ଅଦରକାରୀ କାଗଜରୁ ସୁନ୍ଦର କଳାକୃତି । ପରିଣତ ବୟସରେ ଦିଆସିଲ ଖୋଳ, ଧୂପକାଠି ଖୋଳରେ ସୁନ୍ଦର ସାଜସଜା ସାମଗ୍ରୀ ତିଆରି କରୁଛନ୍ତି ନିମାପଡା କୈଳାଶ ଆଚାର୍ଯ୍ୟ

154

କନକ ବ୍ୟୁରୋ: ରଦ୍ଦି କାଗଜରେ ସୁନ୍ଦର କଳାକୃତି । ନଦେଖିଲେ ବିଶ୍ୱାସ କରିହେବନି । ଏଭଳି କଳାର ଅଧିକାରୀ ପୁରୀ ନିମାପଡ଼ା ବ୍ଲକ ବ୍ରାହ୍ମଣଚାନ୍ଦପୁର ଗାଁର କୈଳାଶ ଆଚାର୍ଯ୍ୟ । ପରିଣତ ବୟସରେ ଅଦରକାରୀ ସିଗାରେଟ ପ୍ୟାକେଟ, ଧୂପକାଠି ଖୋଳ, ଗୁଟୁଖା ପ୍ୟାକେଟ ଏବଂ ଦିଆସିଲ ଖୋଳକୁ ରାସ୍ତାକଡ଼ରୁ ଗୋଟାଇ ସୁନ୍ଦରସୁନ୍ଦର କଳାକୃତି ନିର୍ମାଣ କରୁଛନ୍ତି କୈଳାଶ ।

ଘରେ ରହିଛି ଖୁବ୍ ସୁନ୍ଦର ସୁନ୍ଦର କଳାକୃତି । ଆମେମାନେ ଅଦରକାରୀ ଭାବି ବାହାରେ ଫିଙ୍ଗି ଦେଉଥିବା ସିଗାରେଟ ଖୋଳ, ଧୂପକାଠି ଖୋଳ, ଗୁଟୁଖା ଖୋଳ ଏବଂ ଦିଆସିଲ ଖୋଳକୁ ବ୍ୟବହାର କରି ସାଜସଜା ସାମଗ୍ରୀ ତିଆରି କରିଛନ୍ତି ବ୍ରାହ୍ମଣଚାନ୍ଦପୁର ଗାଁର କୈଳାସ ଆଚାର୍ଯ୍ୟ । ପେଶାରେ ଜଣେ ରୋଷେୟା କୈଳାସ ଆଗରୁ ହୋଟେଲରେ ରୋଷେଇ କରି ଗ୍ରାହାକଙ୍କୁ ପରଷି ଦେଉଥିଲେ । ହେଲେ ଏବେ ବୟସ ବଢିବାରୁ ଆଉ ପୂର୍ବ କାମ କରି ପାରୁନାହାନ୍ତି । କିନ୍ତୁ ସେ ହାରି ଯାଇ ନାହାନ୍ତି । ଏବେ ବି ଆଳସ୍ୟ ଠାରୁ ବହୁ ଦୂରରେ, ତାଙ୍କ ଆତ୍ମବିଶ୍ୱାସ ଆଗରେ ହାରମାନିଛି ବୟସ । ବିନା ପ୍ରଶିକ୍ଷଣରେ ଦୃଢ ଇଛାଶକ୍ତି ବଳରେ ସୃଷ୍ଟି କରିଛନ୍ତି ସୁନ୍ଦର କଳାକୃତି ।

ସ୍ୱାମୀଙ୍କ ଏଭଳି କାଯ୍ୟକୁ ନେଇ ବେଶ ଖୁସି ଅନୁଭବ କରଛନ୍ତି ପତ୍ନୀ ରେଣୁବାଳା । ସେ ମଧ୍ୟ ସମୟ ପାଇଲେ ସ୍ୱାମୀଙ୍କୁ ସହଯୋଗ କରନ୍ତି । ହେଲେ ଗରିବୀକୁ ନେଇ ତାଙ୍କ ମନରେ ରହିଛି ଅନେକ ଦୁଃଖ । ପରିଣତ ବୟସରେ ସ୍ୱାମୀ ଆଉ ହୋଟେଲରେ ରୋଷେଇ କରି ପାରୁନାହନ୍ତି । କରୋନା କଟକଣା ଯୋଗୁଁ ସ୍ୱାମୀ ତିଆରି କରୁଥିବା କଳାକୃତି ବିକ୍ରି ହୋଇ ପାରୁନାହିଁ । ତେଣୁ ବର୍ତ୍ତମାନ ତେଲଲୁଣ ସଂସାର ଚଳିବାକୁ ବହୁକଷ୍ଟ ହେଉଛି ।

ଗରିବୀର ଚକ୍ରବ୍ୟୁହରେ ପେଶି ହୋଇ ହୃଦୟର କୋହକୁ ମନରେ ଚାପି ରଖି କୈଳାଶ ସୃଷ୍ଟି କରିଛନ୍ତି ଅନେକ କଳାକୃିତ । ଆଉ ପରିବେଶ ସୁରକ୍ଷା କ୍ଷେତ୍ରରେ ଆଗାମୀ ପିଢ଼ି ପାଇଁ ବାଂଟି ଚାଲିଛନ୍ତି ସଚେତନତାର ବାର୍ତ୍ତା ।