କନକ ବ୍ୟୁରୋ: ହୋଲି ଖେଳରେ ପାଟିତୁଣ୍ଡକୁ ନେଇ ମାରପିଟ୍ । ଘଟଣାକୁ ନେଇ ଘର, କାର ଓ ବାଇକ ଭାଙ୍ଗିଲେ ଉତ୍ୟକ୍ତ ଲୋକେ । ଉତ୍ତେଜନା ଏଡାଇବାକୁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ । ହୋଲି ଅବସରରେ ଖୋର୍ଦ୍ଧା ବାଘମାରି ଥାନା ପଙ୍ଗାରସିଂ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ପଞ୍ଚାୟତର ସରପଞ୍ଚ ଲାବଣ୍ୟ ସିଂଙ୍କ ପୁଅ ସୌମ୍ୟରଞ୍ଜନ ସିଂ ହୋଲିରେ ଜଣେ ଆଦିବାସୀ ଯୁବକଙ୍କୁ ମାଡ଼ମାରୀ ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଦିନିଆରୀ ଗ୍ରାମର ଲୋକ ମାନେ ସଂଘବଦ୍ଧ ଭାବେ ଆସି ସରପଞ୍ଚଙ୍କ ଘର ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଉତ୍ୟକ୍ତ ଲୋକମାନେ ସରପଂଚଙ୍କ ଘର ସମେତ କାର ଓ ବାଇକ ଭାଙ୍ଗିଥିବା ଦେଖିବାକୁ ମିଳିଛି ।

ଉତ୍ୟକ୍ତ ଗ୍ରାମବାସୀ ସରପଂଚଙ୍କ ଘର ସମ୍ମୁଖରେ ବିକ୍ଷୋଭ କରୁଥିବା ବେଳେ ଖୋର୍ଦ୍ଧା ଆଡିସନାଲ ଏସପି, ଏସଡିପିଓ, ବାଘମାରୀ ଏବଂ ବେଗୁନିଆ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ସେପଟେ ସରପଂଚଙ୍କ ପୁଅ ମାଡ଼ରେ ଆହତ ଯୁବକଙ୍କୁ ପ୍ରଥମେ ବାଙ୍କୀ ମେଡିକାଲ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।