କରଡୋଲା ଗାଁକୁ ସଜାଇଲେ ଚିତ୍ରକାର ଓ ବୁଣାକାର : ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଆୟୋଜିତ ହେଲା ଭିତିଚିତ୍ର ଶିବିର

ସାମିଲ ହେଲେ ୪୦ ଚିତ୍ରକର ଓ ୪୭ ବୁଣାକାର

92

କନକ ବ୍ୟୁରୋ : ପୂରା ଗାଁକୁ ସଜାଇଲେ ଚିତ୍ରକର ଓ ବୁଣାକାର । ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଗାଁକୁ ସଜାଯିବା ସହ ଆୟୋଜିତ ହୋଇଛି ଭିତିଚିତ୍ର ଶିବିର । ସମ୍ବଲପୁର ଧନକଉଡା ବ୍ଲକର କରଡୋଲା ଗାଁରେ ବୁଣାକାର ପରିବାର ରହୁଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ସହ ସମ୍ବଲପୁରୀ ଶାଢୀର ପ୍ରଚାର ପ୍ରସାର କରିବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏପରି ପ୍ରସାୟ କରାଯାଇଛି ।

ଗାଁ’ର ପ୍ରତିଟି ଘର କାନ୍ଥରେ ଭଳିକି ଭଳି ସମ୍ବଲପୁରୀ ଡିଜାଇନ୍ ରଂଗିନ ଚିତ୍ର ଅଙ୍କା ଚାଲିଛି। ଅତି ସୁନ୍ଦର ହୋଇଛି ଗାଁ’ର ପରିବେଶ । ଲଳିତ ‌କଳା ‌ଏକାଡେମି ପକ୍ଷରୁ କର୍‌ଡୋଲା ଗାଁରେ ୧୮ ତାରିଖରୁ ଆରମ୍ଭ ହୋଇଥିବା ବାନ୍ଧ ଓ ଚିତ୍ରକଳା ଶିବିର ଆଜି ଉଦ୍‌ଯାପିତ ହେବ । ଲଳିତ କଳା ଏକାଡେମିର ସଭାପତି ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗାଁରେ ଉପସ୍ଥିତ ରହି ଶିଳ୍ପୀ ମାନଙ୍କୁ ଉତ୍ସାହିତ କରୁଛନ୍ତି । ଏହି ଶିବିରରେ ୪୭ ଜଣ ବୁଣାକାର ଏବଂ ୪୨ ଜଣ ଚିତ୍ରଶିଳ୍ପୀ ସାମିଲ ହୋଇଛନ୍ତି ।

କର୍‌ଡୋଲା ଗାଁ’ ପାରଂପରିକ ସମ୍ବଲପୁରୀ ସୂତା ଶାଢ଼ି ବୁଣାକାରଙ୍କ ପେଣ୍ଠ ହୋଇଥିବାବେଳେ ଏବେ ସେଠାରେ ଚିତ୍ରଶିଳ୍ପୀଙ୍କ ମେଳା ଲାଗିଛି । ବୁଣାକାର ମାନେ ବୁଣୁଥିବା ସମ୍ବଲପୁରୀ ଶାଢିର ଡିଜାଇନକୁ ଦେଖି ଠିକ ସେହିଭଳି ଚିତ୍ର ଆଙ୍କୁଛନ୍ତି ଚିତ୍ରକର । ଏକା ସାଙ୍ଗରେ ବାନ୍ଧ କଳା ଓ ଚିତ୍ରକଳାର ଯୁଗଳବନ୍ଦୀ ଦେଖିବାକୁ ମିଳୁଛି । ଏହାକୁ ନେଇ ବେଶ ଆନନ୍ଦ ବ୍ୟକ୍ତ କରିଛନ୍ତି ଉଭୟ ବୁଣାକାର ଓ ଚିତ୍ରକର । ଏଭଳି ନିଆରା ଉଦ୍ୟମ ଦ୍ବାରା ସମ୍ବଲପୁରୀ ଶାଢ଼ିର ଚାହିଦା ବଢିବା ସହିତ ଗାଁ’ର ଗୁରୁତ୍ବ ବି ବଢିବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି ।

ଏହି ଶିବିର ପରିଚାଳନା କରୁଥିବା ଲଳିତ କଳା ଏକାଡେମି ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କହିବା ହେଲା, ପୁରୀର ଶିଳ୍ପୀ ଗ୍ରାମ ରଘୁରାଜପୁର ଢାଞ୍ଚାରେ ପଶ୍ଚିମ ଓଡିଶାରେ କିଛି ନୂଆ କରିବାକୁ ଲଳିତ କଳା ଏକାଡେମି ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି । ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ସମ୍ବଲପୁରୀ ଶାଢ଼ିର ପ୍ରଚାରପ୍ରସାର ସହ ଏହି ଗାଁକୁ ଏକ ସ୍ବତନ୍ତ୍ର ପରିଚୟ ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହା ମଧ୍ୟ ବାହାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।