ହଲିଉଡ ଚଳଚ୍ଚିତ୍ରମାନଙ୍କରେ ଭାରତୀୟ କଳାକାର ମାନେ ବିଗତ କିଛିବର୍ଷ ଧରି ନିଜର ଅଭିନୟ ଚାତୁରୀ ଦେଖାଇ ଆସୁଛନ୍ତି । ବିଦେଶୀ ପ୍ରଯୋଜଙ୍କ ମାନେ ମଧ୍ୟ ସେମାନଙ୍କୁ ନିଜ ଫିଲ୍ମରେ ସମ୍ମାନର ସହିତ ସୁଯୋଗ ଦେବାରେ କୁଣ୍ଠାବୋଧ କରୁନାହାନ୍ତି । ଏହି ଧାରା ଆଗକୁ ମଧ୍ୟ ବଜାୟ ରହିବ ବୋଲି ଧୀରେ ଧୀରେ ବିଶ୍ବାସ ହେଉଛି କାରଣ ବିଦେଶୀ ଫିଲ୍ମରେ ଖାସକରି ହଲିଉଡରେ ଭାରତୀୟ ଅଭିନେତ୍ରୀମାନେ ସେମାନଙ୍କର ପାଦ ଜମେଇ ଆସିଲେଣି ।

ଚାରି ଦଶକ ପୂର୍ବେ ଭାରତୀୟ ଅଭିନେତ୍ରୀ ପରସିସ ଖମ୍ବାଟା ପ୍ରଥମେ ହଲିଉଡରେ ଅଭିନୟ କରିଥିଲେ ସେବେଠୁ ଏବେ ଯାଏ ୧୨ରୁ ଅଧିକ ହିନ୍ଦୀ ଅଭିନେତ୍ରୀ ହଲିଉଡରେ ସେମାନକର ଯାଦୁ ଦେଖେଇ ସାରିଲେଣି ।

ଚଳଚ୍ଚିତ୍ର ସମୀକ୍ଷକମାନଙ୍କ କହିବ ଅନୁସାରେ ୟା ପଛରେ ସେମାନକର ନିଖୁଣ ଅଭିନୟ ସାଙ୍ଗକୁ ଅନ୍ତର୍ଜାତୀୟ ସ୍ଥରରେ ଥିବା ସେମାନକର ଫ୍ୟାନ ଓ ଫଲୋୟର୍ସ ମାନକର ଅବଦାନ ମଧ୍ୟ ରହିଛି ।

ଏହି ସୂଚୀରେ ଏବେ ନୂଆ ନୂଆ ହେଇ ଆଲିଆ ଭଟ୍ଟଙ୍କ ନାମ ଯୋଡିହେଇଛି ।

ଆଲିଆ ଭଟ୍ଟ ନେଟଫ୍ଲିକ୍ସର ‘ହାର୍ଟ ଅଫ ଷ୍ଟୋନ’ ଫିଲ୍ମ ଜରିଆରେ ହଲିଉଡରେ ପାଦ ଥାପିଛନ୍ତି । ଏହି ଚଳଚ୍ଚିତ୍ରକୁ ବ୍ରିଟିଶ ପ୍ରଯୋଜକ ଟମ ହାର୍ପର ନିର୍ଦ୍ଦେଶନା ଦେଇଛନ୍ତି ।

ଦକ୍ଷିଣ ଭାରତର ନାଁ କରା ଅଭିନେତ୍ରୀ ସାମନ୍ଥା ପ୍ରଭୁ ମଧ୍ୟ ହଲିଉଡରେ ନିଜର ଦମ ଦେଖେଇବାକୁ ଯାଉଛନ୍ତି ।

ଫିଲ୍ମ ‘ ଆରେଞ୍ଜମେଣ୍ଟସ ଅଫ ଲଭ’ ଚଳଚ୍ଚିତ୍ର ଜରିଆରେ ହଲିଉଡରେ ସେ ନିଜର କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି ।

ସାମନ୍ଥା, ଫିଲିପ ଜନ୍ ଙ୍କ ଫିଲ୍ମରେ ଗୋଟେ ଡିଟେକଟିଭ ଏଜେନ୍ସି ଚଲାଉଥିବା ଜଣେ ବାଇସେକସୁଆଲ ତାମିଲ ମହିଳା ଭୂମିକାରେ ଅଭିନୟ କରିଛନ୍ତି ।

