ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ । ଗୃହ କମିଟି ଗଠନ ନେଇ ଦାବି କଲେ ବିରୋଧୀ । 

73

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମନ୍ଦିର ପାଇଁ ବିପଦ ଆଣିବ କି । ବିଧାନସଭାରେ ଏନେଇ ବିରୋଧୀ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି । କଂଗ୍ରେସ ଓ ବିଜେପି ବିଧାୟକ କହିଛନ୍ତି, ଶ୍ରୀମନ୍ଦିର ଚାରିକଡରେ ହେଉଥିବା ଖନନ, ମନ୍ଦିରରେ ଫାଟ ସୃଷ୍ଟି କରିବ । ସରକାର ଲୋକଙ୍କ ମନରୁ ସନ୍ଦେହ ଦୂର କରିବାକୁ ଦାବି ହୋଇଛି । ସେପଟେ ଗୃହରେ ଜବାବ ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ମନ୍ଦିର ପାଇଁ କୌଣସି ବିପଦ ନାହିଁ, ଗୃହ କମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।

ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ । ଗୃହ କମିଟି ଗଠନ ନେଇ ଦାବି କଲେ ବିରୋଧୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୁଦ୍ଧକାଳୀନ ଭିତିରେ ଚାଲିଛି । କିନ୍ତୁ ବେଶ କିଛି ଦିନ ଧରି ପରିକ୍ରମା ପ୍ରକଳ୍ପର ଖନନ କାର୍ଯ୍ୟ ମନ୍ଦିର ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଆଶଙ୍କା ପ୍ରକାଶ ପାଉଛି । ମନ୍ଦିର ସେବାୟତଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏହାକୁ ପ୍ରସଙ୍ଗ କରି ବିରୋଧ କରିଆସୁଛନ୍ତି । ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ଶୂନ୍ୟକାଳରେ ଏହାକୁ ଉଠାଇଥିଲେ ।

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଥିଲେ, ବିକାଶ ନାଁରେ ମନ୍ଦିର ପ୍ରତି ଯଦି ବିପଦ ସୃଷ୍ଟି ହୁଏ ତା’ହେଲେ ସରକାର ଦାୟୀ ରହିବେ । ଆଉ ଏହି ଖନନ କାର୍ଯ୍ୟ ଚାଲିବା ଦ୍ୱାରା ଯେଉଁ ଭାଇବ୍ରେସନ ସୃଷ୍ଟି ହେଉଛି, ସେଥିପାଇଁ ମନ୍ଦିରରେ ଫାଟ ସୃଷ୍ଟି ହେଉଛି । ଏଏସଆଇ ଓ ଏନଏମଏ କହିଛନ୍ତି, ପ୍ରକଳ୍ପକୁ କୌଣସି ଅନୁମତି ଦିଆଯାଇନି । ସେପଟେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୃହରେ ଉଦବେଗ ପ୍ରକାଶ କରି କହିଛନ୍ତି, ପ୍ରକୃତରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେଉଛି କି ନାହିଁ ଲୋକଙ୍କ ସନ୍ଦେହ ସରକାର ଦୂର କରିବା ଦରକାର ।

ଅପରାହ୍ନ ଅଧିବେଶନରେ ବିରୋଧୀ ହଟ୍ଟଗୋଳ କରିବାରୁ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଗୃହରେ ବିବୃତି ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି, ସେମିତି କିଛି କ୍ଷତି ହେବ ନାହିଁ । ମାର୍ଚ୍ଚ ୩୧ରେ ଗୃହ କମିଟି ଗଠନ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ ସମୟରେ ସବୁ ଦଳର ନେତାଙ୍କୁ ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ସମୟକ୍ରମେ ମନ୍ଦିର ସୁରକ୍ଷା ନେଇ ରାଜନୈତିକ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।