ଇତିହାସ ରଚିବା ଦିଗରେ ଆଗେଇ ଚାଲିଛି ଇସ୍ରୋ ! ଗଗନଯାନ ମିଶନରେ ପଶୁ ବଦଳରେ ପ୍ରଥମେ ରୋବର୍ଟ ଯିବେ ମହାକାଶ । 

130

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ମିଶନ ଗଗନୟାନକୁ ସଫଳ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ୨୦୨୧ ଡିସେମ୍ବର ସୁଦ୍ଧା ଭାରତର ଗଗନୟାନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ  । ଏହାସହ ଭାରତର ମହାକାଶଚାରୀ ପ୍ରେରଣ କରିବା ସ୍ୱପ୍ନ ସାକାର ହେବା କୁହାଯାଉଛି  । ତେବେ ଏହି ଅଭିଯାନର ପରୀକ୍ଷଣ ପାଇଁ କୌଣସି ପଶୁ ବଦଳରେ ରୋବଟକୁ ପଠାଯିବା ଇସ୍ରୋ ଅଧ୍ୟକ୍ଷ କେ. ଶିଭାନ୍ କହିଛନ୍ତି  । ସେପଟେ ଜାନୁଆରୀ ୨୪ରେ ମହାକାଶ ଯିବ ପ୍ରଥମ ଷ୍ଟୁଡେଂଟ୍ ସାଟେଲାଇଟ୍ କଲାମସାଟ୍  ।

ପଶୁଙ୍କୁ ନେଇ ଗଗନଯାନ ପ୍ରକଳ୍ପର ହେବନି ପରୀକ୍ଷଣ । ପଶୁ ବଦଳରେ ପ୍ରଥମେ ରୋବଟ୍ ଯିବେ ମହାକାଶ । ୨୦୨୧ ଡିସେମ୍ବର ସୁଦ୍ଧା ସାକାର୍ ହେବ ଭାରତର ଗଗନଯାନ ସ୍ୱପ୍ନ  । ତେବେ ଏହା ପୂର୍ବରୁ ଦୁଇଥର କରାଯିବ ପରୀକ୍ଷଣ  । କିନ୍ତୁ ପରୀକ୍ଷାମୂଳକଭାବେ କରାଯାଉଥିବା ଅଭିଯାନରେ କୌଣସି ପଶୁ ମହାକାଶ ଯିବେ ନାହିଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି  । ବରଂ ପରୀକ୍ଷଣରେ ମାନବୀୟ କ୍ଷମତାଯୁକ୍ତ ରୋବଟ୍ ବା ହ୍ୟୁମାନଏଡଙ୍କୁ ମହାକାଶକୁ ପ୍ରେରଣ କରାଯିବ  । ଏନେଇ ମଣିଷ ପରି ଅବିକଳ ରୋବଟ୍ ଇସ୍ରୋ ବିକଶିତ କରିସାରିଛି ଓ ମହାକାଶଚାରୀଙ୍କୁ ସଫଳ ଭାବେ ପୃଥିବୀକୁ ଫେରାଇଆଣିବାକୁ ସ୍ୱତନ୍ତ୍ର ରୋବଟଗୁଡ଼ିକ ପ୍ରଥମେ ପରୀକ୍ଷାମୂଳକ ଭାବେ ଇସ୍ରୋର ଗଗନଯାନ ଅଭିଯାନରେ ସାମିଲ୍ ହେବେ  ।

ଦେଖିବା କ’ଣ ରହିବ ଗଗନଯାନ ଅଭିଯାନରେ ରୋବଟର ଭୂମିକା ?

– ମଣିଷ ଯେପରି କାମ କରେ ରୋବଟ୍ ଗୁଡ଼ିକ ଠିକ ସେଭଳି ଅଭିଯାନରେ କାମ କରିବେ  ।

– ଗଗନଯାନ ଅଭିଯାନ ପାଇଁ ୧୦ ପ୍ରକାର ପରୀକ୍ଷଣ କରାଯିବ  ।

– ମହାକାଶଚାରୀଙ୍କୁ ସୁରକ୍ଷିତ ଭାବେ ଫେରାଇଆଣିବାକୁ ଗୁରୁତ୍ୱ ଦିଆଯିବ  ।

– ୩ ସଦସ୍ୟ ବିଶିଷ୍ଟ ମହାକାଶଚାରୀ ଦଳ ମହାକାଶରେ ଅତି କମରେ ୭ ଦିନ ରହିବେ  ।

– ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା ଆବଂଟିତ ହୋଇସାରିଛି  ।

– ୨୦୨୦ ଡିସେମ୍ବରରେ ପ୍ରଥମ ଓ ୨୦୨୧ ଜୁଲାଇରେ ଦ୍ୱିତୀୟ ଅଭିଯାନ ହେବ  ।

୨୦୨୧ ଡିସେମ୍ବର ସୁଦ୍ଧା ମହାକାଶକୁ ମଣିଷ ପଠାଇବ ଭାରତ । ସ୍ୱାଧୀନତାର ୭୫ବର୍ଷ ପୂର୍ତି ବେଳକୁ ମହାକାଶରେ ହାତରେ ତ୍ରିରଙ୍ଗା ଧରି ପହଂଚି ସାରିଥିବେ ଭାରତୀୟ ମହାକାଶଚାରୀ । ମହାକାଶକୁ ମାନବ ପ୍ରେରଣ ପାଇଁ ପ୍ରସ୍ତୁତିକୁ ଜୋରଦାର୍ କରିଛି ଇସ୍ରୋ  । ୨୦୨୧ ଡିସେମ୍ବର ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ପ୍ରେରଣ ସହ ଇତିହାସ ରଚିବା ଲକ୍ଷ୍ୟରେ ଆଗେଇଚାଲିଛି ଇସ୍ରୋ  ।