ଜ୍ୟାକଲିନ ଫର୍ନାଣ୍ଡିଜ ମଧ୍ୟ ହଲିଉଡରେ ଅଭିନୟ କରିବାକୁ ଯାଉଛନ୍ତି ।

ନିର୍ମାଣାଧୀନ ଚଳଚ୍ଚିତ୍ର ‘ ଟେଲ୍ ଇଟ୍ ଲାଇକ୍ ଏ ଓମେନ’ ଜରିଆରେ ସେ ହଲିଉଡରେ ଏଣ୍ଟ୍ରି କରୁଛନ୍ତି ବୋଲି ଏକ ପୋଷ୍ଟ ସେୟାର କରି ଜଣାଇଛନ୍ତି ।

ଏହି ଚଳଚ୍ଚିତ୍ରକୁ ବିଶ୍ଵର ବିଭିନ୍ନକୋଣର ୮ ଜଣ ମହିଳା ମିଳିତ ଭାବେ ନିର୍ଦ୍ଦେଶନା ଦେଇଛନ୍ତି ।

ଏହି ଫିଲ୍ମରେ ଜେନିଫର ହଡସନ, ତାରାଜି ପି ହେଁସନ ଏବଂ କାରା ଡେଲେବିଗନେ ସହିତ ଅନ୍ୟ କଳାକାର ମାନେ ଅଭିନୟ କରିଛନ୍ତି ।

‘ଏଂଥୋଲୋଜି’ରେ ଜ୍ୟାକଲିନଙ୍କ କାହାଣୀର ନିର୍ଦ୍ଦେଶନା ଲୀନା ଯାଦବ କରିବେ । ଏହି ବର୍ଷ ରିଲିଜ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରର ବହୁ ଭାଗର ସୁଟିଂ ଭାରତ, ଇଟାଲୀ, ଜାପାନ ଓ ଆମେରିକାର ବିଭିନ୍ନ ସ୍ଥାନରେ ହୋଇଛି ।

ଅନିଲ କପୁରଙ୍କର ୱେବସିରିଜ ‘ନାଇଟ ମ୍ୟାନେଜର’ରେ ଶୋଭିତା ଧୁଲିପାଲା ହଲିଉଡରେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଦେଖିବାକୁ ମିଳିଛି ।

ଦେବ ପଟେଲ ନିର୍ଦ୍ଦେଶିତ ଆକ୍ସନ ଥ୍ରୀଲର ‘ମଙ୍କି ମ୍ୟାନ’ ଜରିଆରେ ସେ ହଲିଉଡରେ ପାଦ ଥାପିବେ ବୋଲି ଜଣାପଡିଛି ।

ଏମିତିରେ ଦେଖିବାକୁ ଗଲେ ୩୦ ଦଶକରୁ ବିଦେଶୀ ଫିଲ୍ମରେ ଭାରତୀୟ ମାନେ କାମ କରୁଛନ୍ତି ।

ସାବୁ ଦସ୍ତଗିରି ପ୍ରଥମ ଭାରତୀୟ ଅଭିନେତା ଭାବେ ହଲିଉଡରେ ଅଭିନୟ କରିଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ ନିଜର ହଲିଉଡ କ୍ୟାରିଅର ଆରମ୍ଭ କରିଥିଲେ ।

ସାବୁ ଦସ୍ତଗିରି ୧୯୩୫ରେ ରବର୍ଟ ଫ୍ଲାହାର୍ଟିଙ୍କ ଫିଲ୍ମ ‘ଏଲିଫ୍ୟାଣ୍ଟ ବୟ, ଦି ଡ୍ରମ, ଦି ଥିଫ ଅଫ ବାଗଦାଦ, ଆରବିଆନ ନାଇଟସ, କୋବ୍ରା ଓମେନ ଓ ତାଞ୍ଜର’ରେ ଅଭିନୟ କରିଛନ୍ତି ।

୧୯୪୨ରେ ‘ଦି ଜଙ୍ଗଲ ବୁକ’ରେ ଅଭିନୟ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା ।

ଭାରତ ଛାଡିବା ପରେ ସାବୁ ଦସ୍ତଗିରି ଆମେରିକାର ନାଗରିକତା ଗ୍ରହଣ କରି ସେଠାରେ ସ୍ଥାୟୀ ଭାବେ ବସବାସ କରୁଥିଲେ । ମାତ୍ର ୩୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

ପ୍ରିୟଙ୍କା ଚୋପ୍ରାଙ୍କ ଠୁ ଫ୍ରୀଡ଼ା ପିଂଟୋ  ଯାଏ

ବଲିଉଡରେ ନିଜର  ଅଭିନୟ ଚତୁରୀରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ପ୍ରିୟଙ୍କା ଚୋପ୍ରା ହଲିଉଡରେ ଖାଲି କାମ କରୁନାହାନ୍ତି । ଏବେ ସେ ହଲିଉଡର ଜଣେ ଆଗଧାଡ଼ିର ନାୟିକା ।

