ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ୱର । ଭିଭିଆଇପି ଅଂଚଳରୁ ହଟାଯିବ ଭିକାରୀ । ଲାଗୁ କରିବାକୁ ଜିଲ୍ଳା ପ୍ରଶାସନକୁ ସରକାରଙ୍କ ନିର୍ଦ୍ଦେଶ

911

କନକ ବ୍ୟୁରୋ: ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ୱର । ଭିଭିଆଇପି ଅଂଚଳରୁ ଭିକାରୀଙ୍କୁ ହଟାଯିବ । ଏନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୨ଟି ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଭିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏବଂ ସହାୟ ଯୋଜନାରେ ଥଇଥାନ କରାଯିବ ବୋଲି ସରକାର କହିଛନ୍ତି ।

ଭିକାରୀ ମୁକ୍ତ ହେବ ଭୁବନେଶ୍ୱର ଓ ପୁରୀ । ଭିଭିଆଇପି ଅଂଚଳରୁ ହଟିବେ ଭିକାରୀ । ମଠ ଓ ଦୋକାନ ଘର ଉଚ୍ଛେଦ ପରେ ବି ପୁରୀରେ ମାଳ ମାଳ ଭିକାରୀ ବସି ଭିକ ମାଗୁଛନ୍ତି । ଗୋଟିଏ ପଟେ ଶ୍ରୀକ୍ଷେତ୍ରକୁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢି ତୋଳିବାକୁ ସରକାର ଉଦ୍ୟମ କରୁଥିବା ବେଳେ ବଡଦାଣ୍ଡରେ ଦେଖିବାକୁ ମିଳୁଛି ଭିକାରୀଙ୍କ ଭିଡ ।

ଖାଲି ପୁରୀ କାହିଁକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳେ ସମାନ ଚିତ୍ର । ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ପୁରୀ ଏବଂ ଭୁବନେଶ୍ୱରରକୁ ଭିକାରୀ ମୁକ୍ତ କରିବାକୁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ଭୁବନେଶ୍ୱରର ବିଭିନ୍ନ ସମ୍ବେଦନଶୀଳ ଅଂଚଳ ଯଥା ଏଜି ଛକ, ଏୟାରପୋର୍ଟ ଅଂଚଳ, ସଚିବାଳୟ ମାର୍ଗ ଓ ବିଭିନ୍ନ ଟ୍ରାଫିକରେ ବୁଲି ଭିକ ମାଗି ପାରିବେନି ଭିକାରୀ । ସେହିପରି ରାଜଧାନୀର ସର୍ବପୁରାତନ ଲିଙ୍ଗରାଜ ମନ୍ଦିର ଏବଂ ରାମ ମନ୍ଦିର ବାହାରେ ବସି ଆଉ ଭିକ ମାଗିପାରିବନେି ଭିକାରୀ । ସେହିପରି ଶ୍ରୀକ୍ଷେତ୍ର ପୁରୀ ବଡ ଦାଣ୍ଡରେ ଆଉ ଭିକ୍ଷାବୃତି କରିପାରିବେନି ଭିକାରୀ । ଏନେଇ ସରକାରଙ୍କ ପକ୍ଷରୁ ୨ଟି ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ।

ଭିକାରୀଙ୍କୁ ମିଳିବ ଆର୍ଥିକ ସହାୟତା । ସହାୟ ଯୋଜନାରେ ଥଇଥାନ କରାଯିବ । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତର ଅନୁସାରେ ରାଜ୍ୟରେ ୬୩୯୦ ଜଣ ଭିକାରୀ ଅଂଛନ୍ତି । ସେଥିମଧ୍ୟରୁ ୨୮୮୬ ଜଣ ଭିକାରୀଙ୍କୁ ସହାୟ ଯୋଜନାରେ ଥଇଥାନ କରାଯାଇଛି ।