ନବୀନଙ୍କ ଚାଟଶାଳୀରେ ନେତାଙ୍କ କ୍ଲାସ୍ ନେଲେ ନବୀନ। ନୂଆ-ପୁରୁଣା ନେତାଙ୍କୁ ନୈତିକତାର ପାଠ ପଢାଇବା ସହ ଦେଲେ ଗୁରୁମନ୍ତ୍ର

176

କନକ ବ୍ୟୁରୋ: ପଂଚମ ପାଳି ପରେ ଆକ୍ଟିଭ ମୋଡରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ନେତାମାନଙ୍କୁ ନବୀନ ନିବାସରେ ନୈତିକତାର ପାଠ ପଢାଇଛନ୍ତି ନବୀନ । ସକାଳ ସାଢେ ୧୦ଟାରୁ ନେତାଙ୍କ କ୍ଲାସ ନେଇଥିଲେ ନବୀନ । ଆଉ ଆରମ୍ଭ ହୋଇଥିଲା ବିଜେଡିର ମାରାଥନ ବୈଠକ । ଯେଉଁଥିରେ ଦଳର କନିଷ୍ଠ ଏବଂ ବୟୋଜ୍ୟେଷ୍ଠ ବିଧାୟକ ଏବଂ ମନ୍ତ୍ରୀଙ୍କୁ ନେଇ ମାନସ ମନ୍ଥନ କରିଥିଲେ ଦଳର ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହିତ ଦଳର ନେତାମାନେ କିଭଳି ଦଳୀୟ ଭାବନାକୁ ବାଦ୍ ଦେଇ ଲୋକଙ୍କ ସେବାରେ ମନ ନିବେଶ କରିବେ ସେନେଇ ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ।

ଏପରିକି ବିଜେଡି ଜନ୍ମ ହେବା ପରଠାରୁ ଯେଉଁଭଳି ଲୋକଙ୍କର ଆସ୍ଥା ଭାଜନ ହୋଇପାରିଛ, ଠିକ୍ ସେହିଭଳି ଆଗକୁ ମଧ୍ୟ ଲୋକଙ୍କ ନିକଟତର ହୋଇ ତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ସମସ୍ତେ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଜୋର ଦେଇ ନବୀନ କହିଛନ୍ତି କି, ଅହଂ ଭାବ ଛାଡି ନମ୍ର ଓ ସରଳ ଜୀବନ ଯାପନ କରନ୍ତୁ । କାରଣ ସରଳ ଜୀବନଯାପନ ହିଁ ଜଣେ ଲୋକପ୍ରତିନିଧୀଙ୍କୁ ଜନତାଙ୍କ ନିକଟତର କରିବାରେ ଯୋଗସୂତ୍ର ପାଲଟିବ ।

ନବୀନଙ୍କ ତିନି ସୂତ୍ର

ସରଳ, ଶାନ୍ତ, ନମ୍ର ହୁଅ ଏବଂ ଦଳ ଛାଡି ସବୁ ଲୋକଙ୍କର ହିଁ କାମ କର । ନିର୍ବାଚନୀ ପ୍ରଚାର ସମୟରେ ଯେଭଳି ଭାବରେ ଲୋକଙ୍କ ନିକଟକୁ ଯାଇ ଭୋଟ ପାଇଁ ପ୍ରତିଶ୍ରୁତି ଦେଉଥିବ ଠିକ୍ ସେହିଭଳି ଏବେ ଲୋକଙ୍କ ପାଖକୁ ଯାଅ ଏବଂ ଉତ୍ତରଦାୟୀ ରୁହ ବୋଲି କହିଛନ୍ତି ନବୀନ ।

ଦ୍ୱିତୀୟ କଥା ହେଲା, ସାଧାରଣ ଜୀବନ ଯାପନ କର । ନିଜ ବ୍ୟବହାରରେ ପରିବର୍ତ୍ତନ ସହ କଥାବାର୍ତ୍ତାରେ ପରିବର୍ତ୍ତନ କରିବାକୁ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ସରଳ ଜୀବନ ଯାପନ କରିବାକୁ ପରାମର୍ଶ ଦେବା ସହ ସୁନା ଅଳଙ୍କାର ନପିନ୍ଧ ଜଣେ ସାଧାସିଧା ଲୋକ ଭଳି ଜନତାଙ୍କ ଦୁଃଖ ଦୂରକରିବାକୁ ବିଧାୟକମାନଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି ନବୀନ ପଟ୍ଟନାୟକ ।

ଯୁବ ବିଧାୟକମାନଙ୍କୁ ପରାମର୍ଶ ଦେଇ ନବୀନ କହିଛନ୍ତି କି, ବଡ ଗାଡି ଚଢନାହିଁ, ବିଳାଶ ବେଶନରେ ଜୀବନ ବିତାଅ ନାହିଁ, ସାଧାରଣ ଜୀବନ ବିତାଅ ଏଭଳି କିଛି ନୈତିକତାର ପାଠ ବିଧାୟକମାନଙ୍କୁ ପଢାଇଛନ୍ତି ନବୀନ ପଟ୍ଟନାୟକ ।

Comments are closed.