୨୪ ପୂର୍ବରୁ ଆନ୍ଦୋଳନ ମୁଡରେ ବିଜେଡି, ବିଜେପି: ବିଜେଡିର ପ୍ରସଙ୍ଗ ଚାଉଳ, ବିଜେପିର ଆଇନଶୃଙ୍ଖଳା

92

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ କିଏ ଜିତିବ ଭୋଟରଙ୍କ ମନ, ସେ ନେଇ କଶରତ ଆରମ୍ଭ କରିଛନ୍ତି ଶାସକ ବିଜେଡି ଓ ମୁଖ୍ୟବିରୋଧୀ ଦଳ ବିଜେପି । ବିଶେଷକରି ଗାଁ ଭୋଟରଙ୍କୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରୁଛନ୍ତି ଦୁଇଦଳ । ଚଳିତ ସପ୍ତାହରେ ରାଜରାସ୍ତାରେ ମୁହାଁମୁହିଁ ହେବେ ବିଜେଡି ଓ ବିଜେପି । ବିଜେଡି କେନ୍ଦ୍ର ଦେଉଥିବା ୫ କେଜି ଚାଉଳ ବନ୍ଦ କରିବା ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ । ଏଥିପାଇଁ ଆସନ୍ତା ୧୫ ଓ ୧୬ ତାରିଖରେ ପଂଚାୟତ ଓ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ । ଆଉ ବିଜେଡିକୁ କାଉଂଟର କରିବ ବିଜେପିର ଆନ୍ଦୋଳନ । ଆଇନଶୃଙ୍ଖଳା ପରିସ୍ଥିତି ନେଇ ଦଳ ୧୪ . ୧୫ ଓ ୧୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନେଇଛି ।

ବିଜେପିର ଅଭିଯୋଗ ହେଲା, ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ବିଗିଡିଛି । ନବଦାସଙ୍କ ହତ୍ୟାକାଣ୍ଡ ପରେ ଏହା ଅଧିକ ବିପର୍ଯ୍ୟସ୍ତ ହୋଇଛି । ଜଣେ ମନ୍ତ୍ରୀ ବି ସୁରକ୍ଷିତ ନୁହନ୍ତି ବୋଲିି ପ୍ରମାଣିତ ହୋଇଛି । ତେଣୁ ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରି ୧୪ ତାରିଖରେ ଭୁବନେଶ୍ୱର, ୧୫ ତାରିଖରେ ସବୁ ଜିଲ୍ଲା ମୁଖ୍ୟାଳୟ ଘେରାଉ ଓ ୧୬ ତାରିଖରେ ରାଜଭବନ ସାମ୍ନାରେ ଧାରଣା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବ ଦଳ । ତେବେ ବିଜେପି କେବଳ ରାଜନୀତି କରୁଛି ବୋଲି ଅଭିଯୋଗ ଆଣିଛି ବିଜେଡି ।

ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାସକ ଓ ବିରୋଧୀ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । କଂଗ୍ରେସ ବି ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଲାଇଛି । କିନ୍ତୁ ଭୋଟର କାହା ମୁଣ୍ଡରେ ସୁନାକଳସ ଢାଳୁଛନ୍ତି ତାହା ଆଗାମୀ ନିର୍ବାଚନରେ ସ୍ପଷ୍ଟ ହେବ ।