କନକ ବ୍ୟୁରୋ: ଦୁଃଖଦ, ଦାରୁଣ, ଛାତିଥରା, ଲୁହଭିଜା, ଆଉ ଭାବଭରା ଏ ପରିବେଶ । ପ୍ରତି ଆଖିରେ ଲୁହ, ପ୍ରତି ଛାତିରେ କୋହ । ମାଆ କାନ୍ଦୁଛି, ଗାଁ କାନ୍ଦୁଛି, ମାଟି ବି କାନ୍ଦୁଛି... ସବୁ ଲୁହ କୋହ କାହା ପାଇଁ ଜାଣନ୍ତି, କେଉଁ ମଣିଷ ପାଇଁ ନୁହେଁ ବରଂ ଏ ଭଗବାନଙ୍କ ପାଇଁ । ପୂରା ଅଞ୍ଚଳରେ ଅଭିମାନ, ଅଭିଯୋଗ ଆଉ ଆବେଗତାର ଆକୁଳ ନିବେଦନ । ସବୁ କର ହେଲେ ପ୍ରଭୁଙ୍କୁ ବିସ୍ଥାପିତ କରନି । ଆମକୁ ପରେ ଥଇଥାନ କରିବ ଆଗେ କିନ୍ତୁ ଆମ ଆରାଧ୍ୟ ଦେବତାଙ୍କୁ ଥଇଥାନ କର...

Advertisment

ସେଦିନ ସିନା କଳାପାହାଡ ଭୟରେ ମହାପ୍ରଭୁଙ୍କୁ ତ୍ରିକୂଟ ପାହାଡରେ ୧୪୪ ବର୍ଷ ଯାଏଁ ପାତାଳି କରାଯାଇଥିଲା । ଆଜି କିନ୍ତୁ ପାଣି ପାଟିରୁ ପ୍ରଭୁଙ୍କୁ ରକ୍ଷା କରିବାକୁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଉଛନ୍ତି ତାଙ୍କ ପ୍ରିୟ ଭକ୍ତ । ସେଦିନ ଶଗଡି ଥିଲା ଆଜି କିନ୍ତୁ ନିଜ ଛାତିରେ ଜାକି, ନିଜ ହାତରେ ଧରି ଭଗବାନଙ୍କୁ ବୋହି ନେଉଛନ୍ତି ଭକ୍ତ ।

ଡ୍ୟାମରେ ପାଣି ବଢିଲାଣି, ଧିରେ ଧିରେ ଗାଁକୁ ମାଡିଲାଣି । ଗାଁ ନଛାଡିଲେ ଜଳ ଜୀବନ ନେଇଯିବ । ଘର ଦ୍ୱାର ବୁଡେଇ ଦେବ ତା ସହ ପ୍ରିୟ ଠାକୁରଙ୍କ ମନ୍ଦିର ବି ପାଣି ପାଟିରୁ ବର୍ତ୍ତିବନି । ଏମିତି ଏକ ଘଡିସନ୍ଧି ମୁୁହୂର୍ତ୍ତରେ କଣ କରିବେ ଲୋକେ ? ଗାଁକୁ ତ ଛାଡି ଯିବାକୁ ହେବ, ମନ୍ଦିରକୁ ବି ଛାଡି ବଞ୍ଚିବାକୁ ପଡିବ । କିନ୍ତୁ ଦିଅଁଙ୍କୁ ଛାଡି ବଞ୍ଚି ହେବନି, ଜଗନ୍ନାଥଙ୍କ ବିନା ଜୀବନର ମାନେ କିଛି ରହିବନି । ତେଣୁ ସେମାନେ ଯୁଆଡେ ଯିବେ, ତାଙ୍କ ଠାକୁରଙ୍କୁ ବି ସାଙ୍ଗରେ ନେଇଯିବେ । ବାସ୍ ବିଶ୍ୱନିଅନ୍ତାଙ୍କ ପାଇଁ ଏହି ନିଷ୍ପତ୍ତି ପରେ ଗାଁରେ ଭାବଭକ୍ତିର ପରିବେଶ । ଭଜନ କିର୍ତ୍ତନ, ଘଣ୍ଟଘଣ୍ଟାରେ ଭଗବାନଙ୍କୁ ଶୋଭାଯାତ୍ରା କରି ଥଇଥାନ କେନ୍ଦ୍ରର ଅସ୍ଥାୟୀ ମନ୍ଦିରକୁ ନେଲା ବେଳେ ସବୁରି ଆଖିରେ ଲୁହ, ସବୁରି ଛାତିରେ କୋହ ...

ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧୫ଟି ଗାଁ ବିସ୍ଥାପିତ ହୋଇଛି । ଆଉ ଡ୍ୟାମ କାମ ଶେଷ ପରେ ପାଣି ଗାଁକୁ ପଶୁଛି । ଯେଉଁଥିରେ ବୁଡିବାକୁ ବସିଛି ଗଡଶଙ୍କର ଡୁଙ୍ଗୁରିପାଲି ଗାଁ । ଲୋକେ ପ୍ରଭାବିତ ହେବା ଆଗରୁ ସରକାର ଓ ପ୍ରଶାସନ ସବୁ ସୁବିଧା କରିଛନ୍ତି । ଲୋକଙ୍କୁ ବିସ୍ଥାପନଠୁ ଥଇଥାନ, ସବୁ ସୁବିଧା ଯୋଗାଇଛନ୍ତି ସତ ହେଲେ ବିସ୍ଥାପନର ଦୁଃଖ କେତେ ଯେ ଭୟଙ୍କର, କେତେ ଯେ କଷ୍ଟକର ତାହା ଜଣେ ବିସ୍ଥାପିତ ଛଡା ଆଉ କେହି ବୁଝିପାରିବେନି । ଯେଉଁଠି ପିଲାବେଳ କଟିଛି, ଯେଉଁ ଧୂଳିମାଟିରେ ମଣିଷ ବଡ ହୋଇଛି, ସ୍ୱପ୍ନ ଦେଖିଛି । ସେହି ଭିଟାମାଟିକୁ ଛାଡିବାକୁ ପଡୁଛି । ମୋହରେ ପଡି ମାଟିକୁ ମୋର ମୋର କହୁଥିବା ମଣିଷକୁ ସେହି ମାଟି ହିଁ ପରିଶେଷରେ ପର କରିଦେଇଛି... ଓଃ କେଡେ ଯନ୍ତ୍ରଣାଦାୟକ ଏ କଥା ସବୁ ।

ଇତିହାସ ସାକ୍ଷୀ ଅଛି ପ୍ରତି ବିକାଶମୂଳକ କାମରେ ହିଁ ବିସ୍ଥାପନର ପ୍ରକ୍ରିୟା ଥାଏ । କିନ୍ତୁ ଏ ବିସ୍ଥାପନ ପ୍ରକ୍ରିୟାରେ ଖାଲି ମଣିଷ ନୁହେଁ ଭଗବାନ ବି ବିସ୍ଥାପିତ ହୋଇଛନ୍ତି... ଯାହା ଏକ ଦୁଃଖଦ ସ୍ମୃତି ହୋଇ ରହିଯିବ ସବୁଦିନ ପାଇଁ... ମଣିଷ ମନରେ, ଏ ମାଟିର ଛାତିରେ...