ବାଉଁଶରେ ତିଆରି ହେଉଛି ସୁନ୍ଦର ସୁନ୍ଦର ହସ୍ତକଳା । କତା ଓ ବାଉଁଶରେ ଘରସଜ୍ଜା ସାମଗ୍ରୀ ତିଆରି କରୁଛନ୍ତି ମହାବୀର ଉତ୍ପାଦିକା ଗୋଷ୍ଠୀର ସଦସ୍ୟା

51

କନକ ବ୍ୟୁରୋ: ବାଉଁଶରେ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରସଜ୍ଜା ସାମଗ୍ରୀ । ଆକର୍ଷଣୀୟ ଫୁଲତୋଡ଼ା, ଫୁଲଦାନୀ, ପେନ ଷ୍ଟାଣ୍ଡ, ୱାଲ ହ୍ୟାଙ୍ଗିଙ୍ଗ ଭଳି ଜିନିଷ ତିଆରି କରୁଛନ୍ତି ମହିଳା । ସେହିପରି ଘରେ ବ୍ୟବହାର ହେଉଥିବା ଝୁଡ଼ି, ଟୋକେଇ, କୁଲା, ଫୁଲ ଚାଙ୍ଗୁଡ଼ି ସାମଗ୍ର୍ରୀ ପ୍ରସ୍ତୁତ କରୁଛନ୍ତି ଭୋଗରାଇ ବ୍ଲକ ହୁଗୁଳି ପଞ୍ଚାୟତ ବରବରିଆ ଗାଁର ଏସଏଚଜି ମହିଳା । ମହାବୀର ଉତ୍ପାଦକ ଗୋଷ୍ଠୀର ମହିଳା ମାନେ ବାଉଁଶ ଓ ନଡ଼ିଆ କତାରେ ଏହି ସବୁ ସାମଗ୍ରୀ ତିଆରି ପାଇଁ ତାଲିମ ନେଇଛନ୍ତି । ବିଭିନ୍ନ ପ୍ରକାରର ଉପକରଣ ତିଆରି କରି ଏହାକୁ ବଜାରରେ ବିକ୍ରି କରୁଛନ୍ତି । କିଛି ରୋଜଗାର କରି ନିଜେ ଆତ୍ମନିର୍ଭର ହୋଇପାରୁଛନ୍ତି ।

  • ରୋଜଗାରର ମାଧ୍ୟମ ସାଜିଛି ବାଉଁଶ କଳା
  • ଉପକୃତ ହେଉଛନ୍ତି ୨୦ରୁ ଅଧିକ ମହିଳା

ଗାଁର ମହିଳା ମାନେ ଏହି ସବୁ ସାମଗ୍ରୀ ତିଆରି କରିବା ପାଇଁ ୧୫ ଦିନିଆ ତାଲିମ ନେଇଛନ୍ତି । ଘର କାମ ସାରି ଦିନକୁ ଏହି କାମ ପାଇଁ ୨ରୁ ୩ ଘଣ୍ଟା ସମୟ ଦେଉଛନ୍ତି । ସ୍ଥାନୀୟ ବଜାର ସହ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଦ୍ୱାରା ବିକ୍ରି କରୁଛନ୍ତି । ଆଖପାଖରେ ଅନୁଷ୍ଠିତ ହେଉଥିବା ମେଳା ମହୋତ୍ସବରେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି । ତେବେ ନିଜର ଖର୍ଚ୍ଚ ପାଇଁ ମହିଳା ମାନଙ୍କୁ ଆଉ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ନିଜେ ରୋଜଗାର କରି ଆତ୍ମନିର୍ଭରଶୀଳ ହେଉଛନ୍ତି ଏହି ଅଞ୍ଚଳର ଏସଏଚଜି ମହିଳା । ଯାହା ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।