କନକ ବ୍ୟୁରୋ : ରାଜଧାନୀରେ ଏବେ ଦିନକୁ ୩୦୦ରୁ ୩୫୦ଜଣ କରୋନା ଆକ୍ରାନ୍ତ ବାହାରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧,୫୨୬ଜଣ ଆକ୍ରାନ୍ତ ହୋଇସାରିଲେଣି। ଗଳିକନ୍ଦିରେ କରୋନା ଆକ୍ରାନ୍ତ ଛାଇଗଲେଣି। ଯାହାକୁ କରୋନା ହେଉଛି, ତା’ର ପୂରା ପରିବାର କରୋନା କବଳରେ ପଡ଼ୁଛନ୍ତି। ଏପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ସରକାରୀ ହିସାବରେ ରାଜଧାନୀରେ ଦିନକୁ ୩ରୁ ୪ଜଣଙ୍କର ମୃତ୍ୟୁ ହେଉଛି। ଏହି ସ୍ଥିତି ଏମିତି ଜାରି ରହିବ। ଏକ ଚତୁର୍ଥାଂଶ ରାଜଧାନୀବାସୀ କରୋନା ଆକ୍ରାନ୍ତ ହେବା ପରେ ଯାଇ କରୋନା ନିୟନ୍ତ୍ରଣକୁ ଆସିବ। ଆରଏମଆରସିର ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ କହିବାନୁଯାୟୀ, କରୋନା ଅତ୍ୟନ୍ତ ରହସ୍ୟଜନକ ଭୂତାଣୁ। ଏହାର ବିଭିନ୍ନ ରୂପ ରହୁଥିବାରୁ ଏହାକୁ ଆକଳନ କରିବା କଷ୍ଟକର ହେଉଛି। ତେଣୁ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହେଲେ ହିଁ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କୁହାଯାଉଛି।
ଅଗଷ୍ଟ ମାସରେ ହୋଇଥିବା ସେରୋ ସର୍ଭେ ଅନୁଯାୟୀ, ଭୁବନେଶ୍ୱରରେ ବହୁତ କମ୍ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ମାତ୍ର ୫% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ପ୍ରାୟ ୨୫ରୁ ୩୦ପ୍ରତିଶତ ଲୋକଙ୍କ ଦେହରେ ଏହା ବିକଶିତ ହେଲେ ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ । ଅଗଷ୍ଟ ଓ ସେପ୍ଟେମ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ ହୋଇଥିବାରୁ ଆଗାମୀ ସେରୋ ସର୍ଭେରେ ଏହି ହାର ବଢ଼ିବାର ସମ୍ଭାବନା ଅଛି। ଦଶହରା ପୂର୍ବରୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ହେବ। ଏଥିରୁ ରାଜଧାନୀର ଚିତ୍ର ସ୍ପଷ୍ଟ ହୋଇଯିବ। ଆରଏମଆରସିର ଆକଳନ ପରୋକ୍ଷରେ ଦର୍ଶାଉଛି ଯେ ରାଜଧାନୀରେ ରହୁଥିବା ପ୍ରାୟ ୧୦ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ଅଢ଼େଇରୁ ତିନି ଲକ୍ଷ ଲୋକ ଆକ୍ରାନ୍ତ ହେଲେ ହିଁ କରୋନା ନିୟନ୍ତ୍ରଣକୁ ଆସିଲା ବୋଲି କୁହାଯାଇପାରିବ। ଏବେ ରାଜଧାନୀରେ ୨୧,୫୭୬ଜଣ ଆକ୍ରାନ୍ତ ଅଛନ୍ତି। ୫% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି ଅର୍ଥାତ୍ ପ୍ରାୟ ୫୦ହଜାର ଲୋକ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଲାଣି। ଏହି ହିସାବକୁ ଦେଖିଲେ ଆହୁରି ପ୍ରାୟ ୨ଲକ୍ଷ ଲୋକ କରୋନା ହେଲେ ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ। ଅଧିକରୁ ଅଧିକ ଲୋକଙ୍କୁ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଗଲେ ଆଉ ଏହା ବ୍ୟାପିବନି।
ବିଏମସି କମିସନର କହିଥିଲେ ଯେ ଭୁବନେଶ୍ୱରରେ ହୋଇଥିବା ସେରୋସର୍ଭେ ଅନୁଯାୟୀ ୫% ଲୋକଙ୍କ ଦେହରେ ଆଣ୍ଟବଡ଼ି ବିକଶିତ ହୋଇଛି। ଭୁବନେଶ୍ୱର ଶୀର୍ଷକୁ ଯିବା ପରେ ଖସିଛି। ଏବେ ପ୍ଲାଟୋ ଷ୍ଟେଜରେ ଅଛି। ଅର୍ଥାତ୍ ସ୍ଥିର ଅଛି। ଦିନକୁ ୩୦୦ରୁ ୩୫୦ଜଣ ଆକ୍ରାନ୍ତ ବାହାରୁଛନ୍ତି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି। କିନ୍ତୁ ନିକଟରେ ଏହା ପୂରା କମିଯିବା ସମ୍ଭାବନା କମ୍। କାରଣ ଯେତେ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହେବ, ଭୁବନେଶ୍ୱର ସେତେ ସୁରକ୍ଷିତ ହେବ ବୋଲି କୁହାଯିବ। ଏବେ ସମସ୍ତ ଅର୍ଥନୈତିକ କାରବାର ଖୋଲି ଦିଆଯାଇଥିବା ବେଳେ କୌଣସି କାର୍ଯ୍ୟ ଉପରେ କଟକଣା ନାହିଁ। ଏଭଳି ସ୍ଥିତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତେ ବାହାରୁଛି, ତାହା ଅନ୍ୟ ବଡ଼ବଡ଼ ସହର ତୁଳନାରେ କମ୍। ଅକ୍ଟୋବର ଶେଷ କିମ୍ବା ନଭେମ୍ବର ବେଳକୁ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମିଯିବ। ଆରଏମଆରସି ନିର୍ଦ୍ଦେଶିକା ଏବଂ ବିଏମସି କମିସନରଙ୍କ କଥାରୁଏହା ସ୍ପଷ୍ଟ ଯେ ଦଶହରା ପୂର୍ବରୁ ରାଜଧାନୀରେ ସ୍ଥିତି ନିୟନ୍ତ୍ରଣକୁ ଆସିବନି। ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଖସିବାକୁ ଆହୁରି ପ୍ରାୟ ମାସେ ଲାଗିବ। ଅକ୍ଟୋବର ଶେଷ କିମ୍ବା ନଭେମ୍ବରରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କକୁ ଖସିପାରେ। କିନ୍ତୁ ଆଇସିଏମଆର୍ ଆକଳନ କରୁଛି ଯେ ଆଗକୁ ଶୀତ ଋତୁ ଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ। ଏପରି ସ୍ଥିତିରେ ଆଗକୁ ରାଜଧାନୀ ସ୍ଥିତି କ’ଣ ହେବ ସେନେଇ ବି ଦ୍ୱନ୍ଦ୍ୱ ଉପୁଜୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/file7a4m0k8noxuirmf978b-146187454-1586861243.jpg)