ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମକୁ ରିଲାକ୍ସ । ଭିନ୍ନ ତରିକାରେ ଚାଲିଛି ଟିମ୍ ଇଣ୍ଡିଆର ପ୍ରସ୍ତୁତି, ପ୍ରତିଯୋଗିତା ପୂର୍ବରୁ ପରିବାର ସହ ସମୟ ଅତିବାହିତ କରୁଛନ୍ତି ଖେଳାଳି ।

261

କନକ ବ୍ୟୁରୋ: ଆଉ ମାତ୍ର କେଇ ଦିନର ଅପେକ୍ଷା ଆରମ୍ଭ ହେବ ପୁରୁଷ ବିଶ୍ୱକପ୍ କ୍ରିକେଟ୍ ମହାକୁମ୍ଭ । ମେ’ ୩୦ରୁ କମ୍ପିବ ପଡ଼ିଆ ଆଉ ଆରମ୍ଭ ହେବ ଟାଇଟେଲ୍ ପାଇଁ ଲଢ଼େଇ । ତେବେ ଏହି ବିଶ୍ୱକପ୍ ତାଜ୍ ପିନ୍ଧିବା ପାଇଁ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତି କରୁଥିବାବେଳେ ଭାରତୀୟ ଦଳ କିନ୍ତୁ ପ୍ରତିଯୋଗିତା ପାଇଁ ଭିନ୍ନ ତରିକାରେ ପ୍ରସ୍ତୁତି ଚଳାଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ଭାରତୀୟ କ୍ରିକେଟ୍ ଟିମକୁ କିଛି ଟୁର୍ଣ୍ଣାମେଣ୍ଟ ପୂର୍ବରୁ କ୍ରିକେଟ୍ ଦୁନିଆରୁ ଦୂରର ରହିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ବିଶ୍ୱକପ୍ ପାଇଁ ଭାରତୀୟ ଟିମରେ ସ୍ଥାନ ପାଇଥିବା ସମସ୍ତ ଖେଳାଳୀ ଦୀର୍ଘ ଦେଢ଼ ମାସ ଧରି ଆଇପିଏଲ ପ୍ରତିଯୋଗିତାରେ ଖେଳୁଥିଲେ । ଯାହା କି ଗତ ୧୨ ତାରିଖରେ ଶେଷ ହୋଇଛି । ତେଣୁ ମେ’ ୩୦ ତାରିଖରେ ହେବାକୁଥିବା କ୍ରିକେଟ୍ ଜଗତର ସବୁଠାରୁ ମର୍ଯ୍ୟାଦାପୂର୍ଣ୍ଣ ଟାଇଟେଲ୍ ପାଇଁ ଦଳର ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି । ଏପରିକି ଖେଳାଳୀମାନଙ୍କୁ ୟୋ-ୟୋ ଟେଷ୍ଟରୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଯାହାଦ୍ୱାରା ସେମାନେ ଉଭୟ ମାନସିକ ଓ ଶାରୀରିକ ସସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ରହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଭାରତୀୟ ଟିମରେ ବିଶ୍ୱକପ୍ ପାଇଁ ଚୟନ ହୋଇଥିବା ଖେଳାଳୀଙ୍କୁ ଆସନ୍ତା ୨୧ରେ ମୁମ୍ବାଇ ଠାରେ ପହଁଚିବା ପୂର୍ବରୁ ଆରାମ କରିବାକୁ କୁହାଯାଇଛି । ସେମାନେ ୨୨ ତାରିଖରେ ଲଣ୍ଡନ ଗସ୍ତ କରିବେ । ଏହା ପୂର୍ବରୁ ଖେଳାଳି ମାନଙ୍କୁ ଅଭ୍ୟାସରୁ ବିଶ୍ରାମ ଦେଇ ସେମାନଙ୍କୁ ମାନସିକ ସ୍ତରରେ ସତେଜ୍ ରଖଇ ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବାକୁ ପରାମର୍ଶ ଦେଇଛନ୍ତି ଟିମ୍ ମ୍ୟାନେଜମେଣ୍ଟ । ଯେଉଁଥି ପାଇଁ ଭାରତୀୟ ଟିମର ଷ୍ଟାର ଖେଳାଳୀମାନେ ନିଜ ପରିବାର ଲୋକଙ୍କ ସହ ଏବେ ଭିନ୍ନ ଭିନ୍ନ ତରିକାରେ ସମୟ ବିତାଉଥିବା ଦେଖିବାକୁ ମିଳିଛି ।