ଦୁଇଦିନ ପରେ ଛାତ୍ର ସଂସଦ ନୋମିନେସନ ! ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ! ଅଶାନ୍ତ କ୍ୟାମ୍ପସ

29

କନକ ବ୍ୟୁରୋ : ଦୁଇଦିନ ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନୋମିନେସନ । କ୍ୟାମ୍ପସ ଯେତିକି ଚଳଚଞ୍ଚଳ, ସେତିକି ଅଶାନ୍ତ । ହେଲେ ଏବେ ଠାରୁ କ୍ୟାମ୍ପସରେ ବାରି ହେଲାଣି ନିର୍ବାଚନି ଉଷ୍ମତା । ବିଭିନ୍ନ ଛାତ୍ର ସଂଗଠନମାନଙ୍କ ମଧ୍ୟରେ ଛକାପଞ୍ଝା ମଧ୍ୟ ଆରମ୍ଭ ହୋଇଗଲାଣି । ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଓ ଜଗତସିଂହପୁରରେ ସରଗରମ ହୋଇଛି କ୍ୟାମ୍ପସ ପଲିଟିକ୍ସ ।

ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ , ସରକାରୀ ମହିଳା ମହାବିଦ୍ୟାଳୟ କ୍ୟାମ୍ପସ ଛାତ୍ର ସଂସଦ ନିର୍ବାଚନ ପାଇଁ କମ୍ପୁଛି । ଆଶାୟୀ ପ୍ରାର୍ଥୀ ହୋର୍ଡିଂ ଓ ବ୍ୟାନର ଲଗାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି । କଲେଜରେ ଆଇନ ଶୃଙ୍ଖଳା ପରିସ୍ଥିତକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି । ସେହିପରି ବ୍ରହ୍ମପୁରର ବିଭିନ୍ନ କଲେଜରେ କ୍ୟାମ୍ପନିଂ ଯୋରସୋରରେ ଚାଲିଛି ।

ଛାତ୍ରଛାତ୍ରୀ ସୋସିଆଲ ମିଡିଆରେ ମଧ୍ୟ କ୍ୟାମ୍ପେନିଂ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ଜଗତସିଂହପୁର ଜିଲ୍ଲା ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉଷ୍ଣ ହୋଇଛି କ୍ୟାମ୍ପସ ପଲିଟିକ୍ସ । ବିଜେଡି ସମର୍ଥିତ ପାର୍ଥୀ ତାଲିକା ଘୋଷଣା କରିବା ପରେ ଜୋରଦାର ପ୍ରଚାର ଆରମ୍ଭ କରିଛି । ଅନ୍ୟପଟେ ଏହି ପକ୍ରିୟାରେ ପଛରେ ପଡିଯାଇଛି କଂଗ୍ରେସ ଓ ଏବିଭିପି । ଆଉ ଦିନ ପରେ ନାମାଙ୍କନ ପ୍ରକ୍ରିୟା ଥିବା ବେଳେ ସମର୍ଥନ ଯୋଗାଡରେ ଲାଗିଛନ୍ତି ପ୍ରାର୍ଥୀ ।

ଅଶାନ୍ତ ବାଣୀବିହାର ଓ ଏନସି କଲେଜ :

ନିର୍ବାଚନୀ ଉଷ୍ଣତା ଭିତରେ ପୁଣିଥରେ ସାମ୍ନାକୁ ଆସିଛି ଉକ୍ରଳ ବିଶ୍ୱ ବିଦ୍ୟାଳୟ । ଅଶାନ୍ତ ହୋଇଛି କ୍ୟାମ୍ପସ । ଭିସି ଅଫିସ ଘେରିଛନ୍ତି ଛାତ୍ର କଂଗ୍ରେସ ଓ ଏବିଭିପି ନେତା । ଗତକାଲି କ୍ୟାମ୍ପସ ଭିତରେ ଜଣେ ଅଣଛାତ୍ର ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିଲେ । ଆହତ ଛାତ୍ରୀଙ୍କୁ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏବିଭିପି ସମର୍ଥିତ ପ୍ରାର୍ଥୀ ଏନେଇ ସହିଦନଗର ଥାନରେ ଅଭିଯୋଗ କରିଥିଲେ ।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଛାତ୍ର କଂଗ୍ରେସ ଓ ଏବିଭିପି ସଦସ୍ୟ ଭିସି ଅଫିସ ଘେରାଉ କରିଛନ୍ତିି । ଗତକାଲି ଛାତ୍ର ବିଜେଡିର ସଭାପିତ ପ୍ରାର୍ଥୀ ସୌମ୍ୟରଂଜନ ମହାପାତ୍ରଙ୍କୁ ଅନ୍ୟ କେତେଜଣ ଅଣଛାତ୍ର ଓ ଛାତ୍ର ଆକ୍ରମଣ କରିଥିଲେ ।

ସେହିଭଳି ଯାଜପୁର ନରସିଂହ ଚୌଧୁରି ମହାବିଦ୍ୟାଳୟରେ ମଧ୍ୟ ଦେଖାଦେଇଛି ନିର୍ବାଚନୀ ହିଂସା । ଏବିଭିପି ଓ ବିଜୁ ଛାତ୍ର ଜନତା ଦଳର ସମର୍ଥୀତ ଦୁଇ ଛାତ୍ର ଗୋଷ୍ଠୀ ମୁହ୍ରାଁମୁହିଁ ହୋଇଛନ୍ତି । ଫଳରେ ଗତ କିଛି ହେବ କଲେଜରେ ଅଶାନ୍ତିର ବାତବରଣ ସୃଷ୍ଟି ହୋଇଥିବାରୁ ପାଠପଢ଼ା ଠପ୍ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ସମର୍ଥକମାନେ କଲେଜରେ ବ୍ୟାପକ ଭଂଗାରୁଜା କରିଥିବା ଅଭିଯୋଗ ହୋଇଛି ।

ବାରମ୍ବାର କଲେଜରେ ଛାତ୍ର ଗୋଷ୍ଠୀ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଥିବାରୁ ଏନସି କଲେଜ କର୍ତୁପକ୍ଷ ପୋଲିସର ସହାୟତା ଲୋଡିଛନ୍ତି । ଏବେ କ୍ୟାମ୍ପସରେ ପୋଲିସ ମୁତୟନ ହୋଇଛନ୍ତି । ଅଧ୍ୟାପକଙ୍କୁ ଦୁର୍ବ୍ୟବହାର କରିଥିବା କିଛି ଛାତ୍ରଙ୍କ ବିରୋଧରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।