ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡରଙ୍କ ନିବେଦନ । କହିଲେ, ଆମର ଭବିଷ୍ୟତ ପାଇଁ ଭାରତ ମ୍ୟାଚ୍ ଖେଳିବାକୁ ଦକ୍ଷିଣ ଆଫ୍ରିକା ଆସୁ ।

493

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ଏବେ ଆଶଙ୍କାର କଳାବାଦଲ ଘୂରି ବୁଲୁଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଭାରତ ସିରିଜ ଖେଳିବ କି ନାହିଁ ତାହାକୁ ନେଇ ଏବେ ସସପେନ୍ସ ଲାଗି ରହିଛି । ଉଭୟ ବୋର୍ଡ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଏସବୁ ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ସ୍ଥଗିତ କରିଛି ନେଦରଲାଣ୍ଡସ । କିନ୍ତୁ ଏବେ ଭାରତ ଗସ୍ତ ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିଛି । କାରଣ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଟିମ୍ ଇଣ୍ଡିଆ ।

ଦକ୍ଷିଣ ଆଫ୍ରିକା ଗସ୍ତ କରି ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିଥାନ୍ତା । କିନ୍ତୁ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହି ସିରିଜକୁ ନେଇ ସସପେନ୍ସ ଲାଗି ରହିଛି । କିନ୍ତୁ ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଫରହାନ୍ ବେହାରଦିନ ଟ୍ୱିଟ୍ କରି ଏହି ସିରିଜ ରଦ୍ଦ ନ କରିବାକୁ ଟିମ୍ ଇଣ୍ଡିଆକୁ ନିବେଦନ କରିଛନ୍ତି । ଫରହାନ କହିଛନ୍ତି ଏହି ସିରିଜ ଦକ୍ଷିଣ ଆଫ୍ରିକାର ଆଗାମୀ ପିଢୀର କ୍ରିକେଟରଙ୍କ ପାଇଁ ନିହାତି ଜରୁରୀ । ହ୍ୟାସଟ୍ୟାଗ ଇଣ୍ଡିଆ ଲେଖି ନମସ୍କାର ଇମୋଜି ଦେଇଛନ୍ତି ଫରହାନ । ଆଉ ଫରହାନଙ୍କ ଏହି ଟ୍ୱିଟ୍ ହିଁ ଦର୍ଶାଉଛି ବାସ୍ତବରେ ଖେଳାଳୀଙ୍କ ପାଇଁ ଏହି ସିରିଜ୍ କେତେ ଗୁରୁତ୍ୱପୂର୍ଣ୍ଣ । ଆଗକୁ ସ୍ଥିତି ଦେଖି ସରକାରଙ୍କ ପରାମର୍ଶ କ୍ରମେ ସିରିଜ ବାବଦରେ ନିଷ୍ପତ୍ତି ନେଇପାରେ ବିସିସିଆଇ ।