‘କ୍ୟାଣ୍ଟିକୋ ସିରିଜ’ରୁ ଆରମ୍ଭ କରି ‘ହ୍ୱାଇଟ ଟାଇଗର’, ‘ବେ ୱାଚ’, ‘ଏ କିଡ଼ ଲାଇକ ଜ୍ୟାକ’ ଓ ‘ପିଂକ ପାନ୍ଥର’ ଯେମିତି ହଲିଉଡ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି ।

ସେ ‘ୱାର୍ଲଡ ଅଫ କ୍ଳେମସ, ଇଟ୍ସ ମାଇଁ ସିଟି ଓ ସୁପରସୋଲ’ ଭଳି ସୋ ରେ ମଧ୍ୟ କାମ କରିଛନ୍ତି ।

ସଦ୍ୟ ମୁକ୍ତିଲାଭ କରିଥିବା ‘ଲଭ ଏଗେନ’ ଫିଲ୍ମରେ ସେ ଅଭିନୟ କରିଛନ୍ତି ।

ଗତ କିଛିଦିନ ତଳେ ଫିଲ୍ମ ‘ସିଟାଡେଲ’ର ପ୍ରଚାର ପ୍ରସାର ପାଇଁ ଭାରତ ଆସିଥିବା ବେଳେ ଏକ ସାକ୍ଷାତକାରରେ ସେ କହିଛନ୍ତି ‘ ହଲିଉଡରେ ନିଜର ସ୍ଥାନ ତିଆରି କରିବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡିଛି । ସେଠି କାମ କରିବାର ମୋତେ ୧୦ ବର୍ଷ ପରେ ମୋତେ ଏବେ ଲାଗୁଛି ମୋତେ ସାଇଡଲାଇନ କରାଯାଇନାହିଁ । ଧୀରେଧୀରେ ବଲିଉଡ ପ୍ରତି ସେମାନକର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଲାଣି । ୧୦ ବର୍ଷ କାମ କଲା ପରେ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି ଯେଉଁଠି ମୋ ପସନ୍ଦ ମୁତାବକ ଚରିତ୍ରରେ ମୋତେ ଅଭିନୟ କରିବାର ସୁଯୋଗ ମିଳୁଛି ।‘

ଅଭିନେତ୍ରୀ ତବୁ ହଲିଉଡ ଫିଲ୍ମ ‘ଦି ନେମସେକ’(୨୦୦୭) ଓ ‘ଲାଇଫ ଅଫ ପାଇ’(୨୦୧୨)ରେ ଅଭିନୟ କରିଛନ୍ତ

ଐଶ୍ବର୍ଯ୍ୟା ରାୟ ବଚ୍ଚନ, ଗୁରିନ୍ଦର ଚଢ଼ାଙ୍କ ‘ବ୍ରାଇଡ ଆଣ୍ଡ ପ୍ରିଜୁଡ଼ିସ’ ପ୍ରୋଭୋକଡ଼, ଦି ପିଂକ ପାନ୍ଥର-୨  ଓ ଦି ଲାଷ୍ଟ ସିଜିନ ପରି ଫିଲ୍ମରେ କାମ କରିଛନ୍ତି ।

ପ୍ରିୟଙ୍କାଙ୍କ ପରେ ପ୍ରତିଷ୍ଠିତ ହିନ୍ଦୀ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ହଲିଉଡରେ କାମ କରିଛନ୍ତି ।

ସେ  ଭିନ୍ ଡିଜେଲଙ୍କ ସହ ଆକ୍ସନ ଥ୍ରୀଲର ‘XXX: ରିଟର୍ନ ଅଫ ଜେଣ୍ଡାର କେଜ’ରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ଦୀପିକା କୁହନ୍ତି ‘ସେ କୌଣସି ଚଳଚ୍ଚିତ୍ରର ଆକଳନ ଏମିତି କରନ୍ତି ନାହିଁ ଯେ ତାହା ଭାରତୀୟ ନା ବିଦେଶୀ ବୋଲି , ସେ ତାହାକୁ ନିଜର କଳା ପ୍ରସ୍ତୁତିର ମାଧ୍ୟମ ରୂପେ ଦେଖନ୍ତି । “

ତାଙ୍କ କହିବା ଅନୁସାରେ ‘ଯଦି ଭାରତ ବାହାରେ ତାଙ୍କୁ ଅଭିନୟ କରିବାକୁ ସୁଯୋଗ ମିଳୁଛି ସେଥିରେ ସିଏ ଖୁସି । ତାହା ହଲିଉଡ ଫିଲ୍ମ ହେଉ କି ଅନ୍ୟକୌଣସି ବିଦେଶୀ ଭାଷାର ଫିଲ୍ମ ହେଉ । “

