ଧାନ କେଣ୍ଡାରେ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରସଜା ସାମଗ୍ରୀ । ସ୍ଥାନୀୟ ବଜାର ସହ ବାହାରୁ ଆସୁଛି ଅର୍ଡର

68

କନକ ବ୍ୟୁରୋ : ଧାନ ସୀସାରେ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରସଜା ସାମଗ୍ରୀ । ଧାନମେଂଟା, ଝଲିଝମ୍ପା, ହାର ଭଳି ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରୁଛନ୍ତି ମହିଳା । ଯାହା ବେଶ ଆକର୍ଷଣୀୟ ହୋଇଛି । ଖୋର୍ଦ୍ଧା ବୋଲଗଡ଼ ବ୍ଳକ ସିମାପଲ୍ଲି ଗାଁର ମା’ ବାଘେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୦ ଜଣ ସଦସ୍ୟ । ନିଜର ଘର କାମ ସାରି ଏହି କାମରେ ଲାଗିଛନ୍ତି । ଡିଜାଇନ୍ ଓ ଆକାର ଅନୁସାରେ ଏହାକୁ ବିକ୍ରି କରି କିଛି ରୋଜଗାର କରୁଛନ୍ତି । ବିଶେଷକରି ମାର୍ଗଶୀର ମାସ ଆସିଲେ ଧାନ ମେଂଟାର ଆବଶ୍ୟକତା ପଡ଼ିଥାଏ । ଓଡ଼ିଆ ଘରର ପରମ୍ପରା ଅନୁସାରେ ଲକ୍ଷ୍ମୀ ପୂଜା କରାଯାଏ । ଆଉ ଧାନକୁ ମା’ଙ୍କ ପ୍ରତିମା ରୁପରେ ଲୋକେ ପୂଜା କରନ୍ତି । ତେଣୁ ମାର୍ଗଶୀର ମାସରେ ଏହି ସବୁ ଜିନିଷର ଅଧିକ ଚାହିଦା ରହିଥାଏ ।

ଏଥିପାଇଁ ଧାନ ଅମଳ ସମୟରେ ଧାନ କେଣ୍ଡା ସଂଗ୍ରହ କରିବାକୁ ପଡ଼ିଥାଏ । ବର୍ଷ ତମାମ ଏଥିରୁ ତିଆରି ହୁଏ ଧାନମେଂଟା । ବିଶେଷକରି ୨୦୧୫ରୁ ଏହି କାମ ଆରମ୍ଭ କରିଛନ୍ତି ଏସଏଚଜି ମହିଳା । ଏବେ ଏହି ସବୁ ସମାଗ୍ରୀ କିଣିବା ପାଇଁ ସ୍ଥାନୀୟ ବଜାର ସହ ବାହାରୁ ଆସୁଛି ଅର୍ଡର । ଏପରିକି ବୋଲଗଡ଼ ମହୋତ୍ସବ, ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳାରେ ମଧ୍ୟ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି ମହିଳା । ଡିଜାଇନ୍ ଅନୁସାରେ ଦାମ୍ ମଧ୍ୟ ଭିନ୍ନ ଭିନ୍ନ ରହିଛି ।

ଦିନେ ଏହି ମହିଳା ମାନେ ନିଜର ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲେ । ଆଉ ଏବେ ନିଜସ୍ୱ ଉଦ୍ୟମରେ ଏଭଳି କାମ କରି କରୁଛନ୍ତି ରୋଜଗାର । ଯାହା ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା ।