ଗଜପତି ଗୁମ୍ମାରେ ଜନପ୍ରତିନିଧି ମାଗୁଛନ୍ତି ସହାୟତା । ବର୍ଷାରେ ଘର ଭାଙ୍ଗି ଯିବା ପରେ ରୋଷେଇ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୱାର୍ଡ ମେମ୍ବର
କନକ ବ୍ୟୁରୋ : ବର୍ଷା ହେଲା ମୁଣ୍ଡ ଉପରେ ଥିବା ଭରସାର ଛାତଟି ଭାଙ୍ଗିଗଲା । ଲଗାଣ ବର୍ଷାରେ ଘରର ୯୦ ପ୍ରତିଶତ ଭାଙ୍ଗି ଯିବା ପରେ ରୋଷେଇ ଘରେ ରନ୍ଧାବଢା ଠାରୁ ଶୁଆବସା ସବୁ କରୁଛନ୍ତି ଜଣେ ନିର୍ବାଚିତ ଜନପ୍ରତିନିଧି । ମୁଣ୍ଡ ଗୁଂଜିବାକୁ ଘରଟିଏ ନଥିବାରୁ ସାହାଯ୍ୟ ନିମନ୍ତେ ଅଫିସରୁ ଅଫିସ ଦୌଡୁଥିଲେ ବି କେହି ଶୁଣୁନାହାନ୍ତି । ବର୍ଷା ଯୋଗୁଁ ବାସହରା ହୋଇ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି ଗଜପତି ଗୁମ୍ମା ବ୍ଲକ ଉଖୁରା ପଂଚାୟତର ୱାର୍ଡ ମେମ୍ବର ବାବିଲା ଭୁୟାଁ ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତ କିଛି ଦିନ ହେବ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇଛି । ବର୍ଷା ଯୋଗୁଁ ବାବିଲାଙ୍କ ଘରର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଘର ଭାଙ୍ଗିଯାଇଥିବା ବେଳେ ଏବେ ସେ ରୋଷେଇ ଘର ମୁଣ୍ଡ ଗୁଂଜଛନ୍ତି । ସରକାରୀ ସ୍ତରରେ ବାବିଲାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଅଂଚଳବାସୀ । ସେପଟେ ଗୁମ୍ମା ବିଡିଓ କହିଛନ୍ତି, ସ୍ଥାନୀୟ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି, ଖୁବ୍ ଶୀଘ୍ର ବାବିଲାଙ୍କୁ ସହାଯ୍ୟ ଯୋଗାଇ ଦିଆଯିବ ।
ଆଦିବାସୀ ଅଧ୍ୟୁଷିତ ପାହାଡିଆ ବ୍ଲକ ଗୁମ୍ମା ଅଂଚଳରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ କେତେବେଳେ ପାହାଡରୁ ପଥର ଅତଡା ଖସୁଛି ତ ପୁଣି କେତେବେଳେ କଚ୍ଚା ଘର ଭାଙ୍ଗି ଯାଉଛି । ସେହି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଦୁର୍ଦଶା ଭୋଗୁଛନ୍ତି ଏହି ମହିଳା ।