୨୦୨୪ ପୂର୍ବରୁ ଗଞ୍ଜାମ ଗଡ଼ ସଜାଇବା ପାଇଁ ଅଣ୍ଟା ଭିଡିଲା ବିଜେଡି। ଜିଲ୍ଲା କମିଟିର ପୁନର୍ଗଠନ, ୬ଟି ନିର୍ବାଚନମଣ୍ଡଳୀରେ ରହିଛି ଗୋଷ୍ଠୀ କନ୍ଦଳ 

838

କନକ ବ୍ୟୁରୋ: ଚର୍ଚ୍ଚା ହେଉଛି, କବିସୂର୍ଯ୍ୟନଗରରେ ବିଧାୟିକା ଲତିକା ପ୍ରଧାନ ଓ ଦଳୀୟ ନେତା ହରପ୍ରସାଦ ସାହୁଙ୍କ ମଧ୍ୟରେ ପଡୁନାହିଁ । ଖଲ୍ଲିକୋଟରେ ବିଧାୟକ ସୂର୍ଯ୍ୟମଣି ବୈଦ ଓ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ,  ଛତ୍ରପୁରରେ ବିଧାୟକ ସୁବାଷ ବେହେରା, ବ୍ଲକ ଅଧ୍ୟକ୍ଷ ପ୍ରିୟାଂଶୁ ପ୍ରଧାନ ସମାନ୍ତରାଳ ସଂଗଠନ ଚଳାଇଛନ୍ତି । ଦିଗପହଣ୍ଡିରେ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ, ଆସ୍କାରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକଙ୍କ ମଧ୍ୟରେ କନ୍ଦଳ ରହିଛି । ଆଉ ନିର୍ବାଚନ ମଣ୍ଡଳୀରେ ନେତାମାନେ ନିଜ ନିଜର ସମାନ୍ତରାଳ ସଂଗଠନ ଚଳାଇଛନ୍ତି । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେଡି ପକ୍ଷରୁ ଜିଲ୍ଳା କମିଟିର ପୁନଃଗଠନ । ତେବେ କମିଟି ପୁନଃଗଠନରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତିି ସାଂସଦ ଚନ୍ଦ୍ରଶେଖର ସାହୁ ।

ଏଥିସହ ଜିଲ୍ଳାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡିର ଦଳୀୟ କନ୍ଦଳ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିଧାୟକ ବିକ୍ରମ ପଣ୍ଡା । କହିଛନ୍ତି, ସମସ୍ତେ ନବୀନ ବାବୁଙ୍କୁ ମାନିକି ଚଳନ୍ତି । ତେଣୁ ବିଜେଡିରେ ବିଶୃଙ୍ଖଳାର ପ୍ରଶ୍ନ ଉଠୁନାହିଁ ।

୨୦୧୯ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ  ହୋଇଥିବାବେଳେ କେବଳ ସାନଖେମୁଣ୍ଡିରେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଜୟୀ ହୋଇଥିଲେ । କିନ୍ତୁ ଆଗାମୀ ନିର୍ବାଚନରେ ବିଜେଡି ସବୁ ଆସନ ପୋଛି ନେବ ବୋଲି କହିଛନ୍ତି ବିଜେଡି ନେତା । ତେବେ ବିଜେଡି ନେତାଙ୍କ ଏହି ଦାବିକୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା, ସୂର୍ଯ୍ୟପାତ୍ର ଅସୁସ୍ଥ ହେବା ପରେ, ଜିଲ୍ଲାରେ ଦଳର ସଂଗଠନ ଦୁର୍ବଳ ହୋଇ ପଡିଥିବା କୁହାଯାଉଛି । ଯାହାକୁ ସଜାଡିବା ପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର କସରତ । ଏହି କ୍ରମରେ ବିକ୍ରମ ଆରୁଖଙ୍କୁ ମନ୍ତ୍ରୀପଦ ଦିଆଯିବା ସହ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ବିଜେଡି ଜିଲ୍ଲା ସଭାପତି କରାଯାଇଛି ।