କେମିତି ହେବ ରଥଯାତ୍ରା? କରୋନା କଟକଣା ପାଇଁ ମନେ ପଡ଼ିଲା ୯୪ ବର୍ଷ ତଳର ଇତିହାସ, ହଜାର ହଜାର ଭକ୍ତଙ୍କ ଭିଡ଼ ଭିତରେ ରଥକୁ ଟାଣୁଥିଲେ ହାତୀ । ବଡ଼ଦାଣ୍ଡକୁ ପୁଣି ଫେରିବ କି ସେ ବିରଳ ଦିନ…

455

କନକ ବ୍ୟୁରୋ: ଭାରତ ସ୍ୱାଧିନ ହେବାର ଆହୁରି ଦୁଇ ଦଶନ୍ଧି ପୂର୍ବରୁ, ଇଂରେଜ ଶାସନ କାଳରେ ଏ ହେଉଛି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କ ରଥଯାତ୍ରାର ଦୃଶ୍ୟ । ଯେତେବେଳେ ରଥଟଣାରେ ସାମିଲ ହେଉଥିଲେ ଗଜରାଜ । ଶନିବାର ହାଇକୋର୍ଟ, ହାତୀ ଟାଣିବା ନେଇ ରାଜ୍ୟ ସରକାର ବିଚାର କରିପାରିବେ ବୋଲି କହିବା ପରେ ଏହା ଚର୍ଚାକୁ ଆସିଛି । ବଡଦାଣ୍ଡରେ ହଜାର ହଜାର ଭକ୍ତ ଆଉ ତାଭିତରେ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି ହାତୀ । ଆଜିର ଦିନରେ ଏଭଳି ଏକ ଦୃଶ୍ୟର ପରିକଳ୍ପନା ବିରଳ ଭଳି ଲାଗୁଥିଲେ ବି ପ୍ରାୟ ୯୪ ବର୍ଷ ତଳର ଏହି ଦୃଶ୍ୟରେ ହାତୀ ରଥ ଟାଣିବା ଏକ ବାସ୍ତବତା ଥିଲା । ରଥ ସମ୍ମୁଖରେ ଚାଲିଥିଲେ ସୁସଜ୍ଜିତ ହାତୀ । ବରିଷ୍ଠ ସେବାୟତଙ୍କ କହିବା ଅନୁଯାୟୀ, ପୂର୍ବରୁ ଗଜପତି ମହାରାଜା ପାରମ୍ପରିକ ଛେରାପହଁରା ନୀତି କରିବା ସମୟରେ ଆଗରେ ହାତୀ ଯିବାର ବ୍ୟବସ୍ଥା ରହିଥିଲା । ଏପରିକି ସେତେବେଳେ ଶରଧାବାଲି ସମ୍ପୂର୍ଣ୍ଣ ବାଲିମୟ ଥିବାରୁ ରଥ ଚକ ବାଲି ଭିତରକୁ ଧସି ଯାଉଥିଲା । ତେଣୁ ରଥକୁ ବାଲିରୁ ଉଠାଇବା ପାଇଁ ରାଜାଙ୍କ ହାତୀ ରଥକୁ ପଛରୁ ଠେଲୁଥିଲେ ।

ରଥର ଆକାର ବିରାଟକାୟ ହୋଇଥିବାରୁ ରଥ ଟାଣିବା ଏତେ ସହଜ ନଥିଲା । ସେଥିପାଇଁ ୧୨୩୦ ଶତାଦ୍ଦୀରେ କଳା ବେଠିଆ ସେବା ଶ୍ରୀମନ୍ଦିର ନୀତିରେ ପ୍ରଚଳିତ ହୋଇଥିଲା । ରଥଯାତ୍ରା ସମୟରେ କଳା ବେଠିଆମାନେ ରଥ ଟାଣୁଥିଲେ । ଏଥିପାଇଁ ସେମାନଙ୍କୁ ରାଜା ବିଭିନ୍ନ ସ୍ଥାନରେ ସେବା ପାଇଁ ଜମି ଦେଇଥିଲେ । ମାତ୍ର ୧୯୬୦ ପରଠାରୁ ଏହା ଉଛେଦ ହୋଇଯାଇଛି । ରଥଟଣା ସମୟରେ ପ୍ରଚଳିତ କଳା ବେଠିଆ ସେବା ଉଛେଦ ହେବା ପରେ ପୁଲିସ ଦ୍ୱାରା ରଥଟଣା ହେଉଛି ।

୨୦୦୨ରୁ ରଥଯାତ୍ରାଠାରୁ ହାତୀସେବା ବନ୍ଦ ରହିଛି । ଉତରପ୍ରଦେଶରୁ ଲକ୍ଷ୍ମୀ ନାମକ ଏକ ମାଈ ହାତୀ ରଥଯାତ୍ର ପାଇଁ ଆସିଥିଲା । ହାତୀଟି ଫେରିବା ବାଟରେ ମୃତ୍ୟୁବରଣ କରିଥିଲା । ସେହିଦିନଠାରୁ ପୁରୀ ରଥଯାତ୍ରାରେ ହାତୀଙ୍କୁ ସାମିଲ କରାଯାଉ ନାହିଁ ବୋଲି ଜଣାପଡିଛି । କିନ୍ତୁ ୨୦୧୦ରେ ପାରମ୍ପରିକ ହାତୀ ସେବାକୁ ପୁଣି ଆରମ୍ଭ କରିବାକୁ ଉଦ୍ୟମ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏନେଇ ବିହାର ଓ ଉତରପ୍ରଦେଶର ମାହୁନ୍ତଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ଏହା ସଫଳ ହୋଇନାହିଁ ।