ରାଜ୍ୟପାଳ ହେବା ନେଇ ଗତକାଲି ରାତିରେ ମିଳିଥିଲା ସଂକେତ । ବିଶ୍ୱଭୂଷଣଙ୍କୁ ଫୋନ୍ କରିଥିଲେ ମୋଦି, ଆଉ କହିଥିଲେ… ।

809

କନକ ବ୍ୟୁରୋ : ଝାଡଖଣ୍ଡ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଦାୟିତ୍ୱ ଦେବା ପରେ ମୋଦି ସରକାର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଚୟନ କରିଛନ୍ତି । ଏନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦ୍ରୌପଦୀ ମୁର୍ମୁଙ୍କ ପରେ ଦ୍ୱିତୀୟ ଓଡିଆ ଭାବେ ବିଶ୍ୱଭୂଷଣଙ୍କୁ ରାଜ୍ୟପାଳ କରାଯାଇଛି ।

ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ବିଶ୍ୱଭୂଷଣ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଏହି ଘୋଷଣା ତାଙ୍କ ପାଇଁ ସରପ୍ରାଇଜ ନଥିଲା ବୋଲି କହିଛନ୍ତି ବିଶ୍ୱଭୂଷଣ । ଗତ ୩୦ ତାରିଖରୁ ଏନେଇ ଖବର ଆସିଥିବା ବେଳେ ଏହାର ସଂକେତ ଗତକାଲି ରାତିରୁ ତାଙ୍କୁ ମିଳିଥିଲା ବୋଲି କହିଛନ୍ତି ବିଶ୍ୱଭୂଷଣ । ରାଜ୍ୟପାଳ ନିଯୁକ୍ତି ପାଇବା ପୂର୍ବରୁ ଗତକାଲି ରାତିରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଫୋନ୍ କରିବା ସହ କହିଥିଲେ ଆପଣଙ୍କୁ ଓଡ଼ିଶା ଛାଡିବାକୁ ପଡିବ । କାରଣ ଦିନେ ଦୁଇ ଦିନ ମଧ୍ୟରେ ଆପଣଙ୍କୁ ଏକ ବଡ ଦାୟିତ୍ୱ ଦେବାକୁ ନିଷ୍ପତି ନିଆଯାଇଛି ବୋଲି ମୋଦି କହିଥିଲେ । ଆଉ ଆଜି ବିଧିବଦ୍ଧ ଭାବେ ରାଷ୍ଟ୍ରପତି ଭବନରୁ ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବା ନେଇ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ପ୍ରଥମେ ଜଣାଇଥିଲେ ବୋଲି କହିଛନ୍ତି ବିଶ୍ୱଭୂଷଣ ।

କିଛି ଦିନ ପୂର୍ବରୁ ବିଶ୍ୱଭୂଷଣ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ଏବଂ ତାଙ୍କ ଆତ୍ମଜୀବନୀ ‘ସରିନାହିଁ ସଂଗ୍ରାମ’ ପୁସ୍ତକକୁ ମୋଦିଙ୍କୁ ଦେଇଥିଲେ । ମୋଦିଙ୍କ ସହ ଭେଟଘାଟ ପରେ ରାଜ୍ୟ ବିଜେପିର ଏହି ବରିଷ୍ଠ ନେତାଙ୍କୁ ବଡ ଦାୟିତ୍ୱ ମିଳିପାରେ ବୋଲି ଚର୍ଚା ହେଉଥିଲା । ଆନ୍ଧ୍ରଭଳି ବଡ ରାଜ୍ୟର ରାଜ୍ୟପାଳ ଦାୟିତ୍ୱ ପାଇବା ପରେ ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ପୋଲାଭରମ ପ୍ରସଙ୍ଗର ସମାଧାନ କରିବେ ବୋଲି କହିଛନ୍ତି ବିଶ୍ୱଭୂଷଣ ।

୨୦୧୪ରୁ ପ୍ରତ୍ୟକ୍ଷ ନିର୍ବାଚନରୁ ଦୂରେଇ ରହିଥିବା ବିଶ୍ୱଭୂଷଣଙ୍କୁ କେବଳ ବିଜେପିର ସଭା ସମିତି ଓ ପ୍ରଚାର ମୈଦାନରେ ଦେଖିବାକୁ ମିଳୁଥିଲା । ବିଶ୍ୱଭୂଷଣଙ୍କ ଭଳି ବରିଷ୍ଠ ତଥା ଭେଟରାନ ନେତାଙ୍କୁ ଦଳ ଅଣଦେଖା କରୁଥିବା କହୁଥିଲେ ତାଙ୍କ ସମର୍ଥକ । କିନ୍ତୁ ବିଶ୍ୱଭୂଷଣଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇ ବଡ ଉପହାର ଦେଇଛନ୍ତି ମୋଦି ସରକାର ।

ବିଜେପିର ଏହି ବରିଷ୍ଠ ନେତା ୫ ଥର ବିଧାୟକ ରହିସାରିଛନ୍ତି । ଚିଲିକା ଆସନରୁ ଜନତା ଦଳରୁ ୨ଥର ଏବଂ ପରେ ଭୁବନେଶ୍ୱରରୁ ବିଜେପି ଦଳରୁ ୩ଥର ବିଧାୟକ ହୋଇଛନ୍ତି ବିଶ୍ୱଭୂଷଣ । ଏଥିସହ ରାଜ୍ୟ ସରକାରରେ ଆଇନ୍, ଯୋଗାଣ, ରାଜସ୍ୱ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଦାୟିତ୍ୱ ତୁଲାଇସାରିଛନ୍ତି ।