କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ପରେ ଜୋର ଧରିଛି ଚର୍ଚ୍ଚା, ନବୀନ ଅୁସୁସ୍ଥ ଥିବା ନେଇ କିଏ କରିଥିଲା ଗୁଜବ । ଏନେଇ କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଗୁଜବ ପଛରେ ଜଣେ ବର୍ତମାନର ସାଂସଦ ଓ ଆଉ ଜଣେ ପୂର୍ବତନ ସାଂସଦ ଅଛନ୍ତି । ତେବେ କିଏ ସେହି ଦୁଇ ରାଜନେତା ତାଙ୍କ ନାଁ ସ୍ପଷ୍ଟ କରି ନାହାଁନ୍ତି ବିଜେଡି ମୁଖପାତ୍ର ।

Advertisment

ପ୍ରଶ୍ନ ଉଠୁଛି ରାଜ୍ୟର ମୁଖ୍ୟଙ୍କ ବିରୋଧରେ ଯଦି କୌଣସି ବିରୋଧୀ ନେତା ଏଭଳି ଗୁଜବ ପ୍ରଚାର କରୁଛନ୍ତି, ତେବେ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଆଉ ସେମାନେ ଗୁଜବ କରିବା ପଛରେ କଣ ରହିଛି କାରଣ ? ଏଥିରୁ ସେମାନଙ୍କ କି ଫାଇଦା ମିଳୁଛି । ଗତକାଲି ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯାଇଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ କହିଥିଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ଖୁସି ଅଛନ୍ତି । ନିର୍ବାଚନ ସମୟ ଆସିଲେ ସ୍ୱାସ୍ଥ୍ୟକୁ ନେଇ ଏମିତି ଗୁଜବ କରାଯାଏ ।

ଗତ କିଛିଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସାରା ରାଜ୍ୟରେ ଗୁଜବ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବେ ବୋଲି ମଧ୍ୟ କୁହାଯାଉଥିଲା। ଦିନକୁ ଦିନ ଗୁଜବ ନିଆଁ ପରି ବ୍ୟାପିଯାଉଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରକୁ ବାହାରିଥିଲେ । ସିଧା ଯାଇଥିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ । ଅପରାହ୍ନ ପ୍ରାୟ ୫ଟା ୩୦ରେ ତାଙ୍କ କାର୍‌କେଡ୍‌ ଲିଙ୍ଗରାଜଙ୍କ ମନ୍ଦିର ସାମ୍ନାରେ ପହଞ୍ଚିଥିଲା । ମନ୍ଦିର ବାହାରେ ସେବାୟତମାନେ ଅପେକ୍ଷା କରିଥିଲେ ।

କିଛି ଦୂରରେ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ଦେଖିବାକୁ ଅପେକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ କାର୍‌ରୁ ଓହ୍ଲାଇ ସେବା‌ୟତମାନଙ୍କୁ ପ୍ରଣାମ ଜଣାଇ ମନ୍ଦିର ଭିତରକୁ ପଶିଥିଲେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରି ବାହାରକୁ ଆସିଥିଲେ । ଲୋକମାନଙ୍କ ଉଦ୍ଦେଶ୍ୟରେ ହାତ ହଲାଇ ଅଭିବାଦନ ଜଣାଇଥିଲେ । ତାହାପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଏକ ଡାଏସ୍‌ ନିକଟକୁ ଯାଇଥିଲେ । ମାତ୍ର ଦୁଇ ମିନିଟ୍‌ରେ ସେ ନିଜ ପ୍ରତିକ୍ରିୟା ରଖିଥିଲେ ।