କନକ ବ୍ୟୁରୋ: ଝିଅ ବାହାଘର ପାଇଁ ଚିତା ଲେଖା ସରିଛି । ସୁନ ଗହଣା କିଣା ସରିଛି । ବିଧବା ମାଆ, ଝିଅ-ଜ୍ୱାଇଁଙ୍କୁ ଦେବା ପାଇଁ ସୁନା ଗହଣ କିଣି ଘରେ ରଖିଥିଲେ । ପ୍ରାୟ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା ହେଲେ ବାହାଘର ପୂର୍ବରୁ ଘରେ କଳାକନା ବୁଲାଇ ଦେଲା ଲୁଟେରା । ସୁନା ଗହଣା ଲୁଟ୍ ହୋଇଯିବା ପରେ ଅଟକିଗଲା ବାହାଘର ଅନୁକୂଳ । ପାହାନ୍ତିଆରେ ଘରେ ସମସ୍ତେ ଶୋଇଥିବା ବେଳେ ଲୁଟ୍ ହୋଇଛି । ଲୁଟେରା ଜଣଙ୍କ ଘରେ ପଶି ଆଲମାରୀରୁ ୨୦ ଭରି ସୁନା ସହ ନଗଦ ୩ ଲକ୍ଷ ଟଙ୍କା ନେଇ ଯାଇଛି ଲୁଟେରା । ଘର ବାହାରେ ଲାଗିଥିବା ସିସିଟିଭିରେ ଲୁଟେରାର ଦୃଶ୍ୟ କଏଦ ହୋଇଛି । ଲୁଟେରା ଜଣଙ୍କ ସବୁ ସୁନା ଗହଣାକୁ ଏକ ଜରିରେ ଭର୍ତି କରି ନେଇଯାଇଛି । ଲୁଟେରା ଦୌଡି ପଳାଉଥିବା ବେଳେ କୁକୁର ତାକୁ ଗୋଡାଉଛି । ତିନି ଜଣ ଯୁବତୀ ମଧ୍ୟ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ଲୁଟେରା ସୁନା ଗହଣା ନେଇ ଚମ୍ପଟ ମାରିଛି ।

Advertisment

ଜୟପୁର ସହରରେ ଏବେ ଚୋରୀ ବଢିଛି । ସପ୍ତାହକ ମଧ୍ୟରେ ୨ଟି ବଡ଼ ଚୋରୀ ଏବେ ସମସ୍ତଙ୍କ ଚିନ୍ତା ବଡ଼ାଇଛି । ଏଥର ଚୋରୀର ଶିକାର ହୋଇଛନ୍ତି ଜଣେ ବିଧବା ମାଆ । ରାତି ପାହିଲେ ଝିଅ ବାହାଘର ପାଇଁ ଅନୁକୁଳ ହୋଇଥାନ୍ତା । ଝିଅ ଉତରପ୍ରଦେଶର କାନପୁରକୁ ବୋହୂ ହୋଇଯାଇଥାନ୍ତା । ସେଥିପାଇଁ ସବୁ ବନ୍ଦୋବସ୍ତ କରିଥିଲେ ମାଆ । ବାପା ଆରପାରିକୁ ଚାଲିଯାଇଥିବା ବେଳେ ସାହି ପଡ଼ୋଶୀଙ୍କ ସହାୟତାରେ ଝିଅ ବାହାଘର ପ୍ରସ୍ତୁତି କରୁଥିଲେ । ଘରେ କେହି ରୋଜଗାରିଆ ନଥିବାରୁ ଝିଅ ନିଜେ ଟିଉସନ କରି ଟଙ୍କା ସୁନା ସଞ୍ଚୟ କରିଥିଲା । ଦିନକ ପରେ ବିବାହ ଅନୁକୂଳ ହେବ ବୋଲି ଘରକୁ ବନ୍ଧୁବାନ୍ଧବ ଆସିଥିଲେ । ହେଲେ ପାହାନ୍ତିଆ ସମୟରେ ଜଣେ ଦୁର୍ବୁତ୍ତ ଘରେ ପଶି କଳାକନା ବୁଲାଇଦେଲା । ମାଆ ଫୁଲ ଆଣିବା ପାଇଁ ବାହାରକୁ ଯାଇଥିବା ବେଳେ ଦୁର୍ବୁତ୍ତ ଘରେ ପଶିଯାଇଥିଲା । ଆଲମାରିରେ ଥିବା ଲକର ସବୁ ସୁନା ଗହଣା ଓ ନଗଦ ୩ ଲକ୍ଷ ଟଙ୍କା ନେଇଯାଇଛି ଲୁଟେରା । ଲୁଟ୍ ପରେ ବିବାହ ଶୁଭ ପଡିବା କାମ ଅଟକି ଯାଇଛି । ମାଆ ଝିଅ ଜୟପୁର ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଓ ସାଇଂଟିଫିକ ଟିମ ଏହି ଲୁଟ୍ ଘଟଣାର ତଦନ୍ତ କରୁଛି ।