ଝାଡଖଣ୍ଡ ନିର୍ବାଚନରୁ ଶିଖିଲା ବିଜେପି । ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ।

324

କନକ ବ୍ୟୁରୋ: ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବରେ ବିଜୟ ରୂପାଣୀଙ୍କ ଇସ୍ତଫା ଏବେ ଦେଶର ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । କାରଣ ଗତ ମେ ମାସରୁ ଏହା ମଧ୍ୟରେ ବିଜେପି ଶାସିତ ୪ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବାର ଦେଖିବାକୁ ମିଳିଲାଣି । ଏହାର କାରଣକୁ ଅନେକ ଝାଡଖଣ୍ଡ ନିର୍ବାଚନ ପରାଜୟରୁ ବିଜେପିର ଶିକ୍ଷା ବୋଲି ଆକଳନ କରୁଛନ୍ତି ।

୨୦୧୯ରେ ଲୋକସଭା ନିର୍ବାଚନରେ ବିଜେପିକୁ ମିଳିଥିଲା ବିପୁଳ ବିଜୟ । ଏହାର ୬ ମାସ ପରେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନକୁ ଆସିଲା ବିଜେପି । ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ବିଜେପି ହମନ୍ତ ସୋରେନଙ୍କଠୁ ବଡ ପରାଜୟ ବରଣ କଲା । ଭୋଟ୍ ଆଗରୁ ଝାଡଖଣ୍ଡରେ ସ୍ୱର ଉଠିଥିଲା, ମୁଖ୍ୟମନ୍ତ୍ରୀଙ୍କୁ ଗାଦିରୁ ହଟାଯାଉ । ବିଜେପି କ୍ଷମତା କରିଡରରେ ଥିବା ନେତା ଏଥିପ୍ରତି ଧ୍ୟାନ ଦେଇନଥିଲେ । ଶେଷରେ ଝାଡଖଣ୍ଡ ବିଜେପି ହାତରୁ ଖସିଗଲା । ବର୍ତ୍ତମାନ ଗୁଜରାଟରେ ସମାନ ଅବସ୍ଥା । କରୋନା ତଥା ଏହା ପରବର୍ତ୍ତୀ ବିଭିନ୍ନ କାରଣକୁ ନେଇ ଜନତାଙ୍କ ବିଶ୍ୱାସ ଭାଜନ ହୋଇ ପାରି ନଥିଲେ ବିିଜୟ ରୂପାଣୀ । ତେଣୁ କୌଣସି ସୁଯୋଗ ନନେଇ କେନ୍ଦ୍ର ବିଜେପି ରୂପାଣୀଙ୍କୁ ବଦଳାଇ ଦେଲେ । ତେବେ ଏବେ ଏହାକୁ ନେଇ ବିଜେପିକୁ ଘେରୁଛନ୍ତି ବିରୋଧୀ ।

  • ଗୁଜରାଟରେ ୨୦୨୨ରେ ବିଧାନସଭା ନିର୍ବାଚନ
  • ଆରଏସଏସ ସର୍ଭେ ରିପୋର୍ଟ, ଗୁଜରାଟରେ କମୁଛି ଲୋକପ୍ରିୟତା
  • ବିଜୟ ରୂପାଣୀଙ୍କୁ ମୁଖ୍ୟମନ୍ତ୍ରୀ ଚାହୁଁନାହାନ୍ତି ଜନତା
  • କରୋନା ମୁକାବିଲାକୁ ନେଇ ସମାଲୋଚିତ ହୋଇଥିଲେ ରୂପାନୀ

କେନ୍ଦ୍ର ବିଜେପି ନେତୃତ୍ୱ ଆଗାମୀ ବିଧାନସଭା ନିର୍ବାଚନ ଆଗରୁ ଗୁଜରାଟରେ ନୂଆ ମୁଖ୍ୟମନ୍ତ୍ରୀ ବାଛିଛନ୍ତି । ଆଉ ନୂଆ ଚେହେରା ଭାବେ ସାମ୍ନାକୁ ଆସିଛନ୍ତି ଭୂପେନ୍ଦ୍ର ପଟେଲ । ପ୍ରଥମ ଥର ବିଧାୟକ , ପେସାରେ ଜଣେ ବିଲଡର । ରୂପାଣୀଙ୍କ ପରେ ଏବେ ବିଜେପି ଭୂପେନ୍ଦ୍ରଙ୍କ ଉପରେ ଭରସା କରିଛି । ଭୋଟ୍ ଆଗରୁ ତ୍ରୁଟି ସୁଧାରୁଛି ବିଜେପି । ଭୋଟ୍ ବ୍ୟାଙ୍କକୁ ଅସନ୍ତୁଷ୍ଟ ନକରିବାକୁ ବିଜେପିର ଏହା ଏକ ବଡ ଚାଲ । ଗୁଜରାଟରେ ପଟିଦାର ଭୋଟ ହୋଇଥାଏ ନିର୍ଣ୍ଣାୟକ । ଯେଉଁ ରାଜନୈତିକ ଦଳ ଏହି ଭୋଟ୍ ହାତେଇବ ବିଜୟୀ ସେହି ଦଳ ହେବ । ଏହାରି ଭିତରେ ନୀତିନ ପଟେଲଙ୍କ ନାଁ ଚର୍ଚ୍ଚା ଭିତରେ ବିଜେପି ନୂଆ ଚେହେରା ଭୂପେନ୍ଦ୍ର ପଟେଲଙ୍କୁ ସାମ୍ନାକୁ ଆଣି ସମସ୍ତଙ୍କୁ ଚମକାଇ ଦେଇଛି ।