈତରଣୀ ପାଇଁ ଜନ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଛି ।

କେବଳ କେନ୍ଦୁଝର ନୁହେଁ ଯାଜପୁର, ଭଦ୍ରକ, ମୟୂରଭଞ୍ଜର ଅଧିକାଂଶ ଅଞ୍ଚଳ ବୈତରଣୀ ଉପରେ ନିର୍ଭର କରନ୍ତି । କେନ୍ଦୁଝର ଯୋଡା ଅଞ୍ଚଳରେ କାନପୁର ବୃହତ ଜଳ ପ୍ରକଳ୍ପର ପାଣିକୁ ଚାଷୀଙ୍କୁ ଦେବାକୁ ଦାବି ହେଉଛି । ଏପଟେ ରାଜ୍ୟର ବିଭିନ୍ନ ନଦୀର ସୁରକ୍ଷା ପାଇଁ ନଦୀ ସୁରକ୍ଷା ସମିତିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ନଦୀ ଶୁଷ୍କ ଓ ପ୍ରଦୂଷିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । କଳକାରଖାନ ଓ ଶିଳ୍ପ ପ୍ରତିଷ୍ଠାନ ଅନୁମତି ଠାରୁ ଅଧିକ ପାଣି ଶୋଷି ନେଉଥିବାରୁ ରାଜ୍ୟର ପ୍ରମୁଖ ନଦୀଗୁଡିକ ଏବେ ବିପଦରେ ପଡିଥିବା ଅଭିଯୋଗ ହୋଇଛି ।
ତେବେ ସମୟ ଆସିଛି ଆମ ନଦୀକୁ ବଞ୍ଚାଇବାକୁ ହେବ । ନଦୀ ନବଞ୍ଚିଲେ ଆମ ଦୈନନ୍ଦିନ ଜୀବନ ଠିକ ଭାବେ ଚାଲିପାରିବ ନାହିଁ । ଆମ ଉତ୍ତର ପିଢି ମଧ୍ୟ ଅନେକ ସମସ୍ୟା ଦେଇ ଗତି କରିବେ । ତେବେ ଆସନ୍ତୁ ଆମ ପୁରୁଣା ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରିବା । ପୁନଶ୍ଚ ପୃଥିବୀ ଗଢିବାର ସଙ୍କଳ୍ପ ନେବା ।