ଓଡ଼ିଶାରେ ମାଓ ଦମନ ନେଇ ସାର୍ଟିଫିକେଟ୍ ଦେଇଥିଲେ ଗୃହମନ୍ତ୍ରୀ । ଆଜି ମୋଦି କଲେ ସମାଲୋଚନା, ସତ କହୁଛି କିଏ ?

150

କନକ ବ୍ୟୁରୋ: ଓଡ଼ିଶା ନିର୍ବାଚନୀ ମୈଦାନକୁ ଓହ୍ଲାଇ କୋରାପୁଟର ଜୟପୁର ସଭାରେ ଶାସକ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏବଂ ଯେଉଁ ସବୁ ଅଭିଯୋଗ ରାଜ୍ୟ ସରକାରଙ୍କ ଉପରେ ଲାଗାଛନ୍ତି ତାହା ମଧ୍ୟରୁ ମାଓ ଦମନ ପ୍ରସଙ୍ଗ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ମାଓ ଦମନ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରଶଂସାର ସୁଅ ଛୁଟୁଥିବାବେଳେ କେଉଁ ଆଧାରରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଗତବର୍ଷ ବଲାଙ୍ଗୀରର ଡୁଡୁକାମାଲ୍ ଓ କନ୍ଧମାଳର ସୁଡୁରୁକୁମ୍ପା ଠାରେ ହୋଇଥିବା ୪ଟି ବଡ଼ ମାଓ ଅପରେସନରେ ୭ଟି ଲାଲ୍ ମୁଣ୍ଡ ଗଡ଼ିଥିଲା । ଯାହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ ଯୋଗେ କଥା ହୋଇ ଅପରେସନ ପ୍ରଶଂସାରେ ସତମୁଖ ହୋଇଥିଲେ। କିନ୍ତୁ ଏହି ଘଟଣାକୁ ବର୍ଷେ ନପୁରୁଣୁ ମାଓ ଦମନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ବୋଲି ଟ୍ୟାଗ ଦେଇ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ ନେଇ ସାଧାରଣ ଜନତାଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି । କାରଣ ଗୋଟିଏ ପଟେ ମାଓ ଦମନ କ୍ଷେତ୍ରରେ ଖୋଦ୍ ମୋଦିଙ୍କ ଗୃହ ମନ୍ତ୍ରଣାଳୟ ପ୍ରଶଂସା କରୁଥିବାବେଳେ ଏବେ ମୋଦି କହୁଛନ୍ତି କି ଯେଉଁ ସରକାର ମାଓ ଦମନ କ୍ଷେତ୍ରରେ ବିଫଳ ସେଭଳି ସରକାର ରାଜ୍ୟବାସୀଙ୍କୁ କ’ଣ ସୁରକ୍ଷା ଦେବ ବୋଲି କହି ସମାଲୋଚନା କରୁଛନ୍ତି । ଯାହା କି ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ବିବୃତି ନେଇ ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଚଳିତ ୨୦୧୯ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ମୋଦି ଏଭଳି କଡ଼ ଲେଉଟାଇଲା ଭଳି ମନ୍ତବ୍ୟ ରଖୁଛନ୍ତି । ଏପରିକି ଭୋଟରଙ୍କୁ ଆକୃଷ୍ଟ କରି ବିଜେଡି ବିରୋଧରେ ଥିବା ଜନସମର୍ଥନକୁ ହ୍ରାସ କରିବାକୁ ଗୋଟିଚାଳନା କରୁଛନ୍ତି ମୋଦି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ରାଜନୀତି ଦୁନିଆରେ କିଏ ଯେ କେତେବେଳେ ଏଣ୍ଡୁଅ ଭଳି ରଙ୍ଗ ବଦଳାଇବା ତାହା ଆକଳନ କରିବା ସାଧାରଣ ଜନତାଙ୍କ ମଧ୍ୟରେ ଟିକେ କାଠିକର ପାଠ । ବିଭିନ୍ନ ସମୟରେ ବିଭିନ୍ନ ଦଳର ଶୀର୍ଷନେତାମାନେ ନିଜର ଆଭିମୂଖ୍ୟ ସମୟ ହିସାବରେ ବଦଳାଇଥାନ୍ତି । ତେବେ ଗୋଟିଏ ପଟେ ପ୍ରଶଂସା ଅନ୍ୟପଟେ ସମାଲୋଚନା କରିବା ତାହା ପୁଣି ନିର୍ବାଚନୀ ଘଡ଼ିସନ୍ଧି ମୁହୂର୍ତ୍ତରେ ଯାହା ଜନତାଙ୍କ ଦ୍ୱନ୍ଦକୁ ଦ୍ୱିଗୁଣିତ କରିଛି ।