ତାମିଲନାଡୁରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଉପରେ ଫ୍ୟାକ୍ଟ୍ରି ମାଲିକଙ୍କ ଆତଙ୍କରାଜ । ଫ୍ୟାକ୍ଟ୍ରି ମାଲିକର ଇଙ୍ଗିତରେ ଶ୍ରମିକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗୁଣ୍ଡାବାହିନୀ, ୪ଜଣ ମହିଳାଙ୍କ ସମେତ ୬ ଆହତ

544

କନକ ବ୍ୟୁରୋ: ଯେଉଁ ଶ୍ରମିକମାନେ ଦିନରାତି ପରିଶ୍ରମ କରି ମାଲିକଙ୍କ ସିନ୍ଦୁକକୁ ଭରୁଥିଲେ, ସେମାନଙ୍କୁ ଯେଉଁଭଳି ଆଚରଣ କରାଯାଉଛି ନିଜେ ଦେଖି ନିଅନ୍ତୁ । ଶ୍ରମିକମାନଙ୍କ ଉପରେ କମ୍ପାନୀ ମାଲିକଙ୍କ ଜୁଲମ୍ରେ ଲହୁଲୁହାଣ ହୋଇଯାଇଛନ୍ତି ଓଡ଼ିଆ ଶ୍ରମିକ । ପେଟପାଟଣା ପାଇଁ ନିଜ ରାଜ୍ୟଛାଡ଼ି ତାମିଲନାଡୁରେ ଧାଇଁ ଯାଇଥିଲେ ଏହି ଶ୍ରମିକମାନେ । ହେଲେ ତାଲା ବନ୍ଦ ଯୋଗୁଁ କାମ ବନ୍ଦ ହୋଇଗଲା । ଆଉ ଯେତେବେଳେ ରହିବା ଖାଇବା ସହ ବକେୟା ଟଙ୍କା ମାଗିଲେ ଶ୍ରମିକଙ୍କ ଉପରେ ଆରମ୍ଭ ହୋଇଗଲା ଅତ୍ୟାଚାର ।

ତାମିଲନାଡୁ ତିରିପୁର ଜିଲ୍ଲା ଉତୁକୁଡି ଅଂଚଳରେ ଥିବା ଆହିଲ ଆପ୍ପାରେଲ୍ ଏକ୍ସପର୍ଟ୍ସ ଲିମିଟେଡ୍ ନାମକ ଏକ ଘରୋଇ କମ୍ପାନୀରେ କାମ କରନ୍ତି, ପ୍ରାୟ ୧ ହଜାରରୁ ଅଧିକ ଓଡିଆ ଶ୍ରମିକ । ୫ଶହ ଝିଅ ଓ ୬ଶହ ପୁଅ କମ୍ପାନୀ ମେସରେ ରହି କପଡା ସିଲାଇ କାମ କରନ୍ତି । ହେଲେ ତାଲା ବନ୍ଦ ଯୋଗୁଁ କମ୍ପାନୀରେ କାମ ନଥିବାରୁ କମ୍ପାନୀ ଶ୍ରମିକଙ୍କୁ ଖାଇବାକୁ ଦେଉନାହିଁ । ସବୁଦିନ କେବଳ ଭାତ ଆଉ ରସମ ଦେଉଥିବାରୁ ଶ୍ରମିକମାନେ ଟିକେ ଭଲ ଖାଦ୍ୟ ମାଗିଥିଲେ । ଆଉ ଏଥିରେ ରାଗି ଯାଇ କମ୍ପାନୀ ପକ୍ଷରୁ ଓଡିଆ ଶ୍ରମିକଙ୍କୁ ଆକ୍ରମଣ କରାଯାଇଛି ।

କମ୍ପାନୀ କର୍ତୃପକ୍ଷ ଓ ସିକ୍ୟୁରିଟି ଗାର୍ଡ, ଓଡିଆ ଶ୍ରମିକଙ୍କୁ ମାଡ ମାରି ଲହୁ ଲୁହାଣ କରିଦେଇଛନ୍ତି । ଏଥିରେ ୪ଜଣ ଝିଅ ଓ ୨ ଜଣ ପୁଅ ଗୁରୁତର ହୋଇଛନ୍ତି । ଆକ୍ରମଣରେ ଜଣେ ଭିନ୍ନକ୍ଷମ ଝିଅଙ୍କୁ ବି ମାଡ ମାରିବାକୁ ପଛାଇ ନାହାନ୍ତି । ଏମିତି ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାକୁ ନନେଇ ଗୋଟିଏ ସ୍ଥାନରେ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସ୍ଥାନୀୟ ଜିଲ୍ଲାପାଳ ହସ୍ତକ୍ଷେପ କରିବା ସହ କଂପାନୀ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।