ସ୍ୱାବଲମ୍ବୀ ହେବା ପାଇଁ ବାଟ ବାଛିଲେ: ସରକାରୀ ଯୋଜନାକୁ ଆପଣାଇ ଆତ୍ମନିର୍ଭରଶୀଳ ହେଲେ

111

କନକ ବ୍ୟୁରୋ: ସ୍ୱାବଲମ୍ବୀ ହେବା ପାଇଁ ବାଟ ବାଛିଲେ । ଆଉ ସରକାରୀ ଯୋଜନାକୁ ଆପଣାଇ ଆତ୍ମନିର୍ଭରଶୀଳ ହେଲେ । ଜଣେ କି ୨ ଜଣ ନୁହେଁ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଗୋଟିଏ ଛାତ ତଳେ ନିଜ ଭବିଷ୍ୟତ ଗଢ଼ୁଛନ୍ତି । ଆଉ ସହଯୋଗର ହାତ ବଡ଼ାଇଛି ଓଡ଼ିଶା ଜିବିକା ମିସନ ।

ଜୀବିକା ଯୋଗାଉଛି ଜୀବିକା ମିଶନ । ଓଡ଼ିଶା ଜିବିକା ମିସନ ସହାୟତାରେ ରୋଜଗାରକ୍ଷମ ହୋଇପାରିଛନ୍ତି କୋରାପୁଟ ବୋରିଗୁମ୍ମା ବ୍ଳକ ଯୁଜାରି ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକାଠି ହୋଇ କୁକୁଡ଼ା ପାଳନ, ମାଣ୍ଡିଆ ଚୁନା ଓ ବିଭିନ୍ନ ପ୍ରକାରର ମସଲା ପ୍ରସ୍ତତ କରି ଏହାକୁ ବିକ୍ରୟ କରି ଲାଭବାନ ହେଉଛନ୍ତି । ଗୋଟିଏ ଛାତ ତଳେ ଏକା ରଙ୍ଗର ଶାଢୀ ପିନ୍ଧି ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି ମହିଳା । କିଏ କୁକୁଡ଼ାକୁ ଦାନା ଦେଉଛି ତ ପୁଣି କିଏ କୁକୁଡ଼ା ଫାର୍ମରୁ ଅଣ୍ଡା ବାହାର କରୁଛି । ସେହିପରି କୋରାପୁଟିଆ ମାଣ୍ଡିଆକୁ ଚୁନା ଓ ହଳଦୀ ଗୁଣ୍ଡ ପ୍ରସ୍ତୁତ କରି ଏହାକୁ ପ୍ୟାକେଟ କରି ବଜାରରେ ବିକ୍ରୟ କରୁଛନ୍ତି । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ମହିଳା ।

ଘର କାମ ସହ ଅନ୍ୟ କିଛି କରିବାକୁ ଆଶା ରଖିଥିବା ଏହି ମହିଳା ମାନଙ୍କୁ ଏକତ୍ରିତ କରି ତାଲିମ ଦେବା ସହ ସେମାନଙ୍କ ଜୀବନ ଜୀବିକାରେ ସହଯୋଗ କରୁଛି ଓଡ଼ିଶା ଜୀବିକା ମିଶନ । ଗୋଟିଏ ସ୍ଥାନରେ ବହୁମୁଖୀ କୃଷି ଉଦ୍ୟୋଗ ପ୍ରତିଷ୍ଠା କରି ପ୍ରଥମ ପର୍ଯ୍ୟାୟରେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସବୁପ୍ରକାର ସାଧନ ଯୋଗାଇଛି ଜୀବିକା ମିଶନ । ଏହା ଦ୍ୱାରା ପ୍ରାୟ ୯୦ ଜଣ ମହିଳା ଆତ୍ମନିର୍ଭର ହୋଇପାରିଛନ୍ତି ।

ଏଠାରୁ ମିଳୁଥିବା ଅଣ୍ଡା ସିଧାସଳଖ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ପଠାଯାଉଥିବା ବେଳେ ମାଣ୍ଡିଆ ଚୁନା ଓ ହଳଦୀ ଗୁଣ୍ଡ ଓରମାସକୁ ପଠାଯାଉଛି । ଆଗକୁ ଏହିଭଳି ଉଦ୍ୟୋଗ ପ୍ରତି ବ୍ଳକରେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା ଜୀବିକା ମିଶନ । ଯାହାଦ୍ୱାରା ବିଭିନ୍ନ ଅଂଚଳର ମହିଳା ମାନେ ଏଥିରେ ଯୋଡ଼ି ହେବା ସହ ରୋଜଗାରର ମାଧ୍ୟମ ପାଇପାରିବେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବା କୋରାପୁଟ ଜିଲ୍ଲାର ମହିଳା ମାନଙ୍କ ବିକାଶ ପାଇଁ ଏବେ ଆଶାର ଆଲୋକ ପାଲଟିଛି ଓଡ଼ିଶା ଜୀବିକା ମିଶନ ।