ବିଗତ ଦିନରେ କିସିଙ୍ଗ କୁଇନ ଭାବେ ପ୍ରସିଦ୍ଧି ଲାଭ କରିଥିବା ମଲ୍ଲିକା ସେରାବତ ବିଦେଶୀ ଥ୍ରୀଲର ‘ହିସସସ’ ଜରିଆରେ ହଲିଉଡରେ ପ୍ରବେଶ କରିଛନ୍ତି ।

ନିଜର ଦ୍ଵିତୀୟ ଫିଲ୍ମ ‘ପଲିଟିକ୍ସ ଅଫ ଲଭ’ ରେ ସେ ବ୍ରାୟନ ଜେ ହ୍ୱାଇଟଙ୍କ ସହ ଅଭିନୟ କରିଛନ୍ତି ।

ଏବେ ମୁକ୍ତିଲାଭ କରିଥିବା ‘ରକି ଔର ରାନୀ କୀ ପ୍ରେମ କାହାନୀ’ରେ ଅଭିନୟ କରିଥିବା ବର୍ଷୀୟାନ ବଲିଉଡ ଅଭିନେତ୍ରୀ ଶାବନା ଆଜମି ୧୯୮୮ରେ ‘ମ୍ୟାଡ଼ାମ ସୁସାଜକା’ ନାମକ ହଲିଉଡ ଫିଲ୍ମରେ ଅଭିନୟ କରିଥିଲେ ।

ଏହା ବ୍ୟତୀତ ସେ ‘ସିଟି ଅଫ ଜୟ ,  ଇନ କଷ୍ଟଡ଼ି ଓ ବେଙ୍ଗଲୀ ନାଇଟ ‘ ଆଦି ହଲିଉଡ ଫିଲ୍ମରେ କାମ କରିଛନ୍ତି ।

ଓସ୍କାର ଜିତିଥିବା ‘ସ୍ଲମଡଗ ମିଳେନିୟାର’ରେ ଲତିକା ଭୂମିକାରେ ଅଭିନୟ କରିଥିବା  ଫ୍ରୀଡ଼ା ପିଂଟୋ  ହଲିଉଡରେ ‘ମୀରାଲ, ଦି ଡେ ଅଫ ଦି ଫାଲକନ, ଲଭ ୱେଡିଙ୍ଗ ରିପିଟ, ଇଣ୍ଟରୁଜନ’ ଆଦି ଫିଲ୍ମରେ ଅବିନୟ କରିଛନ୍ତି ।

ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରେୟା ସରନ ‘ଦି ଅଦର ଏଣ୍ଡ ଅଫ ଦି ଲାଇନ’ ଫିଲ୍ମ ମାଧ୍ୟମରେ ହଲିଉଡରେ ଏଣ୍ଟ୍ରି କରିଛନ୍ତି ।

କମଲ ହସନଙ୍କ ‘ ବିଶ୍ଵରୂପମ’ ସହିତ ବହୁ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଭାରତୀୟ ମୂଳ ବଂଶଜ ଅଭିନେତ୍ରୀ ପୂଜା କୁମାର ‘ଫ୍ଲେଭର୍ସ, ମ୍ୟାନ ଅନ ଏ ଲେଜ, ପାର୍କ ସାକର୍ସ, ବଲିଉଡ ବିଟସ, ଏନିଥିଙ୍ଗ ଫର ଇଉ’ ଆଦି ହଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି ।

‘କକଟେଲ ଓ ବବି ବିଶ୍ବାସ’  ପରି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଟିନା ଦେସାଇ ହଲିଉଡ ଫିଲ୍ମ ‘ଦି ବେଷ୍ଟ ଏକ୍ସାଟିକ ମେରୀଗୋଲଡ ହୋଟେଲ’ ଜରିଆରେ ହଲିଉଡରେ ପ୍ରବେଶ କରିଛନ୍ତି । ଏହାବ୍ୟତୀତ ସେ ଆମେରିକାନ ସିରିଜ ‘ ସେନ୍ସ-୮ ଓ ଥମାସ ଆଣ୍ଡ ଫ୍ରେଣ୍ଡସ’ ରେ ମଧ୍ୟ କାମ କରିଛନ୍ତି ।

ବର୍ଷୀୟାନ ହିନ୍ଦୀ ଅଭିନେତ୍ରୀ ଡିମ୍ପଲ କପଡ଼ିଆ କ୍ରିଷ୍ଟୋଫର ନୋଲେନଙ୍କ ‘ଟେନେଣ୍ଟ’ ରେ ଅଭିନୟ କରିଥିଲେ , ଯାହାର ବହୁଭାଗ ଭାରତର ବିଭିନ୍ନ ସ୍ଥାନରେ ସୁଟିଂ ହୋଇଥିଲା ।