କନକ ବ୍ୟୁରୋ: ଆଣ୍ଠୁଏ ପାଣିରେ ପଶି ଗାଁ ବୁଲିଲେ ବିଧାୟକ । ଲୋକଙ୍କ ସହ ଚାଲିଲେ ଆଉ ସମସ୍ୟା ବୁଝିଲେ । ଏବଂ ଶୀଘ୍ର ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଲେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ବେଗୁନିଆ ବ୍ଲକର ମଲ୍ଲୀପଦର ଗାଁରେ । ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ଗାଁ । ଘରେ ଲହଡ଼ା ଭାଙ୍ଗୁଛି ବର୍ଷା ପାଣି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ସୁଅ ଚାଲୁଛି । ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ମଲ୍ଲୀପଦର ଗାଁର ଲୋକେ । ଘରେ ପାଣି ପଶିଥିବାରୁ ସମସ୍ୟା ବଢ଼ିଛି । ରାତିରେ ସାପ ଭୟରେ ଶୋଇବା ମୁସ୍କିଲ ହୋଇପଡୁଛି । ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଏଭଳି ସମସ୍ୟା ଭୋଗୁଛନ୍ତି ଲୋକେ। ଏଭଳି ସ୍ଥିତିରେ ନିଜେ ଗାଁକୁ ଯାଇ ସ୍ଥିତି ପରଖିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ ସାହୁ ।