ଘୋଷଣା ହୋଇନାହିଁ ମୁଖ୍ୟମନ୍ତ୍ରୀଙ୍କ ନାମ । ହେଲେ ଜନତା ମଇଦାନରେ ଶପଥଗ୍ରହଣ ପାଇଁ ଜୋରଦାର ପ୍ରସ୍ତୁତି

823

କନକ ବ୍ୟୁରୋ : ଜୁନ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ, ସେଥିପାଇଁ ବ୍ରହ୍ମପୁର ନିର୍ବାଚନୀ ସଭାରେ ଲୋକଙ୍କୁ ଆଗୁଆ ନିମନ୍ତ୍ରଣ ଜଣାଇଥିଲେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଆକଳନ ଅନୁସାରେ ନିର୍ବାଚନ ଫଳାଫଳ ଆସିବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ବ୍ୟାପକ ଆକାରରେ କରିବା ପାଇଁ ଚାଲିଛି ବଡ଼ ଆୟୋଜନ   । ଦେଶର ବଡ଼ ବଡ଼ ନେତାଙ୍କ ସହ ହଜାର ହଜାର ସମର୍ଥକ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ।

ବିଶାଳ ଉତ୍ସବ ପାଇଁ ସଜେଇ ହେଉଛି ଭୁବନେଶ୍ୱରର ଜନତା ମଇଦାନ । ଏହି ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନେକ କେନ୍ଦ୍ରୀୟ ନେତା । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନଜରରେ ରଖି ଏସ୍ପିଜି ଟିମ୍, ଓଡ଼ିଶା ପୁଲିସ ଓ ପ୍ରଶାସନିକ ଅଧିକାରୀ ଉତ୍ସବ ସ୍ଥଳର ଯାଂଚ କରିଛନ୍ତି । ରାଜ୍ୟ ବିଜେପି ନେତା ମଧ୍ୟ ଆୟୋଜନର ତଦାରଖ କରିଛନ୍ତି ।

ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ଏ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ମୁଖ୍ୟମନ୍ତ୍ରୀ ରେସ୍ରେ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ଆସନ୍ତାକାଲି ବିଜେପି ବିଧାୟକ ଦଳର ବୈଠକ ବସିବାର ଅଛି । ଏହି ବୈଠକରେ ବିଧାୟକ ଦଳର ନେତା ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଅନେକ ନବ ନିର୍ବାଚିତ ବିଧାୟକ ଓ ସାଂସଦ, ଦିଲ୍ଲୀ ଯାଇଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ଏ ନେଇ ଶୀର୍ଷ ନେତୃତ୍ୱଙ୍କ ସବୁଜ ସଂକେତକୁ ଅପେକ୍ଷା କରାଯାଇଛି । ସାରା ରାଜ୍ୟର ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି, କାହାକୁ ମୁଖ୍ୟମନ୍ତ୍ରୀ ଚୟନ କରିବ ବିଜେପି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।