୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ କ୍ୟାବିନେଟ୍ ମନ୍ତ୍ରୀ ଲଖ୍ମା କୱାସୀଙ୍କ ଭାଗ୍ୟ ପରୀକ୍ଷା

102

କନକ ବ୍ୟୁରୋ : ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୦ ଟି ଆସନ ପାଇଁ ଚାଲିଛି ଭୋଟିଂ । ମୋଟ୍ ୭ଟି ଜିଲ୍ଲାରେ ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ରହିଛି । ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ୍ ସମେତ ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦାନ-ଗଣ୍ଡାଇରେ ମତଦାନ ଚାଲିଛି । ମୋହଲା-ମାନପୁର, ଅନ୍ତଗଡ଼, ଭାନୁପ୍ରତାପପୁର, କାଙ୍କେର, ଦାନ୍ତେୱାଡା, ବିଜାପୁର ପରି ୧୦ଟି ଆସନରେ ସକାଳ ୭ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ । ସେହିପରି ଅନ୍ୟ ୧୦ଟି ଆସନରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ ୨୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ ନେତା ମଇଦାନକୁ ଓହ୍ଳାଇଛନ୍ତି । ରାଜନନ୍ଦ ଗାଓଁରୁ ରମଣ ସିଂହ ଓ କୋଂଟା ବିଧାନସଭା ଆସନରୁ ବହୁଚର୍ଚ୍ଚିତ ଆଦିବାସୀ ନେତା ଲଖମା କୱାସୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଲଖମା କୱାସୀ ୫ ଥର ଲଗାତର ଭାବେ କୋଂଟା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବା ବେଳେ ଚଳିତ ସରକାରରେ ଲଖମା କୱାସୀ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ଚଳିତ ଥର ଲଖମା କୱାସୀଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ସ୍ୱୟମ ମୁକ୍କା ଓ ସିପିଆଇଏମ ପ୍ରାର୍ଥୀ ମନିଷ କୁଂଜାମ । ଏହି ତ୍ରିକୋଣିୟ ଲଢ଼େଇରେ କିନ୍ତୁ ଲଖମା ବିଜୟୀ ହେବେ ବୋଲି କହିଛନ୍ତି ।

ସେହିପରି ମିଜୋରାମରେ ମଧ୍ୟ ବିଧାନସଭା ନିର୍ବାଚନ ଚାଲିଛି । ସମସ୍ତ ୪୦ ଯାକ ଆସନ ପାଇଁ ମତଦାନ ହେଉଛି । ନିର୍ବାଚନ ପାଇଁ ମିଜୋରାମ ବୋର୍ଡର ଲାଗିଥିବା ମିଆଁମାର ଏବଂ ବାଙ୍ଗଲାଦେଶ ସୀମାକୁ ପୁରା ସିଲ କରାଯାଇଛି । ମିଜୋରାମ୍ରେ ମିଜୋ ନ୍ୟାସନାଲ ଫ୍ରଂଟ ଏବେ କ୍ଷମତାରେ ରହିଛି । ଦଳର ନେତା ଜୋରାମଥାଙ୍ଗା ମୁଖ୍ୟମନ୍ତ୍ରୀ ରହିଛନ୍ତି । ୨୦୧୮ରେ ଦଳ ୪୦ଟି ଆସନରୁ ୨୮ଟି ଆସନ ଜିତିଥିଲା । ଏଠାରେ ଶାସକ ଏମ୍ଏନ୍ଏଫ୍, ବିରୋଧୀ ମିଜୋରାମ୍ ପିପୁଲ୍ସ ମୁଭମେଂଟ ଓ କଂଗ୍ରେସ ସମସ୍ତ ୪୦ଟି ଯାକ ଆସନରେ ପ୍ରାର୍ଥୀ ଦେଇଛନ୍ତି । ବିଜେପି ୨୩ଟି ଓ ଆପ୍ ୪ଟି ଆସନରେ ପ୍ରାର୍ଥୀ ଛିଡା କରାଇଛି ।