ନୂଆପଡାରେ ଭାଲୁ ଭୟ: ଜଙ୍ଗଲରୁ ଖସି ଆସି ସହରର ରାଜରାସ୍ତାରେ ଆତଙ୍କ ରଚୁଛନ୍ତି ତିନି ତିନିଟି ଭାଲୁ। ଲୋକେ ଭୟଭୀତ

452

କନକ ବ୍ୟୁରୋ: ସହର ଭିତରେ ବୁଲୁଛନ୍ତି ଭାଲୁ । ଜଙ୍ଗଲରୁ ଖସି ଆସି ସହରର ରାଜରାସ୍ତାରେ ଆତଙ୍କ ରଚୁଛନ୍ତି ତିନି ତିନିଟି ଭାଲୁ । ନୂଆପଡା ଖରିଆର ରୋଡରେ ୩ଟି ଭାଲୁ ଆତଙ୍କ ଖେଳାଇଥିବା ସୂଚନା ମିଳିଛି ।

ତେବେ ଆଜି ରାତି ୮ଟା ସମୟରେ ସହର ଭିତରକୁ ୩ଟି ଭାଲୁ ପଶି ଆସିଥିଲେ । ଗୋଟିଏ ମାଆ ଭାଲୁ ଓ ୨ଟି ଛୁଆ ଭାଲୁ ସହରରେ ବୁଲୁଥିବା ଲୋକେ ଦେଖିଥିଲେ । ଆଉ ବନ ବିଭାଗକୁ ଲୋକେ ଖବର ଦେବା ପରେ ଭାଲୁ ଘଉଡାଇବା କାମ ଆରମ୍ଭ ହୋଇଥିଲା ।

ଲୋକଙ୍କ କହିବା ଅନୁସାରେ ଖରିଆର ରୋଡ ଏନଏଚ-୩୫୩ରେ ପ୍ରାୟ ୨ ଘଣ୍ଟା ଯାଏଁ ୩ଟି ଭାଲୁ ଚଲାବୁଲା କରୁଥିଲେ । ତେବେ ପ୍ରାୟ ସମୟରେ ସାଲିହା ଜଙ୍ଗଲରୁ ପାଖ ଗାଁକୁ ଭାଲୁମାନେ ପିଜୁଳି ଖାଇବାକୁ ଆସୁଥିବା ଲୋକେ କହିଛନ୍ତି । ପାହାଡରେ ପଥର ବ୍ଲାଷ୍ଟିଂ ହେଉଥିବାରୁ ଭାଲୁ ସହର ମୁହାଁ ହୋଇଥିବା କେହି କେହି ଅନୁମାନ କରୁଛନ୍ତି । ତେବେ ସହର ଭିତରେ ଭାଲୁଙ୍କୁ ଦେଖି ଲୋକେ ଭୟଭୀତ ହୋଇଥିବା ବେଳେ ବନ ବିଭାଗ ଘଉଡାଇବା ପରେ ଭାଲୁ ଜଙ୍ଗଲକୁ ପଳାଇଯାଇଥିବା ସୂଚନା ମିଳିଛି ।