ବାତ୍ୟା ଯାଇଛି, ପଦଚିହ୍ନ ରହିଛି… ତିତିଲିକୁ ପୂରିଛି ଦୁଇ ବର୍ଷ । ଅଭିଶପ୍ତ ରାତିର କିଟକିଟ ଅନ୍ଧାର କଥା ଏବେବି ମନେପଡିଗଲେ ଥରି ଯାଉଛି ଛାତି…

586

କନକ ବ୍ୟୁରୋ: ଅକ୍ଟୋବର ୧୧, ୨୦୧୮ । କାଳ ରାତିର ସେ କଳା କାହାଣୀକୁ ଭୁଲି ହେଉନି । ତାରିଖ ପରେ ତାରିଖ ଯାଉଛି । ବର୍ଷ ପରେ ବର୍ଷ ବଦଳୁଛି ହେଲେ ମନରୁ ଲିଭୁନି ତିତିଲର ଦାଗ । ବିଳମ୍ବିତ ରାତିର କିଟକିଟ ଅନ୍ଧାରରେ ତିତିଲି ଯେଉଁ ତାଣ୍ଡବ ରଛିଥିଲା । ମହାପ୍ରଳୟର ସେ ଲୋମଟାଙ୍କୁରା ଦୃଶ୍ୟ କଥା ଏବେବି ମନେ ପଡିଗଲେ ଛାତିରେ ଛନକା ପଶିଯାଏ, ଲୋମମୂଳ ଟାଙ୍କୁରି ଉଠେ । କାରଣ ଭୟଙ୍କର ତାଣ୍ଡବଲୀଳା କରି ୧୬ ଜୀବନ ନେଇଯାଇଥିଲା ତିତିଲ । ଆଉ ଆଜି ସେହି କାଳ ରାତ୍ରୀକୁ ପୂରିଛି ୨ ବର୍ଷ ।

ସେଦିନ ବିଳମ୍ବିତ ରାତିରେ ଭୟଙ୍କର ରୂପ ନେଇ ଶହ ଶହ ବେଗରେ ମାଡିଆସିଥିଲା ପବନ । ଆଉ ଝଡତୋଫାନର ସେ ବିକଟାଳ ରୂପ ଆଗରେ ଆତ୍ମସମର୍ପଣ କରିଥିଲା ଜୀବନ, ଛାରଖାର ହୋଇଯାଇଥିଲା ମହେନ୍ଦ୍ରଗିରି ପାହାଡ ଉପରେ ଥିବା ଗାଁ । ପ୍ରଳଙ୍କାରୀ ପବନ ସାଙ୍ଗକୁ ବାଦଲ ଫଟା ବର୍ଷାରେ ଭାଙ୍ଗିଯାଇଥିଲା ଘରଦ୍ୱାର । ଆଉ ଜୀବନ ବଞ୍ଚାଇବା ପାଇଁ ପାହାଡର ଗୁମ୍ଫାରେ ଆଶ୍ରୟ ନେଇଥିଲେ ଗଜପତି ଜିଲ୍ଲା ରାୟଗଡ ମହେନ୍ଦ୍ରଗିରିରେ ରହୁଥିବା ଲୋକେ । ହେଲେ ପ୍ରକୃତିର ଦାଉରୁ ବର୍ତ୍ତି ପାରିନଥିଲା ଗୁମ୍ଫା । ପ୍ରବଳ ବର୍ଷା ଯୋଗୁଁ ଝରଣା ସବୁ ନଦୀ ପାଲଟି ଯାଇଥିଲା । ପ୍ରବଳ ପାଣି ତଳକୁ ବହିବାକୁ ଲାଗିଲା । ଆଉ ଗୋଟେ ପରେ ଗୋଟେ ଗୁମ୍ଫା ସବୁ ଧସିବା ଆରମ୍ଭ କଲା । ପାହାଡ ଧସି, ପାଣିରେ ଭାସି ଓ ପଥର ତଳେ ଚାପି ହୋଇ ଅନେକଙ୍କ ଜୀବନ ଯାଇଥିଲା, ଅନେକଙ୍କୁ ଅନାଥ କରିଥିଲା ।

ତେବେ ତିତଲି ଯିବାକୁ ଦୁଇ ବର୍ଷ ବିତିଲାଣି । ହେଲେ ଏବେବି କ୍ଷତିଗ୍ରସ୍ତ ଅଞ୍ଚଳରେ ପଡିଛି ବାତ୍ୟାର ପଦଚିହ୍ନ । ସରକାରଙ୍କ ଜିରୋ କାଜୁଆଲିଟି ନାରା ଫେଲ ମାରିବା ପରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପରବର୍ତି ସମୟରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ବାରଗଡ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଜାରି କରିଛନ୍ତି ସରକାର । ୬୦୦ ପରିବାରକୁ ସ୍ଥାନାନ୍ତର ପାଇଁ ଅନ୍ୟତ୍ର ଘର ତିଆରି ହେଉଛି । ଅଧିକାଂଶ ପରିବାରକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଏବେ ବି ସ୍ଥାନୀୟ ଅଂଚଳରେ ଆନୁସାଙ୍ଗିକ ବ୍ୟବସ୍ଥା ବାକି ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ବ୍ୟବସ୍ଥା ସ୍ୱାଭାବିକ ହୋଇପାରି ନାହିଁ । ତେଣୁ ଏବେ ବି ବିପଦ ସଂକୁଳ ସ୍ଥାନରେ ରହୁଛନ୍ତି ଲୋକେ । ସାମନ୍ୟ ବର୍ଷା ଆସିଲେ ଜୀବନକୁ ନେଇ ଆତଙ୍କିତ ହୋଇପଡୁଥିବା ଲୋକେ ଜୀବିକା ହରାଇ ଭୟରେ ପାହାଡ ଉପରୁ ସ୍ଥାନାନ୍ତର ହେଉ ନାହାନ୍ତି ।

ଆଗାମୀ ଦିନରେ ନୂଆ ସ୍ଥାନରେ ଜନବସତି ସ୍ଥାପନ ହେବ ସତ । ଲୋକେ ନୂଆ ଜାଗାରେ ସବୁ ମୌଳିକ ସୁବିଧା ପାଇବେ ସତ । ନୂଆ ଆଲୁଅ ଦେଖିବେ ସତ । ହେଲେ ସେଦିନର ସେ ଅଭିଶପ୍ତ ଅନ୍ଧାର, କାଳ ରାତିକୁ କେବେବି ଭୁଲି ପାରିବେନି ।

Comments are closed.