ଭାରି ସୁନ୍ଦର ଦିଶୁଛି ସମଲେଇ ଚୁଆଁ ହାଇସ୍କୁଲ । ରଙ୍ଗବେରଙ୍ଗର ଫୁଲଗଛ ସହ ବିଦ୍ୟାଳୟ ଅଗଣାରେ ଝରଣା ଯାଉଛି ବହି ।

278
କନକ ବ୍ୟୁରୋ: ଆଉ କିଛିଦିନ ପରେ ଖୋଲିବ ସ୍କୁଲ । ଦିର୍ଘ ୧୦ମାସର ଲକଡାଉନରେ ବନ୍ଦ ହୋଇ ପଡିଥିବା ସ୍କୁଲ ଗୁଡିକର ଅବସ୍ଥା ନେଇ ଚିନ୍ତାରେ ଶିକ୍ଷକ ଓ ଛାତ୍ରଛାତ୍ରୀ । ହେଲେ ସୁବର୍ଣ୍ଣପୁର ଜିଲ୍ଲା ସମଲେଇ ଚୁଆଁ ହାଇସ୍କୁଲର କଥା କିଛି ନିଆରା । ଏହି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲରେ ଅପେକ୍ଷା କରିରହିଛି ଅନେକ ଆଶ୍ଚର୍ୟ୍ୟ । ପିଲାମାନେ ଛାଡିଯାଇଥିବା ସ୍କୁଲ ପରିସରରେ ଥିବା ଖାଲି ପଡିଆ ଏବେ ପାଲଟିଯାଇଛି ସୁନ୍ଦର ଉଦ୍ୟାନ । ଯାହାକୁ ଆଖିରେ  ନଦେଖିଲେ କେହି ବିଶ୍ୱାସ କରିପାରିବ ନାହିଁ ।
କୁଳୁକୁଳୁ ଶବ୍ଦ କରି ଝରି ଆସୁଛି ପାଣି । ଏହି କୃତ୍ରିମ ଝରଣା ପରିବେଶକୁ ଆକର୍ଷିଣୀୟ କରୁଥିବା ବେଳେ ତଳେ ରହିଛି ବହୁ ରଙ୍ଗବେରଙ୍ଗର ଫୁଲ ଗଛ । ହେଲେ ଏହା କୌଣସି ପାର୍କ କି ଜଙ୍ଗଲର ଦୃଶ୍ୟ ନୁହେଁ । ଏହା ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । ୧୦ ମାସର ତାଲାବନ୍ଦରେ ସ୍କୁଲର ଦୁଇ ଜଣ ଶିକ୍ଷକ ସ୍କୁଲ ପରିସରଙ୍କୁ ସୁନ୍ଦର ଭାବେ ଗଢି ତୋଳିଛନ୍ତି । ଆଉ ଏବେ ସ୍କୁଲ ରାସ୍ତା ଦେଇ ଯାଉଥିବା ସାଧାରଣ ଲୋକ କିଛି ସମୟ ପାଇଁ ଅଟକି ସ୍କୁଲକୁ ଚାହିଁ ରହୁଛନ୍ତି ।
ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟରେ ୩ଶହ ଛାତ୍ରଛାତ୍ରୀ ପଢୁଛନ୍ତି । ବିଭିନ୍ନ ସମୟରେ ଏହି ସ୍କୁଲର ଛାତ୍ରଛାତ୍ରୀ ଜିଲ୍ଲାରେ ଟପ୍ପର ହୋଇ ଚର୍ଚ୍ଚାରେ ରହିଥାନ୍ତି । ପାଠପଢା ସାଙ୍ଗକୁ ବିଦ୍ୟାଳୟ ପରିସରକୁ ସରସ ଓ ସୁନ୍ଦର ରଖିଥାନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ । ସ୍କୁଲ ପରିସରରେ ଫୁଲଫଳ ଗଛ ଲଗାଇବା ସହ ପନିପରିବା ଓ ଔଷଧିୟ ବୃକ୍ଷ ଲଗାଇଛନ୍ତି ଶିକ୍ଷକ । ଦିନକୁ ଦିନ ଛାତ୍ରଛାତ୍ରୀ ସରକାରୀ ସ୍କୁଲରୁ ମୁହଁ ଫେରାଇ ନେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ଏହି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ।