ଭୋକ ପାଇଁ ଭାଲୁଙ୍କ ସଂଘର୍ଷ । ଗାଁରେ ପଶିଲେ, ପରିବା ବଗିଚାରେ ଲଢେଇ କଲେ । ଉଦ୍ଧାର ପାଇଁ ବନବିଭାଗର ଉଦ୍ୟମ

173

କନକ ବ୍ୟୁରୋ : ନବରଙ୍ଗପୁରରୁ ଆସିଛି ଲୋମଟାଙ୍କୁରା ଦୃଶ୍ୟ । ଭୋକ ପାଇଁ ଭାଲୁଙ୍କ ସଂଘର୍ଷ । ଖାଦ୍ୟ ଅନ୍ୱେଷଣରେ ଆସି ଗାଁରେ ପଶିଲେ ଭାଲୁ । ଖାଦ୍ୟ ପାଇଁ କଲେ ଜୋରଦାର ଲଢେଇ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁରେ ଗତକାଲି ରାତିରେ ପଶିଛନ୍ତି ୨ଟି ଭାଲୁ । ଭୋକ ମେଂଟାଇବାକୁ ଗାଁରେ ଦୁଇଟି ଭାଲୁ ପଶିଥିବା ବେଳେ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଲଢେଇ । ଆକ୍ରମଣ ପ୍ରତି ଆକ୍ରମଣରେ କମ୍ପିଥିଲା ଅଂଚଳ ।

ଦୀର୍ଘ ସମୟ ସଂଘର୍ଷ କରିବା ପରେ ଦହଣା ଗାଁର କିଶୋର ଚନ୍ଦ୍ର ମିଶ୍ରଙ୍କ ବାଡିରେ ପଶି ବିଭିନ୍ନ ଫଳ ଗଛ ନଷ୍ଟ କରିବା ସହ ଆଖୁ ବାଡିରେ ପଶିଥିଲେ ଦୁଇ ଭାଲୁ । ଆଗରୁ ଗୋଟିଏ ଭାଲୁ ଏହି ପରି ତାଙ୍କ ବାଡିରେ ପଶି ପନିପରିବା ଓ ଫସଲ ଖାଇ ଚାଲି ଯାଉଥିଲା । ତେବେ ଏବେ ଦୁଇଟି ଭାଲୁ ଆସି ଏପରି ଖାଦ୍ୟ ପାଇଁ ଲଢେଇ କରିବା ପୁରା ଅଂଚଳରେ ଆତଙ୍କ ଖେଳାଇ ଦେଇଛି ।

ସେପଟେ ଘଟଣା ସମ୍ପର୍କରେ ବନବିଭାଗ ଖବର ପାଇବା ପରେ ଅଂଚଳରେ ପାଟ୍ରୋଲିଂ ଆରମ୍ଭ କରିଛି । ଭାଲୁଗୁଡିକର ଗତିବିଧି ଉପରେ ନଜର ରଖାଯାଇଥିବା କହିଛନ୍ତି ନବରଙ୍ଗପୁର ଡିଏଫଓ । ଭାଲୁକୁ କାବୁ କରିବା ପାଇଁ ସମସ୍ତ ଆବଶ୍ୟକ ସରଞ୍ଜାମ ସହ ବନବିଭାଗ କର୍ମଚାରୀ ଅପେକ୍ଷା କରିଥିବା ସୂଚନା ଦେଇଛନ୍ତି ଡିଏଫଓ ।