ଆଗରେ ଭିକ୍ଷାଥାଳ,ହାତରେ ମୋବାଇଲ…ସକାଳୁ ଜୁସ୍ ନପିଇଲେ ଦିନ ଭଲରେ କଟୁନି…ଚର୍ଚ୍ଚାରେ ଅନୁଗୁଳର ହାଇ ଫାଇ ଭିକାରୀ…କିଏ ସଉକରେ କୁକୁର ପାଳିଛି ତ ପୁଣି କିଏ କଥା କଥାରେ ମୁହଁକୁ ଫିଙ୍ଗି ଦେଉଛି ଟଙ୍କା

3,040

କନକ ବ୍ୟୁରୋ: ହାଇଟେକ୍ ଭିକାରିଙ୍କ କଥା ଆପଣ କୌଣସି କମେଡି ସୋ କିମ୍ବା ସିନେମାରେ ନିଶ୍ଚୟ ଦେଖିଥିବେ । ଯେଉଁଥିରେ ଲୋକଙ୍କୁ ହସାଇବା ପାଇଁ ହାସ୍ୟ ଅଭିନେତା କେତେବେଳେ ସ୍ମାର୍ଟଫୋନ ଧରି ତ ପୁଣି କେତେବେଳେ ହାତରେ ପିଓଏସ ମେସିନ ଧରି ଭିକ୍ଷାବୃତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ସେହିଭଳି କିଛି ଭିଡିଓ ସରକାରୀ ଯୋଜନାକୁ ଉପହାସ କରି ଏଭଳି ହାଇଟେକ୍ ଭିକାରିଙ୍କ କଥା ଭିଡିଓ ଜରିଆରେ ଉପସ୍ଥାପନ କରାଯାଉଥିବା ମଧ୍ୟ ନଜରକୁ ଆସିଛି । ହେଲେ ଆଜି ଆମେ ଆପଣଙ୍କୁ ହାଇଟେକ୍ ଭିକ୍ଷାବୃତିର ଏକ ବାସ୍ତବ ଦୃଶ୍ୟ ଦେଖାଇବୁ ଯାହା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ ।

ଅନୁଗୁଳର ହାଏ ଫାଏ ଭିକାରି । ଧରୁଛନ୍ତି ଦାମୀ ଫୋନ, ସଉକରେ ପାଳୁଛନ୍ତି କୁକୁର । ସକାଳୁ ସକାଳୁ ଚା’, ଜୁସ୍, ଆଇସକ୍ରିମ୍ ଖାଇବା ସହ ବଂଚୁଛନ୍ତି ଏକ ବିଳାସପୂର୍ଣ୍ଣ ଜୀବନ । କେବଳ ଏତିକି ନୁହେଁ କଥା କଥାରେ ଟଙ୍କା ଫୋପାଡି ପତିଆରା ଦେଖାଉଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ତେବେ ଭିକ୍ଷାବୃତିକୁ କୌଳିକ ବୃତି ଭାବରେ ଗ୍ରହଣ କରିନେଇଛନ୍ତି ଅନୁଗୁଳ ଭିକାରି । ନିକଟରେ ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସିଥିଲେ ରାଜ୍ୟ ସାମାଜିକ ନିରାପତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା । ଏହି ଅବସରରେ ବିଭାଗୀୟ ସଚିବ ପୁରୀ ସମେତ ଭୁବନେଶ୍ୱର ଏବଂ ଅନୁଗୁଳ ଜିଲ୍ଲାରେ ଥିବା ଭିକାରୀଙ୍କୁ ଥଇଥାନ କରିବା ସହ ସେମାନଙ୍କର ମାଗଣାରେ ରହିବା ଏବଂ ଖାଇବାର ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ତେବେ ଭିକାରୀଙ୍କ ଖବର ସଂଗ୍ରହ କରିବା ସମୟରେ ଏମାନଙ୍କ ଜୀବନ ଶୈଳୀ ଅତି ଆଶ୍ଚର୍ଯ୍ୟନ୍ୱିତ ଥିଲା । ଦୀର୍ଘ ୧୦ ଦିନ ଧରି ଲଗାତାର ଭାବରେ ଆମ ପ୍ରତିନିଧି ଏମାନଙ୍କ ଗତିବିଧି ଉପରେ ନଜର ରଖିବା ପରେ ସାମ୍ନାକୁ ଆସିଥିଲା ଏହି ହାଏ ଫାଏ ଭିକାରୀଙ୍କ ବିଳାସପୂର୍ଣ୍ଣ ଜୀବନ ଶୈଳୀ ।

ପୂରା ସହର ସାରା ବୁଲି ଭିକ୍ଷାବୃତି କରିବା ସହ ଏହାକୁ ଯେମିତି କୌଳିକ ବୃତି ଭାବରେ ବାଛି ନେଇଛନ୍ତି ସେମାନେ । ଆଉ ଏହି ଭିକ୍ଷାବୃତି କରୁଥିବା ଲୋକଙ୍କ ଚାଲିଚଳଣୀ ଦେଖିଲେ ଆପଣ ପୂରା ଅବାକ୍ ହୋଇଯିବେ । ସକାଳୁ ସକାଳୁ ଚା ବାଲା ଆସି ଚା ଦେଇଯାଉଛି । ଜୁସ୍ ଏବଂ ଆଇସକ୍ରିମ ଖାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ପାଖରେ ମୋବାଇଲ ଫୋନ ମଧ୍ୟ ରହିଛି । ଆଉ ସଉକ ପାଇଁ ଦେଶୀ କୁକୁର ପାଳିବା ସହ ତାଙ୍କ ତାଙ୍କ ଭିତରେ ଝଗଡା ହେଲେ କଥା କଥାରେ ମୁହଁକୁ ଟଙ୍କା ପିଙ୍ଗିଦେଉଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ସତରେ ଅସହାୟ ଭାବି ଏମାନଙ୍କ ପ୍ରତି ଲୋକଙ୍କ ମନରେ ଦୟାଭାବ ସୃଷ୍ଟି ହେଉଥିବା ବେଳେ ଏମାନଙ୍କ ଏଭଳି ରୂପ ଦେଖିଲେ ଯେକେହି ବି ଚକିତ ହୋଇଯିବେ ।