ଗାଁ ବଜାରରେ ଖୋଲିଛି ବିୟୁଟି ପାର୍ଲର ଓ ସିଲେଇ ସେଣ୍ଟର । ସ୍ଥାନୀୟ ମହିଳାଙ୍କୁ ମେକଅପ୍ ଦେଇ କରୁଛନ୍ତି ଭଲ ରୋଜଗାର

411

କନକ ବ୍ୟୁରୋ : ଗାଁରେ ଖୋଲିଛି ବିୟୁଟି ପାର୍ଲର । ସ୍ୱାବଲମ୍ବୀ ହେବାପାଇଁ କିଛି ମହିଳା ଏକାଠି ହୋଇ ଏହି ପାର୍ଲର ଖୋଲିଛନ୍ତି । ଘର ଚାରିକାନ୍ଥ ମଧ୍ୟରେ ମହିଳା ଆଉ ସୀମିତ ହୋଇ ନାହାନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଆର୍ଥିକ ସ୍ୱଚ୍ଛଳ ପାଇଁ ଦାୟିତ୍ୱ ମୁଣ୍ଡାଇଛନ୍ତି । ପୁରୀ କୃଷ୍ଣପ୍ରସାଦ ଭଗବାନପୁର ଗାଁର ହଜାରି ବାବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଖୋଲିଛନ୍ତି ବିୟୁଟି ପାର୍ଲର । ଗାଁର ଝିଅ ବୋହୂ ମାନେ ଏଣିକି ଆଉ ବାହାରକୁ ଯାଉନାହାନ୍ତି । ନିଜ ଗାଁରେ ନିଜେ ସଜେଇ ହେବାର ସୁଯୋଗ ପାଇପାରୁଛନ୍ତି । ମହିଳାମାନେ ଘର କାମ ସାରି ଏହି ପାର୍ଲରରେ କିଛି କିଛି ସମୟ ଦେଉଛନ୍ତି । ଯାହାଦ୍ୱାରା ଏହି ମହିଳାମାନେ ରାଜଗାରକ୍ଷମ ହୋଇପାରୁଛନ୍ତି ।

ଖାଲି ବିୟୁଟି ପାର୍ଲର ନୁହେଁ ତା ଭିତରେ ଟେଲରିଂ କାମ କରୁଛନ୍ତି ମହିଳା । ବିଭିନ୍ନ ପ୍ରକାର ଡିଜାଇନର କପଡ଼ା ସିଲେଇ କରି ସେଥିରୁ ମଧ୍ୟ କିଛି ରୋଜଗାର କରି ପାରୁଛନ୍ତି । ନିଜର ଘର କାମ କରି ଦିନକୁ ୪ ଘଂଟା ଲେଖାଏଁ ସମୟ ଦେଉଛନ୍ତି । ଏଥିପାଇଁ ମହିଳା ମାନେ ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ରୁଣ ନେଇ ଏହି ବ୍ୟବସାୟକୁ ଆଗକୁ ବଢ଼ାଇଛନ୍ତି । ମାତ୍ର ବର୍ଷେ ହେଲା ବିୟୁଟି ପାର୍ଲର ଖୋଲିଥିବା ବେଳେ ଭଲ ବ୍ୟବସାୟ ମଧ୍ୟ ଚାଲିଛି । ଆଖପାଖ ଅଂଚଳର ଝିଅ ବୋହୂ ମାନେ ଆସି ଭିଡ଼ ଜମାଉଛନ୍ତି ।

ପାର୍ଲର କରି ମହିଳା ମାନେ ଅଧିକାଂଶ ସ୍ଥାନରେ ଆତ୍ମନିର୍ଭର ହୋଇପାରିଛନ୍ତି । ଏପରିକି ମହିଳା ମାନେ ଏହାଦ୍ୱାରା ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ବର୍ତମାନ ସମୟରେ ଏହା ଏକ ଯୁଗଉପଯୋଗୀ ବ୍ୟବସାୟ ହୋଇଥିବା ବେଳେ ଗ୍ରାମାଂଚଳର ମହିଳାମାନେ କିଭଳି ଏଥିରେ ଯୋଡ଼ିହୋଇପାରିବେ ସେନେଇ ଏକ ପ୍ରୟାସ ଆରମ୍ଭ ହୋଇଛି ।