ମା’ ହୋଟେଲରେ ଗ୍ରାହକଙ୍କୁ ମାଡ଼ । ସାମାନ୍ୟ ୫ ଟଙ୍କା ପାଇଁ ପ୍ରବଳ ପିଟିଲେ ମାଲିକ ବାପ-ପୁଅ । ଭିଡ଼ିଓ ଭାଇରାଲ….

1,006

କନକ ବ୍ୟୁରୋ: ୫ ଟଙ୍କା ପାଇଁ ମାଡ଼ । ୫ ଟଙ୍କା ପାଇଁ ଜଣେ ଗ୍ରାହକଙ୍କୁ ବିଚ୍ ରାସ୍ତାରେ ଅମାନୁଷିକ ଭାବେ ହୋଟେଲ ମାଲିକ ଓ ତାଙ୍କ ପୁଅ ମାଡ ମାରିବାର ଭିଡ଼ିଓ ଭାଇରାଲ ହେଉଛି । ଗ୍ରାହକ ଜଣଙ୍କ ଗୋଡ଼ ହାତ ଧରି ନେହୁରା ହେଲେ ମଧ୍ୟ ନିଷ୍ଠୁର ବାପା ଓ ପୁଅ ତାଙ୍କ କଥା ଶୁଣିନଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଘଷିପୁରା ଥାନା ଘଷିପୁରା ଲକ୍ଷ୍ମୀ ବଜାରରେ ।

ସୂଚନା ମୁତାବକ, ଘଷିପୁରା ଲକ୍ଷ୍ମୀ ବଜାରରେ ଥିବା ମା’ ହୋଟେଲକୁ ଜିତେନ୍ଦ୍ର ଦେହୁରୀ ନାମକ ଜଣେ ବ୍ୟକ୍ତି ଖାଇବାକୁ ଯାଇଥିଲେ । ସେଠାରେ ସେ ଭାତ, ଡ଼ାଲି, ତରକାରୀ ଓ ଖଟା ଖାଇଥିଲେ । ମାଲିକ ତାଙ୍କୁ ୪୫ ଟଙ୍କା ଦେବା ପାଇଁ କହିଥିଲେ । ଜିତେନ୍ଦ୍ରଙ୍କ ପାଖରେ ଥିବା ୪୦ ଟଙ୍କା ହୋଟେଲ ମାଲିକଙ୍କୁ ଦେଇଥିଲେ । ବାକି ୫ ଟଙ୍କା ସଂଧ୍ୟାରେ ଦେବାକୁ କହିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ହେଟେଲ ମାଲିକ ରାଗିଯାଇ ବିଚ୍ ରାସ୍ତାରେ ତାଙ୍କୁ ନିର୍ଧୁମ୍ ପିଟିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହୋଇଛି । ଏନେଇ ଜିତେନ୍ଦ୍ର ଘଷିପୁର ଥାନାରେ ଅଭିଯୋଗ କରିଛନ୍ତି ।

ତେବେ କୁହାଯାଏ ଗ୍ରାହକ ହେଉଛନ୍ତି ଇଶ୍ୱର । ସେଥିପାଇଁ ଦୋକାନୀମାନେ ଗ୍ରାହକଙ୍କୁ ସବୁବେଳେ ସମ୍ମାନ ଦେବାର ନଜିର ରହିଛି । ହେଲେ ଘଷିପୁରାର ମା’ ଲକ୍ଷ୍ମୀ ହୋଟେଲର ମାଲିକ ବାପ-ପୁଅ ଜଣେ ଗ୍ରାହକଙ୍କ ଉପରେ ଏମିତି ଅତ୍ୟାଚାର ତା’ପୁଣି କେବଳ ୫ ଟଙ୍କା ପାଇଁ ନିହାତି ଏ ମଣିଷଣିଆ ଉପରେ ଏକ ପ୍ରଶ୍ନର ପାହାଡ଼ ଛିଡ଼ା କରିଛି । ସତରେ କ’ଣ ଆମେ ଏତେ ତଳକୁ ଖସିଗଲେଣି? କ’ଣ ଆମ ଭିତରେ ମାନବିକତାର ମୃତ୍ୟୁ ହୋଇଗଲାଣି କି? ନା ଗର୍ବ ଅଂହକାରର ଶେଷସୀମା ଟପି ମଣିଷକୁ ମଣିଷ ଭଳି ଦେଖୁନାହୁଁ? ସାମାନ୍ୟ ୫ ଟଙ୍କା ପାଇଁ ଜଣେ ଗ୍ରାହକକୁ ଏମିତି ନିଷ୍ଠୁର, ବର୍ବର ଆଉ ଅକଥନୀୟ ଭାବେ ଆକ୍ରମଣ କରିବା କେତେ ଯୁକ୍ତିଯୁକ୍ତ? ଯଦି ଗ୍ରାହକ ଜଣକ ଇଶ୍ୱର ବୋଲାଇବାକୁ ଆଦିଅନାଦି କାଳରୁ କୁହାଯାଉଛି ତେବେ ହୋଟେଲ ମାଲିକ ଜଣକ ହୃଦୟହୀନ ହେଲେ କେମିତି?