ସାମ୍ନାକୁ ଆସୁଛି କରୋନାକୁ ନେଇ ଚୀନର ଚାଲାକି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମକୁ ଉହାନ ଯିବାକୁ ବାଟ ଛାଡୁନି ବେଜିଂ ।

240

କନକ ବ୍ୟୁରୋ : କରୋନାର ଉତ୍ପତି ସ୍ଥଳ ବିଷୟରେ ଜାଣିବା ପାଇଁ ବେଜିଂରେ ଓହ୍ଲାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ । ଅନ୍ତିମ ପର୍ଯ୍ୟାୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥଳକୁ ଯିବାକୁ ବାରଣ କରିଛି ଚୀନ୍ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଧାହୋନମ୍ ଟେଡ୍ରୋସ୍ । ଟେଡ୍ରୋସ୍ କହିଛନ୍ତି ତଦନ୍ତ ସମ୍ପର୍କରେ ଚାଇନା ସହିତ ସମସ୍ତ କଥାବାର୍ତା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ଟିମ୍ ବେଜିଂ ଗସ୍ତ କରିଥିଲା । ହେଲେ ଅନ୍ତିମ ସମୟରେ ବେଜିଂ ତଦନ୍ତକାରୀ ଟିମର ରାସ୍ତା ଅବରୋଧ କରିଛି ।

ଉହାନରେ କରୋନା ଭୂତାଣୁର ଉତ୍ପତି ସ୍ଥଳ ବୁଲି ଦେଖିବ ହୁ ର ୧୦ ଜଣିଆ ଟିମ୍ । ଏବେ ସେହି ସ୍ଥାନକୁ ଯିବାକୁ ବିଶେଷଜ୍ଞ ଟିମକୁ ଅନୁମତି ଦେଉନି ଚୀନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ୨୦୧୯ ଡିସେମ୍ୱରରେ ଚୀନରୁ ଠାବ ହୋଇଥିଲା କରୋନା ଭୂତାଣୁ।

ଚୀନରୁ କରୋନା ଭୂତାଣୁ ଠାବ ହେବା ପରେ ବିଶ୍ୱର ଅନ୍ୟ ଦେଶକୁ ବ୍ୟାପିଥିଲା ସଂକ୍ରମଣ । ଏହି ସଂକ୍ରମଣରେ ସାରା ବିଶ୍ୱରେ ଏହା ମଧ୍ୟରେ ୧.୮ ମିଲିୟନ୍ ଲୋକଙ୍କ ଜୀବନ ଗଲାଣି । ଭାଇରସକୁ ଆମେରିକା ଚାଇନା ଭାଇରସ୍ ବୋଲି ମଧ୍ୟ କହି ସାରିଛି । ଅଷ୍ଟ୍ରେଲିଆ, ଜାପାନ ଭଳି ଦେଶ ମଧ୍ୟ କରୋନା ଭୂତାଣୁକୁ ନେଇ ଚୀନକୁ ଦାୟୀ କରିଛନ୍ତି । କରୋନା ଭୂତାଣୁର ଉତ୍ପତି ନେଇ ଚୀନ ଉପରେ ରହିଛି ସାରା ବିଶ୍ୱର ସନ୍ଦେହ ।

ଗୋଟିଏ ମାସରୁ ଅଧିକ ସମୟ ଧରି ଏନେଇ ଚୀନ ସହିତ ବିଚାରବିମର୍ଷ କରିଥିଲା ହୁ । ଏହା ପରେ ଉହାନରେ ହୁ ଟିମ୍ କୁ ଅନୁଧ୍ୟାନ ପାଇଁ ସହମତି ଦେଇଥିଲା ଚୀନ । ଶେଷ ସମୟରେ ଏପରି ବାରଣ ପରେ ଉଠୁଛି ଅନେକ ପ୍ରଶ୍ନ । ଏ ସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଆଧାହୋନମ୍ ଟେଡ୍ରୋସ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି ୧୦ ଜଣିଆ ଟିମରୁ ୨ ଜଣ ହିଁ ଯାତ୍ରା ଆରମ୍ଭ କରିଛନ୍ତି । ବାକି ସଦସ୍ୟଙ୍କୁ ଯିବାକୁ ଦେଉନାହାନ୍ତି ଚୀନ୍ ଅଧିକାରୀ । ଏନେଇ ସେ ଚୀନର ବରିଷ୍ଠ ଅଧିକାରୀଙ୍କ ସହିତ ସଂପର୍କରେ ଅଛନ୍ତି । ଏହି ମିଶନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ।

୨୦୧୯ ଡିସେମ୍ୱରରେ ଚୀନର ଉହାନ ସହରରୁ ପ୍ରଥମେ ବ୍ୟାପିଥିଲା କରୋନା ଭୂତାଣୁ । ମାଛ ବଜାରରୁ ଆସିଥିବା ଏହି ଭୂତାଣୁ ପରେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି । ଏବେ ବି ସାରା ବିଶ୍ୱ କରୋନା ସଂକ୍ରମଣରେ ସନ୍ତୁଳି ହେଉଥିବା ବେଳେ , ଏହାକୁ ନେଇ ଅଧିକ ଗବେଷଣାକୁ ଚୀନର ବିରୋଧ ସୃଷ୍ଟି କରୁଛି ପ୍ରଶ୍ନବାଚୀ ।