ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟଯାତ୍ରା: ମଣିପୁରରୁ ମୁମ୍ବାଇ, ୬ହଜାର କିଲୋମିଟରରୁ ଅଧିକ ଯାତ୍ରା କରିବେ ରାହୁଲ

54

କନକ ବ୍ୟୁରୋ: ଦୀର୍ଘ ଦିନ ପରେ ପୁଣି ମଇଦାନକୁ ଓହ୍ଳାଇଛନ୍ତି ରାହୁଲ ଗାନ୍ଧୀ । ଭାରତ ଯୋଡ଼ ଯାତ୍ରାର ପ୍ରଭାବୀ ସଫଳତା ପରେ ଏବେ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ । ଦୀର୍ଘ ସମୟ ଧରି ମହିଳା ନିର୍ଯାତନାକୁ ନେଇ ବିବାଦରେ ରହିଥିବା ମଣିପୁରରୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ସେପଟେ ଏହି ଯାତ୍ରାକୁ ସଫଳ କରିବା ପାଇଁ ଜୟ ଜୟକାରର ନାରା ଦେଇ ଦିଲ୍ଲୀରୁ ବିମାନ ଯୋଗେ ନେତା ମଣିପୁରରେ ପହଂଚିଛନ୍ତି ।

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ମଣିପୁରରୁ ଆରମ୍ଭ ହୋଇଛି ‘ଭାରତ ଯୋଡ ନ୍ୟାୟ ଯାତ୍ରା’ । ମଣିପୁରର ଥୈବଲ ଜିଲ୍ଲାରୁ ଏହାର ଶୁଭାରମ୍ଭ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ରାହୁଲ ଗାନ୍ଧିଙ୍କ ସହ କଂଗ୍ରେସର ପ୍ରାୟ ୭୦ଜଣ ବରିଷ୍ଠ ନେତା ମଣିପୁର ଆସିଥିଲେ । ମଣିପୁରରୁ ମୁମ୍ବାଇ ଯାଏଁ ଏହି ନ୍ୟାୟ ଯାତ୍ରାରେ ସାମିଲ ହେବେ ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତା । ଯାତ୍ରାର ଶୁଭାରମ୍ଭ କରି ମଲ୍ଲିକାର୍ଜୁନ କହିଥିଲେ, ଭାରତୀୟ ନାଗରିକଙ୍କୁ ସାମାଜିକ ଓ ରାଜନୈତିକ ନ୍ୟାୟ ଦେବା ପାଇଁ ଏହି ଯାତ୍ରା କରାଯାଉଛି । ଆଉ ନିଜ ଭାଷଣରେ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ ।

ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୬.୭୧୩ କିଲୋମିଟର ଅତିକ୍ରମ କରି ୨୦ ମାର୍ଚ୍ଚରେ ମୁମ୍ବାଇରେ ସରିବ । ଏହି ସମୟରେ ରାହୁଲ ଗାନ୍ଧି ବରିଷ୍ଠ ନେତାଙ୍କ ସହ ବସରେ ଯାତ୍ରା କରିବେ । କିଛି ପ୍ରମୁଖ ସ୍ଥାନରେ ପଦ ଯାତ୍ରା ବି ହେବ । ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ୧୫ ରାଜ୍ୟ ଦେଇ ଅତିକ୍ରମ କରିବ ।

-୬୭ ଦିନରେ ୧୧୦ ଜିଲ୍ଲା ଅତିକ୍ରମ କରିବେ ରାହୁଲ ଗାନ୍ଧି
-୩୫୫ ଲୋକସଭା କ୍ଷେତ୍ରରେ ହେବ ଭାରତ ଯୋଡୋ ନ୍ୟାୟ ଯାତ୍ରା
-ଏହା ଦେଶର ମୋଟ ଲୋକସଭା ଆସନର ୬୫% ଆସନ
-୨୦୧୯ରେ ୩୫୫ ଆସନରୁ ବିଜେପିକୁ ମିଳିଥିଲା ୨୩୬ ଆସନ
-ମାତ୍ର ୧୪ ଆସନରେ କଂଗ୍ରେସ ବିଜୟୀ ହୋଇଥିଲା
-ଓଡିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଏହି ଯାତ୍ରା ହେବ
– ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସ ପରାଜିତ ହୋଇଛି

ଏହି ଯାତ୍ରାରେ ଦଳକୁ ଫାଇଦା ମିଳିବ ବୋଲି କଂଗ୍ରେସ ଆଶା ରଖିଛି । ରାଜ୍ୟ କଂଗ୍ରେସ ବି ଉତ୍ସାହିତ ଅଛି । ରାଜ୍ୟର ୪ ଜିଲ୍ଲାରେ ହେବ ରାହୁଲଙ୍କ ନ୍ୟାୟ ଯାତ୍ରା । ତେବେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା’ର କିଛି ପ୍ରଭାବ ପଡବିନି ବୋଲି କହିଛନ୍ତି ବିଜେପି ଓ ବିଜେଡି ।

ରାହୁଲ ଗାନ୍ଧି ଏଥର କଂଗ୍ରେସ ଦୁର୍ବର୍ଳ ଥିବା ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପଦଯାତ୍ରା କରିବେ । ଉତରପ୍ରଦେଶରେ ମୋଦିଙ୍କ ନିର୍ବାଚନ କ୍ଷେତ୍ର ବାରଣାସୀ, ରାୟ ବରେଲି, ପ୍ରୟାଗରାଜ ଓ ଆମେଥି ବି ଯିବ ନ୍ୟାୟ ଯାତ୍ରା । ପ୍ରଶ୍ନ ଉଠୁଛି, ଦୁର୍ବଳ ହୋଇପଡୁଥିବା କଂଗ୍ରେସ ପାଇଁ ସଂଜିବନୀ ହେବ କି ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’