ସତ ହେଲା ୧୨ ବର୍ଷ ତଳେ ପ୍ରକାଶିତ ବହିର କଥା । ଏଣ୍ଡ୍ ଅଫ୍ ଡେଜ୍ ବହିରେ ସତର୍କ କରାଇଥିଲେ ସେଲଭିଆ ବ୍ରାଉନ୍ , ଲେଖିଥିଲେ ୨୦୨୦ରେ ବିଶ୍ୱରେ ଦେଖାଦେବ ଭୟଙ୍କର ମହାମାରୀ

1,766

କନକ ବ୍ୟୁରୋ : ସାରା ବିଶ୍ୱ କରୋନା ଭୂତାଣୁକୁ ନେଇ ଚିନ୍ତାରେ ପଡିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ଚାଂଚଲ୍ୟକର ଖବର । ଏହି ଖବରଟି ହେଉଛି ଆଜି ଯେଉଁ କରୋନା ଭୂତାଣୁ ବିଶ୍ୱରେ ମହାମାରୀ ରୂପ ନେବାକୁ ଗଲାଣି ତା ନେଇ ୧୨ ବର୍ଷ ଆଗରୁ ହୋଇ ସାରିଥିଲା ଭବିଷ୍ୟବାଣୀ । ଏକ ବହିରେ ଏନେଇ ଭବିଷ୍ୟବାଣୀ କରିଥିଲେ ଜଣେ ବିଦେଶୀ ଲେଖକ । ବହିର ନାମ ଏଣ୍ଡ ଅଫ୍ ଡେଜ୍ । ଏହାର ଲେଖକ ହେଉଛନ୍ତି ସେଲଭିଆ ବ୍ରାଉନ୍ । ଏଣ୍ଡ୍ ଅଫ୍ ଡେଜ୍ ପୁସ୍ତକର ୩୧୨ ନଂବର ପୃଷ୍ଠାରେ କରୋନା ସମ୍ପର୍କରେ ଲେଖା ରହିଛି ।

ପୁସ୍ତକରେ ଲେଖା ରହିଛି ୨୦୨୦ ମସିହା ବେଳକୁ ଏକ ଜଟିଳ ରୋଗ ସାରା ବିଶ୍ୱକୁ ବ୍ୟାପିବ, ଶ୍ୱାସତନ୍ତ୍ର ଓ ଫୁସଫୁସକୁ ଏହା ଆକ୍ରାନ୍ତ କରିବ ବୋଲି ଲେଖା ଯାଇଛି । ବର୍ତମାନ ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ଯେପରି ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଛି , ଏପରି ସ୍ଥିତିରେ ଏହି ପୁସ୍ତକରେ ୧୨ ବର୍ଷ ତଳେ ହୋଇଥିବା ଭବିଷ୍ୟବାଣୀ ସତ ହୋଇଛି ବୋଲି କୁହାଯାଉଛି । ବର୍ତମାନ ଏହି ବହିର ଲେଖା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ବହିରେ ଏହା ମଧ୍ୟ ଲେଖା ଯାଇଛି କି ଏହି ରୋଗ ଯେତିକି ବେଗରେ ଆସିବ, ସେତିକି ବେଗରେ ଚାଲି ଯିବ ।