କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପାନ, ଗୁଟଖା ସେବନକୁ ବନ୍ଦ କରିବା ପାଇଁ ନିଷ୍ପତି ହୋଇଥିବା ବେଳେ ପାନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଦଇତାପତି ନିଯୋଗର ସଭାପତି । ରାମକୃଷ୍ଣ ଦାସ ମହାପାତ୍ରଙ୍କ ଯୁକ୍ତି ହେଉଛି, ଠାକୁରଙ୍କ ନିକଟରେ ପାନ ଲାଗି ହେଉଛି । ତେଣୁ ପାନ ବନ୍ଦ କରିବା ବଦଳରେ ଛେପ ପକାଇବାର ବ୍ୟବସ୍ଥା କରାଯାଉ । ଯଦିଓ ଖୁଟଖା, ଜର୍ଦା ଭଳି ସମାଗ୍ରୀକୁ ସେ ମୁକ୍ତକଣ୍ଠରେ ବିରୋଧ କରିଛନ୍ତି ଏବଂ ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିଛନ୍ତି, ତଥାପି ପାନ ଉପରେ କଟକଣା ଲଗାଇବା ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି ।

Advertisment

ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନ ଗୁଟୁଖାକୁ ସଂପୂର୍ଣ୍ଣ ବ୍ୟାନ କରାଯିବ । ଶ୍ରୀମନ୍ଦିର ଭିତରେ କେହି ପାନ ଗୁଟୁଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ । ତେବେ ବରାହ ପୁରାଣ ଓ ନିଳାଦ୍ରୀ ଶାସ୍ତ୍ରରେ ସେବାୟତଙ୍କ ଲକ୍ଷଣ ସମ୍ପର୍କରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ସେବାୟତ ।

କେବଳ ଯେ, ସେବାୟତ ପାନ ଖାଆନ୍ତି ତାହା ନୁହେଁ ଶ୍ରଦ୍ଧାଳୁ, ସୁରକ୍ଷାକର୍ମୀ ମଧ୍ୟ ପାନ ଖାଇବାର ଦେଖିବାକୁ ମିଳେ । ଆଉ ପାନ ଛେପ ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବାର ମଧ୍ୟ ନଜିର ରହିଛି । ଏଭଳି ସ୍ଥିତିରେ ପାନକୁ ନେଇ ଭିନ୍ନ ମତ ଆସିବା ଚର୍ଚ୍ଚା ସୃଷ୍ଟି କରିଛି । ବଡ଼ କଥା ହେଉଛି, ପୂର୍ବରୁ ମଧ୍ୟ ପାନ ଗୁଟ୍ଖା ଉପରେ କଟକଣା ଲଗାଯାଇଥିଲା । ଆର୍ଥିକ ଦଣ୍ଡର ବ୍ୟବସ୍ଥା କରାଯାଇଥିଲା । ତେଣୁ ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରାଯାଉଥିଲେ ମଧ୍ୟ କଡ଼ାକଡ଼ି ଭାବେ ଏହାକୁ ପାଳନ କରିବା ପାଇଁ ଦାବି ହେଉଛି । ଏସବୁ ଭିତରେ ସାମଗ୍ରିକ ଭାବେ ପାନ-ଗୁଟଖାକୁ ବନ୍ଦ କରିବା ନିଷ୍ପତିକୁ ସମସ୍ତେ ସ୍ୱାଗତ କରୁଛନ୍ତି ।